LIVE TV

କେଡେ ଅବିବେକି ସେ, ବିଷ ଦେଇ ନଷ୍ଟ କରିଦେଲା କୋବି ଓ ଧାନ ଫସଲ; ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

NEWS7
 Bargarh

ବରଗଡ଼ : ଆଖିରୁ ଲୁହ ଶୁଖୁନି... ଘରେ ଚୁଲି ଜଳୁନି, କାହାକୁ ଦାନା ରୁଚୁନି… କେମିତି ବା ହେବ କହିଲେ... କେତେ କଷ୍ଟରେ ଋଣ କରଜ କରି ଚାଷ କାମ କରିଥିଲେ। କିନ୍ତୁ ଏବେ ସବୁ ସରିଗଲା। କେଜାଣି  କାହା ଆଖିରେ ଗଲାନି ଏଡେ ସୁନ୍ଦର କୋବି ଫସଲ...। ବିଷ ଦେଇ ସବୁ କିଛି ନଷ୍ଟ କରିଦେଲା।  କୋବି ତ ଗଲା ଧାନ ଫସଲ ବି ଉଜୁଡ଼ି ଗଲା ।  ସେତିକିରେ ତା ମନ ଭରିଲାନି ଯେ, ଚୋରି କରି ନେଲେ ଲକ୍ଷାଧିକ ଟଙ୍କାର କୋବି। ଏବେ କଣ କରିବେ, କେମିତି ଚଳିବେ ,ଋଣ କିପରି ସୁଝିବେ ଏଇ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ମରି ଯାଇଛି ମଣିଷ ପଣିଆ ହଜି ଯାଇଛି ମାନବିକତା। ଆକ୍ରୋଶ ଓ ପ୍ରତିଶୋଧ ପରାୟଣ ହୋଇ ଚାଷୀର ବଇରି ସାଜିଛି କେହି ଦୁର୍ବୃତ୍ତ । ବିଷ ଔଷଧ ଦେଇ ଉଜାଡ଼ି ଦେଲା ସୁନାର ଫସଲ ,ବୃଥା ହେଲା ପରିଶ୍ରମ । ଆଉ ଧୂଳିସାତ ହେଲା ଧାର କରଜ କରି ମାଟି ସହିତ ମାଟି ହୋଇ ସଂଘର୍ଷ କରି ଭଲ ଦୁଇ ପରସା ରୋଜଗାର ପାଇଁ ଦେଖିଥିବା ସ୍ୱପ୍ନ। ଏହି 3ଚାଷୀ  ବରଗଡ଼ ଜିଲ୍ଲା ଜମୁର୍ଡ଼ା ଗାଁର ପ୍ରେମାନନ୍ଦ ଭୁଏ, ମିଥୁନ୍ କରନ୍ ଓ ନିର୍ମଳ କରନ୍।  ଏହି ତିନିଜଣ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାହିଁକିନା ତାଙ୍କ ଚାଷ ଜମିରେ ଘାସ ମରା ଔଷଧ ସିଞ୍ଚନ କରି ବର୍ଷକର ସ୍ୱପ୍ନକୁ ମାଟିରେ ମିଶେଇ ଦେଇଛି କେହି ଦୃର୍ବୃତ୍ତ। ସେତିକିରେ ସୁଧୁରୁଲାନି ଯେ, ଏକର ଏକର କୋବି ଓ ଧାନ  ଚୋରି କରି ନେଇଛି। ପ୍ରେମାନନ୍ଦ ଭୁଏ , ଚାଷୀ ଚାଷୀ ପ୍ରେମାନନ୍ଦଙ୍କ ଧାନଫସଲ ସବୁ ନଷ୍ଟ ହୋଇଯାଇଥିବା ବେଳେ ମିଥୁନଙ୍କ ଅଧ ଏକର ଧାନ ମଧ୍ୟ ନଷ୍ଟ ହୋଇ ଯାଇଛି । ଜାଣିବାକୁ ପାଇଲେ କେହି ଦୁର୍ବୁତ୍ତ ଘାସ ମରା ଔଷଧ ସିଞ୍ଚନ କରି ଫଳନ୍ତି ଫସଲକୁ ନଷ୍ଟ କରି ଦେଇଛି। ଏତିକିରେ କଥା ସରିନି ଚାଷୀ ନିର୍ମଳ କରନ୍ ଙ୍କ ପ୍ରାୟ ଅଧ ଏକର ଜମିରେ ଚାଷ ହୋଇଥିବା ଫୁଲ କୋବି କେହି ଚ଼ୋରି କରି ନେଇଛି ।

ପ୍ରେମାନନ୍ଦ ୨ଏକର ଜମିକୁ ଭାଗଚାଷ ନେଇ ଫୁଲ କୋବି ଚାଷ କରିଥିଲେ । ପ୍ରାୟ ୨ଲକ୍ଷ ଟଙ୍କା ଧାର କରଜ କରି ଆଶା ଥିଲା ପ୍ରାୟ ୫ ଲକ୍ଷ ଟଙ୍କାରେ ବିକି ତିନିଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇଥାନ୍ତେ । ହେଲେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା।  ଏବେ ନ୍ୟାୟ ପାଇଁ କାନ୍ଦି କାନ୍ଦି ଗୁହାରି କରୁଛନ୍ତି। ଘଟଣା ବିଷୟରେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ପରେ ସନ୍ଧାନୀ କୁକୁର ଜଣକ ଘରୁ ବାଲ୍ଟି ଓ ସ୍ଟ୍ରେୟର ମେସିନ୍ ଜବତ କଲା। ହେଲେ ଘଟଣାକୁ ଆଠ ଦିନ ବିତିବା ପରେ ବି କୌଣସି ସୁଫଳ ମିଳି ନାହିଁ। ଜିଲ୍ଲାପାଳ ଓ ଏସ୍ପିଙ୍କ ପାଖକୁ  ଯିବା ପରେ ବି ନା ଅଭିଯୁକ୍ତ ଗିରଫ ହେଲା ନା ସେମାନେ କିଛି କ୍ଷତି ପୁରଣ ପାଇଲେ ।  ପୋଲିସ୍ ର କାର୍ଯ୍ୟାନୁଷ୍ଠାନକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଦୋଷୀକୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି  ଚାଷୀ ଓ ସଂପର୍କୀୟ।  ସମ୍ପର୍କୀୟ ଘଟଣାକୁ ନେଇ ପୋଲିସ ସହ ଯୋଗାଯୋଗ କରିଥିଲେବି କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ହେଲେ ଏଭଳି ଦୁଃଖଦ ଘଟଣାକୁ ପୋଲିସ ଗୁରୁତ୍ତର ସହ ନେଇ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ କେବେ ନେବ ତାକୁ ହିଁ  ସମସ୍ତଙ୍କ ଅପେକ୍ଷା । ବରଗଡ଼ରୁ କ୍ୟାମେରା ପର୍ସନ ମୁନାଙ୍କ ସହ ବ୍ୟୋମକେଶ କର ନିଉଜ୍ ସେଭେନ୍ ।