ନୂଆଦିଲ୍ଲୀ : ଆମେରିକା ଅରବପତି ଏଲନମସ୍କଙ୍କ ପ୍ରାଇଭେଟ୍ ସ୍ପେସଏକ୍ସ କମ୍ପାନୀ ବୁଧବାର ରଚିଛି ଇତିହାସ। କମ୍ପାନୀ ଦୁନିଆର ସବୁଠୁ ଶକ୍ତିଶାଳୀ ରକେଟ ସଫଳତା ପୂର୍ବକ ଲଞ୍ଚ୍ କରିଛି। ଷ୍ଟାରସିପ ମେଗା ରକେଟ ପୃଥିବୀର ସବୁଠାରୁ ବଡ଼ ରକେଟ। ଆମେରିକା ସାଉଥ୍ ଟେକ୍ସାସ ର ବୋକାଚିକା ବିଚ୍ ନିକଟସ୍ଥ ସ୍ପେସଏକ୍ସ ଷ୍ଟାରବେସ ଫାସିଲିଟିରୁ ଏହାର ଉତକ୍ଷେପଣ ହୋଇଛି। ଚଳିତ ବର୍ଷ ଏହି ଅଭିଯାନ ସଫଳ ହେବ ବୋଲି ଆଶା ରଖିଥିଲା ସ୍ପେସଏକ୍ସ। ପୂର୍ବରୁ ଫ୍ଲାଇଟ-୭, ଫ୍ଲାଇଟ-୮ ଓ ଫ୍ଲାଇଟ-୯ ଉତକ୍ଷେପଣ କରିଥିଲା। ମାତ୍ର ସେସବୁ ବିଫଳ ହୋଇଥିଲା। ଗତ ଜୁନରେ ଏକ ଷ୍ଟାରସିପ ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା। କିନ୍ତୁ ଏବେ ସ୍ୱପ୍ନ ସତ ହୋଇଛି, ଆଉ ବିଭିନ୍ନ ଗ୍ରହରେ ମାନବ ବସତି ପ୍ରତିଷ୍ଠା ଲାଗି ଏଲନ ମସ୍କଙ୍କ ଯୋଜନାକୁ ସଫଳତା ମିଳିଛି।
ଷ୍ଟାରସିପର ଲମ୍ବା ହେଉଛି ୧୨୩ ମିଟର। ଏହି ରକେଟ୍ ୨୩୨ ଫୁଟ ଉଚ୍ଚ ସୁପର ହେଭି ବୁଷ୍ଟର ଏବଂ ୧୭୧ ଫୁଟ ଉଚ୍ଚ ଷ୍ଟାରସିପ୍ ଅପର ଷ୍ଟେଜରେ ତିଆରି, ଯାହା ଏହାକୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ଉଚ୍ଚ କରିଥାଏ। ସୋମବାର ଲଞ୍ଚ ପୂର୍ବରୁ ଇନ୍ଧନ ଭାରାଯାଇ ଉଡ଼ାଣ ପାଇଁ ଏହାକୁ ପ୍ରସ୍ତୁତ କରାଯାଇ ଥିଲା। କିନ୍ତୁ ରାତି ପ୍ରାୟ ୮ଟାରେ ସ୍ପେସଏକ୍ସ ଉଡ଼ାଣରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା। ମଙ୍ଗଳବାର ଏହାର ଲଞ୍ଚ ମଧ୍ୟ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ରବିବାର, ଲଞ୍ଚପ୍ୟାଡରେ ତରଳ ଅମ୍ଳଜାନର ଲିକ୍ ମିଳିଥିଲା। ସୁରକ୍ଷା କାରଣରୁ ଲଞ୍ଚକୁ ସ୍ଥଗିତ ରଖାଯାଇଥିଲା। ଏତେ ବିଫଳତା ସତ୍ତ୍ବେ ନିଜର ଅଭିଯାନକୁ ବାତିଲ କରି ନଥିଲା ସ୍ପେସଏକ୍ସ।