LIVE TV

ଥମିଲା ସେୟାର ବଜାରର ବେଗ, ସେନସେକ୍ସ ୧୫୩ ପଏଣ୍ଟ ହ୍ରାସ, ନିଫ୍ଟିରେ ବି ହୋଇଛି କ୍ଷତି

NEWS7
Stock Market

ମୁମ୍ବାଇ ୮।୧୦: ଗତ ୪ ଦିନର ବ୍ୟବସାୟୀକ ଅଧିବେଶନ କାଳରେ ଦୌଡୁଥିବା ଭାରତୀୟ ସେୟାର ବଜାର ବୁଧବାର ଧିମେଇ ଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଏଚଡିଏଫସି ଭଳି ପ୍ରମୁଖ କମ୍ପାନୀଙ୍କ ସେୟାର ବିକ୍ରି ଯୋଗୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୧୩୫ ପଏଣ୍ଟ ତଳକୁ ଖସିଛି। ଏହି ସମୟରେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି ୬୨ ପଏଣ୍ଟ କ୍ଷତିରେ ରହିଛି। ୩୦ ସେୟାର ଆଧାରିତ ବିଏସଇ ସେନସେକ୍ସ ୧୫୩.୦୯ ଅର୍ଥାତ ୧୯% ହ୍ରାସ ସହିତ ୮୧,୭୭୩.୬୬ରେ ବନ୍ଦ ହୋଇଛି।

ଦିନର କାରବାର କାଳରେ ଏଥିରେ ୬୧୧.୬୬ ପଏଣ୍ଟ ହ୍ରାସ ବୃଦ୍ଧି ହୋଇଥିଲା। ଏଣୁ ସେନସେକ୍ସ ଏକ ସମୟରେ ୮୨,୨୫୭.୭୪ ଅଙ୍କକୁ ଛୁଇଁଥିବା ବେଳେ ଆଉ ଏକ ସମୟରେ ୮୧,୬୪୬.୦୮ ପଏଣ୍ଟକୁ ଖସିଥିଲା। ସେହିପରି ୫୦ ସେୟାର ଆଧାରିତ ଏନଏସଇର ନିଫ୍ଟି ୬୨.୧୫ ପଏଣ୍ଟ ଅର୍ଥାତ ୦.୨୫% ହ୍ରାସ ହୋଇ ୨୫,୦୪୬.୧୫ ପଏଣ୍ଟରେ ବନ୍ଦ ହୋଇଛି। ତେବେ ବାହନ, ରିୟଲ ଇଷ୍ଟେଟ ଓ ବ୍ୟାଙ୍କ ସେୟାରରୁ ଲାଭ ଉପାର୍ଜନ କରାଯିବାରୁ ବଜାରରେ ଏପରି ହ୍ରାସ ଦେଖା ଦେଇଛି ବୋଲି ବିଶେଷଜ୍ଞ କହିଛନ୍ତି।

ସେନସେକ୍ସରେ ସାମିଲ କମ୍ପାନୀଙ୍କ ମଧ୍ୟରେ ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଭାରତ ଇଲୋକ୍ଟ୍ରୋନିକ୍ସ, ଅଲ୍ଟ୍ରାଟେକ୍ ସିମେଣ୍ଟ, ଟ୍ରେଣ୍ଟ, ସନଫାର୍ମା, ପାୱାରଗ୍ରିଡ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ପ୍ରାୟତଃ କ୍ଷତିରେ କାରବାର କରିଛନ୍ତି। ଅପରପଟେ ଟାଇଟନ, ଇନଫୋସିସ୍, ଟାଟା କନସଲ୍ଟାନ୍ସୀ ସର୍ଭିସେସ୍, ଏଚସିଏଲ ଟେକ୍ ଓ ଟେକ୍ ମହିନ୍ଦ୍ରା ସେୟାର ବେଶ୍ ଲାଭରେ ଥିଲେ। ଜିୟୋଜିତ ଇନଭେଷ୍ଟମେଣ୍ଟ ଲିମିଟେଡର  ଗବେଷଣା ମୁଖ୍ୟ ବିନୋଦ ନାୟର କହିଛନ୍ତି ଯେ ପ୍ରମୁଖ ସୂଚକାଙ୍କ କାରବାର କାଳରେ ଉଠପଡ ହୋଇଥିଲା। ଏହାର କାରଣ ସେୟାର ବଜାରରେ ବୃଦ୍ଧି ପରେ ମୁନାଫା ଅସୁଲି ବୋଲି ସେ କହିଛନ୍ତି।

ସେପଟେ କମ୍ପାନୀମାନଙ୍କ ଦ୍ୱିତୀୟ ତ୍ରୈମାସିକର ଆର୍ଥିକ ଫଳାଫଳ ପୂର୍ବରୁ ନିବେଶକ ଏବେ ସତର୍କତା ଅବଲମ୍ବନ କରୁଛନ୍ତି। ସେମାନେ ବାଜରରେ ପ୍ରତିଯୋଗୀ ମୂଲ୍ୟାଙ୍କନ ଓ ବୃଦ୍ଧି ସମ୍ଭାବନା ଉପରେ ଗୁରୁତ୍ୱ ଦେଉଛନ୍ତି। ସେହିପରି ରେଲିଗିୟର ବ୍ରୋକିଂ ଲିମିଟେଡର ବରିଷ୍ଠ ଉପାଧ୍ୟକ୍ଷ (ଗବେଷଣା) ଅଜିତ ମିଶ୍ର କହିଛନ୍ତି ଯେ ବୁଧବାର ସେୟାର ବଜାରରେ କାରବାର ତଳ ଉପର ହେଉଥିଲା ଓ ନିକଟରେ ଦେଖା ଦେଇଥିବା ଅଭିବୃଦ୍ଧି ପରେ ଏହା ହାଲୁକା ହ୍ରାସ ସହ ବନ୍ଦ ହୋଇଛି। ବଜାର ଖୋଲିବା ବେଳେ ବେଶ୍ ସ୍ଥିର ଥିଲା, ନିଫ୍ଟି ଅଧିକାଂଶ ସମୟ ସୀମିତ ପରିସରରେ ଥିଲା ଓ ଶେଷରେ ଦିନର ସର୍ବନିମ୍ନ ସ୍ତର ୨୫,୦୪୬.୧୫ ଆଖପାଖରେ  ବନ୍ଦ ହୋଇଛି।