LIVE TV

ଟ୍ରମ୍ପଙ୍କୁ ଝଟକା, ନଗଦ ୩୫୦ ବିଲିୟନ ଡଲାର ଦେବାକୁ ମନା କଲା ଦକ୍ଷିଣ କୋରିଆ, ଜାଣନ୍ତୁ କହିଲା କ’ଣ?

NEWS7
Trump

ସିୟୋଲ ୨୮।୯: ଟାରିଫ ହ୍ରାସ କରିବା ବଦଳେ ଆମେରିକାକୁ ନଗଦ ୩୫୦ ବିଲିୟନ ଡଲାର ଦେବାକୁ ମନା କରିଦେଇଛି ଦକ୍ଷିଣ କୋରିଆ। ସିୟୋଲ ପ୍ରଶାସନ ଟ୍ରମ୍ପଙ୍କ ଏପରି ଅପ୍ରତ୍ୟାସିତ ଦାବିକୁ ‘ଅସମ୍ଭବ’ ବୋଲି କହିଛି। ଦକ୍ଷିଣ କୋରିଆ ଜାତୀୟ ସୁରକ୍ଷା ପରାମର୍ଶଦାତା ୱାଇ ସୁଂଗ-ଲାକ୍ କହିଛନ୍ତି ଯେ ଏହା କୌଣସି କଥାବାର୍ତ୍ତାର ରଣନୀତି ନୁହେଁ। ସେ କହିଛନ୍ତି ଯେ ଆମେ ନଗଦ ୩୫୦ ବିଲିୟନ ଡଲାର ଦେଇ ପାରିବୁ ନାହିଁ, ଏହା ଆମ କ୍ଷମତାର ବାହାରେ।

ଗତ ଜୁଲାଇରେ ଦକ୍ଷିଣ କୋରିଆ ଓ ଆମେରିକା ମଧ୍ୟରେ ଏକ ବୁଝାମଣା ହୋଇଥିଲା। ଏଥିରେ ଆମେରିକା ଦକ୍ଷିଣ କୋରିଆ ପାଇଁ ୨୫% ଟାରିଫକୁ ହ୍ରାସ କରି ୧୫% କରିଦେବ ବୋଲି କହିଥିଲା। ଏହା ବଦଳେ ଦକ୍ଷିଣ କୋରିଆ ବିଭିନ୍ନ ଆମେରିକୀୟ ପ୍ରକଳ୍ପରେ ଋଣ, ଋଣ ଗ୍ୟାରଣ୍ଟି ଓ ଇକ୍ୱିଟି ରୂପେ ୩୫୦ ବିଲିୟନ ଡଲାର ନିବେଶର ପ୍ରତିଶ୍ରୁତି ଦେଇଥିଲା। ତେବେ ରାଷ୍ଟ୍ରପତି ଟ୍ରମ୍ପ ନିକଟରେ ଏହି ପୈଠ ଅଗ୍ରୀମ ଦେବାକୁ କହିବା ପରେ ବିବାଦ ବଢି ଯାଇଛି।

ୱାସିଂଟନ ଚାହୁଁଛି ଏହି ଫଣ୍ଡ ଉପରେ ଦକ୍ଷିଣ କୋରିଆ ତାକୁ ସିଧାଶଳଖ ନିୟନ୍ତ୍ରଣ ଦେଉ, ହେଲେ ସିୟୋଲ ଏହି ସର୍ତ୍ତ ମାନିବାକୁ ରାଜି ହେଉ ନାହିଁ। ଏଣୁ ଟାରିଫକୁ ନେଇ ଆମେରିକା-ଦକ୍ଷିଣ କୋରିଆ ଆଲୋଚନା ଅଟକି ରହିଛି। ରୟଟର୍ସ ରିପୋର୍ଟ ଅନୁସାରେ ୱାଇ ସୁଙ୍ଗ-ଲାକ କହିଛନ୍ତି ଯେ ସିୟୋଲ ଏବେ ବିକଳ୍ପ ଉପରେ ବିଚାର କରୁଛି। ସେ ଏହା ବି କହିଛନ୍ତି ଯେ ଦକ୍ଷିଣ କୋରିଆ ଆଗାମୀ ମାସରେ ହେବାକୁ ଥିବା ଏସିୟା-ପ୍ରଶାନ୍ତ ଆର୍ଥିକ ସହଯୋଗ (ଏପିଇସି) ସମୂହ ଶିଖର ସମ୍ମିଳନୀରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ସମ୍ମିଳନୀରେ ୱାସିଂଟନ ସହିତ ବାଣିଜ୍ୟ ବୁଝାମଣାକୁ ଚୂଡ଼ାନ୍ତ ରୂପ ଦିଆଯାଇ ପାରେ।