LIVE TV

ଦେଶରେ ପ୍ରଥମ ଥର ଦେଢ ଲକ୍ଷ ଟଙ୍କାକୁ ପହଞ୍ଚିଲା ରୂପା ଦର

NEWS7
gfx

ବାରଣାସୀ ୪।୧୦: ଦେଶରେ ସୁନା ଓ ରୂପା ଦର ଚଳିତବର୍ଷ ଆରମ୍ଭରୁ ଦ୍ରୁତ ବଢିବାରେ ଲାଗିଛି। ଯେଉଁ ହାରରେ ମୂଲ୍ୟବାନ ଧାତୁ ଦର ବଢୁଥିଲା ବଜାର ବିଶେଷଜ୍ଞ ପ୍ରଥମରୁ ଆକଳନ କରିନେଇଥିଲେ ରୂପା ଦର ଦେଢ ଲକ୍ଷ ଟଙ୍କାକୁ ପହଞ୍ଚିବା ନିଶ୍ଚିତ। ସେମାନଙ୍କ ଆକଳନ ଏବେ ସତରେ ପରିଣତ ହୋଇଛି। ୪ ଅକ୍ଟୋବର ଶନିବାର ରୂପା କେଜି ପିଛା ଦର ଦେଢ ଲକ୍ଷ ଟଙ୍କା ପାର କରିଛି। ମାତ୍ର ୧୧ ଦିନରେ ରୂପା ଦରରେ ୧୨,୮୫୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ କେଜି ପିଛା ୧,୪୯,୨୦୦ ଟଙ୍କାକୁ ପହଞ୍ଚି ଯାଇଛି।

ଏହି ସମୟରେ ସୁନା ଦର ମଧ୍ୟ ବଢିଛି। ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୬,୪୫୦ ଟଙ୍କା ମହଙ୍ଗା ହୋଇ ୧,୨୨,୧୫୦ ଟଙ୍କାକୁ ପହଞ୍ଚି ଯାଇଛି। ଦେଶରେ ସୁନା,ରୂପା ଉପରେ ଜିଏସଟି ଲାଗୁ ହେଉ ନାହିଁ, ପୂର୍ବରୁ ମଧ୍ୟ ଏହା ଉପରେ ଶୁଳ୍କ କମ ଥିବା ବେଳେ ଆମଦାନୀ ଶୁଳ୍କ ମଧ୍ୟ ସେପରି ଉଚ୍ଚ ନୁହେଁ। ଏହା ସତ୍ତ୍ୱେ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର ସୁନା ଓ ରୂପା ଦର ଏବେ ଆକାଶ ଛୁଉଁଛି। ତେବେ ଏପରି ମୂଲ୍ୟବୃଦ୍ଧିର ପ୍ରଭାବ ଦେଶରେ ଆଗକୁ ଆସୁଥିବା ପାର୍ବଣ ଉପରେ ପଡିବ ବୋଲି ଏବେଠୁ ଅନୁମାନ କରାଗଲାଣି।

ଚଳିତମାସରେ ଧନତେରସ ଓ ଦୀପାବଳି ପାଳିତ ହେବ। ଲୋକେ ଏହି ଅବସରରେ କିଣାକିଣି କରିବେ। ଏଥିରେ ଲୋକେ ଅଧିକମାତ୍ରାରେ ରୂପାମୁଦ୍ରା କ୍ରୟ କରିଥାନ୍ତି। ହେଲେ ପାର୍ବଣ ପୂର୍ବରୁ ମୂଲ୍ୟ ବୃଦ୍ଧି ଲୋକଙ୍କ କିଣାକିଣିକୁ ପ୍ରଭାବିକ କରିବ ବୋଲି ଆଶଙ୍କା କରାଗଲାଣି। ଗତ ଅଗଷ୍ଟ ୨୧ ତାରିଖରେ ସୁନା ୧୦ଗ୍ରାମ ପିଛା ମୂଲ୍ୟ ୧,୦୨,୪୫୦ ଟଙ୍କା ଥିବା ବେଳେ ରୂପା କେଜି ପିଛା ୧,୧୫,୮୫୦ ଟଙ୍କାକୁ ପହଞ୍ଚି ଯାଇଥିଲା।