LIVE TV

ସାମାଜିକ ବାସନ୍ଦ ପରେ ଅସହ୍ୟ ନିର୍ଯାତନା; ଦକ୍ଷିଣାଞ୍ଚଳ ଆଇଜିଙ୍କ ଦ୍ୱାରସ୍ଥ ହେଲା ପୀଡ଼ିତ ପରିବାର

NEWS7
GANJAM

ବ୍ରହ୍ମପୁର: ସାମାଜିକ ବାସନ୍ଦ ଓ ନିର୍ଯାତନା ଅଭିଯୋଗ ନେଇ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଫେରାଦ ହେଲେ ଦୁଇ ପରିବାର । ଝରାପଦର ଗାଁର ବାସିନ୍ଦା ଏଚ୍.ସାବିତ୍ରୀ ରେଡ୍ଡୀ ବାସନ୍ଦ ଅଭିଯୋଗ ନେଇ ଗଞ୍ଜାମ ଥାନାରେ ମାମଲା ରୁଜୁ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ । ଗତ ଜୁଲାଇ ୩୦ରେ ଗାଁ କମିଟି ବିନା କାରଣରେ ପରିବାର ବିରୁଦ୍ଧରେ ବେଆଇନ ଭାବରେ ସାମାଜିକ ବାସନ୍ଦ ଘୋଷଣା କରିଥିଲା । ପରେ ଚାଷ କାର୍ଯ୍ୟରେ ସାହାଯ୍ୟ କରିଥିବାରୁ ଭାଇ ଏନ୍.ବସନ୍ତ ରେଡ୍ଡୀ ଓ ତାଙ୍କ ପରିବାରକୁ ସେପ୍ଟେମ୍ୱର ରେ ସାମାଜିକ ବାସନ୍ଦ କରିଥିଲେ।

ସେବେଠାରୁ ସମ୍ପୂର୍ଣ୍ଣ ସାମାଜିକ ବିଚ୍ଛିନ୍ନତା ଏବଂ ନିରନ୍ତର ହଇରାଣର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ଦୁଇ ପରିବାର । ଗ୍ରାମବାସୀଙ୍କୁ କୌଣସି ପ୍ରକାରେ ଯୋଗାଯୋଗ କିମ୍ବା ସହାୟତା ନକରିବାକୁ ଚେତାବନୀ ଦିଆଯାଇଛି । ନିଆଁ, ପାଣି ଏବଂ କୃଷି ଶ୍ରମିକ ଭଳି ମୌଳିକ ଆବଶ୍ୟକତାରୁ ବଞ୍ଚିତ କରାଯାଇଛି । ଏପରିକି ସ୍ଥାନୀୟ ଦୋକାନୀଙ୍କୁ ମଧ୍ୟ କୌଣସି ପ୍ରକାର ସାମଗ୍ରୀ ବିକ୍ରି ନକରିବାକୁ ଚେତାବନୀ ଦିଆଯାଇଛି । ଫଳରେ ଦୈନନ୍ଦିନ ଜୀବିକା ଏବଂ ମାନସିକ ଶାନ୍ତି ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ।

ଏହା ଉପରେ ପୀଡ଼ିତ ପରିବାରବର୍ଗ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି । ୧୦ ହଜାର ଟଙ୍କା ଜରିମାନା ନଦେବାରୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ କରିଛନ୍ତି ଏଚ୍.ସାବିତ୍ରୀ । ସେପଟେ ଘଟଣାର ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ।