ଚେନ୍ନାଇ, ୨୪/୧୧: ମୁହାଁମୁହିଁ ହେଲେ ଦୁଇ ବସ୍ । ଚାଲିଗଲା ୬ ଜୀବନ । ୨୮ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁରେ । ରାଜ୍ୟର ତେନକାସି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ସୂଚନାନୁସାରେ, ସୋମବାର ସକାଳେ ଏକ ଘରୋଇ ବସ ମଦୁରାଇରୁ ସେନକୋଟାଇ ଅଭିମୁଖେ ଯାଉଥିଲା । ଏହା ତେନକାସିରୁ କୋଭିଲପଟ୍ଟି ଅଭିମୁଖେ ଯାଉଥିବା ଅନ୍ୟ ଏକ ଘରୋଇ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ବସ କ୍ଷତିଗ୍ରସ୍ତ ହୋଇଛନ୍ତି ।

ସ୍ଥାନୀୟ ପୋଲିସର କହିବାନୁସାରେ, ମଦୁରାଇରୁ ସେନକୋଟ୍ଟାଇ ଯାଉଥିବା ବସର ଡ୍ରାଇଭର ଅତି ବେପାରୁଆ ଭାବେ ଗାଡି ଚଲାଉଥିଲେ । ଗାଡିର ବେଗ ଅଧିକ ଥିଲା । ଯାହାକୁ ନିୟନ୍ତ୍ରଣ କରି ନପାରି ଡ୍ରାଇଭର ଅନ୍ୟ ଏକ ବସକୁ ପିଟିଥିଲେ ।

ତେବେ ଆହତ ହୋଇଥିବା ୨୮ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ଫଳରେ ମୃତ୍ୟୁସଂଖ୍ୟାରେ ବୃଦ୍ଧି ଘଟିପାରେ । ମୃତଯାତ୍ରୀଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ଜଣାପଡିଛି ।