କଟକରେ ଆରମ୍ଭ ହେଲା ପାର୍ବଣ, ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଅନୁକୂଳ

Published By : Prameya-News7 Bureau | August 16, 2025 IST

କଟକ ୧୬/୦୮: ପବିତ୍ର ଦଶହରା ପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି । ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବିଦ୍ଧି ମୁତାବକ କିଛି ମଣ୍ଡପ ପାଇଁ ଜନ୍ମାଷ୍ଟମୀରେ ମାଟି ଅନୁକୂଳ ହୁଏ । କିନ୍ତୁ ନନ୍ଦ ଉତ୍ସବରେ ଦେଖିବାକୁ ମିଳେ ମାଟି ଅନୁକୂଳ ପର୍ବର ପ୍ରକୃତ ସ୍ୱରୂପ । ପାରମ୍ପରିକ ଶୋଭାଯାତ୍ରା, ବେସଭୂଷା, ତା ସାଙ୍ଗକୁ ନିଛକ କଟକି ଚଳଣିର ବଳିଷ୍ଠ ପ୍ରମାଣ ମିଳେ ଏହି ସମୟରେ। 


କହିବାକୁ ଗଲେ କଟକି ଚଳଣିର ଅନନ୍ୟ ପର୍ବ ଦଶହରାର ଏହି ଆଦ୍ୟ ପର୍ବ ମାଠି ଉଠା । ପୁଣି ଗୋଟିଏ ବର୍ଷ ପରେ ଧରାବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଉ ମା’ଙ୍କ ଧରାବତରଣ ପୂର୍ବରୁ ମଙ୍ଗଳବାର ଠାରୁ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ଥିବା ସାଂସ୍କୃତିକ ସହର କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପରମ୍ପରା ମୁତାବକ ନନ୍ଦୋତ୍ସବ ଅବସରରେ ସହରର ଅଧିକାଶଂ ପୂଜା କମିଟି ଗୁଡ଼ିକ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ମୃତ୍ତିକା ଅନୁକୂଳ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।

ବିଧି ମୁତାବକ କଟକର ମହାନଦୀ ଓ କାଠ ଯୋଡ଼ି ନଦୀ ତଟରେ ଯଥା ରିତିନୀତି ପୂଜାର୍ଚ୍ଚନା ପରେ ସଂଗୃହିତ ହୋଇଛି ପବିତ୍ର ମାଟି । ସଂଗୃହିତ ହୋଇଥିବା ଏହି ମୂଳ ମାଟିକୁ ଆଧାର କରି ଆରମ୍ଭ ହେବ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ । ବିଭିନ୍ନ ପର୍ଯ୍ୟାୟରେ ମା’ଙ୍କ ମୂର୍ତ୍ତି ତିଆରି ହେବ।

ପ୍ରଥମେ ଏକ ମାଟିଆ ଓ ପରେ ଦୁଇ ମାଟିଆ ନିର୍ମାଣ ହେବା ପରେ ଖଡ଼ି ଲାଗି ଅମାବାସ୍ୟା ଦିନ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯିବ । ଏହା ପରେ ମା’ଙ୍କ ମୂର୍ତ୍ତିର ସମ୍ପୂର୍ଣ୍ଣ ରଙ୍ଗ କାର୍ଯ୍ୟ ଶେଷ ହେବା ପରେ ବିଜୟା ଦଶମୀର ପଞ୍ଚ ଦିନ ପୂର୍ବରୁ ମା’ଙ୍କୁ ବସ୍ତ୍ର ଓ ଆଭୂଷଣ ଇତ୍ୟାଦି ଲାଗି କରାଯିବ ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.