ନୂଆଦିଲ୍ଲୀ ୦୩।୦୫: ଶୁକ୍ରବାର ଖେଳାଯାଇଥିଲା ଆଇପିଏଲ୍ର ୫୧ତମ୍ ମ୍ୟାଚ୍ । ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍ କେବଳ ସ୍କୋରବୋର୍ଡରେ ନୁହେଁ ବରଂ ପଡ଼ିଆରେ ମଧ୍ୟ ହୋଇଥିଲା ସରଗରମ । ମ୍ୟାଚ୍ରେ ଗୁଜରାଟ ୩୮ ରନ୍ରେ ହାସଲ କରିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ । ଏହି ବିଜୟ ସହିତ ଟିମ୍ ପ୍ଲେଅଫ୍ ଦୌଡ଼ରେ ୨ଟି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ପାଇଛି । କିନ୍ତୁ ଗୁଜରାଟ ଅଧିନାୟକ ଶୁଭମନ ଗିଲ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ । ତାଙ୍କ ବିରୁଦ୍ଧରେ ଆସିପାରେ କଡା କାର୍ଯ୍ୟାନୁଷ୍ଠାନ । ଏହାକୁ ନେଇ ଗିଲ୍ଙ୍କ ଉପରେ ଆଇପିଏଲ ଲଗାଇପାରେ ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗ ।
ଶୁଭମନ ଗିଲ ୩୮ ବଲରେ ୭୬ ରନ୍ କରିଥିଲେ । ତାଙ୍କୁ ୨ଥର ମ୍ୟାଚ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ଉଭୟ ଥର ସେ ଆଇପିଏଲ ଆଚରଣ ସଂହିତାର ଧାରା ୨.୮ ଉଲ୍ଲଂଘନ କରିଥିଲେ । ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ରେ ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ ଗିଲ୍ । ବାସ୍ତବରେ SRH ଇନିଂସର ୧୪ତମ ଓଭରର ଚତୁର୍ଥ ବଲରେ ଗୁଜରାଟ ଟିମ୍ ଅଭିଷେକ ଶର୍ମାଙ୍କ ବିରୋଧରେ LBW ପାଇଁ ଅପିଲ୍ କରିଥିଲେ । କିନ୍ତୁ ଫିଲ୍ଡ ଅମ୍ପାୟାର ତାଙ୍କୁ ଆଉଟ୍ ଦେଇ ନଥିଲେ । ଯାହା ପରେ ଗିଲ୍ ରିଭ୍ୟୁ ନେଇଥିଲେ । ଏହାପରେ ଥାର୍ଡ ଅମ୍ପାୟର 'ଅମ୍ପାୟର କଲ୍' ଯୋଗୁଁ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିନଥିଲେ । ଯେଉଁକାରଣରୁ ବର୍ତ୍ତିଯାଇଥିଲେ ଅଭିଷେକ ଶର୍ମା ।
ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ପରେ ଶୁଭମନ ଗିଲ ରାଗିଯାଇଥିଲେ । ସେ ପଡ଼ିଆ ମଝିରେ ଅମ୍ପାୟରଙ୍କ ସହ କରିଥିଲେ ଝଗଡ଼ା । ସେମାନେ ବହୁତ ସମୟ ଧରି ଯୁକ୍ତିତର୍କ କରୁଥିବା ନଜର ଆସିଥିଲେ । ଅମ୍ପାୟାର ଏବଂ ଗିଲଙ୍କ ମଧ୍ୟରେ ଏକ ବଡ ଯୁକ୍ତିତର୍କ ହୋଇଥିଲା । ଯାହାପରେ ଗିଲଙ୍କ ବନ୍ଧୁ ଅଭିଷେକ ଶର୍ମା ତାଙ୍କୁ ଶାନ୍ତ କରିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହାରି ମଧ୍ୟରେ ଗିଲଙ୍କ ଉପରେ ବିପଦ ଘାରୁଛି । ଗିଲଙ୍କ ଏହି ରାଗ ତାଙ୍କୁ ପଡିପାରେ ମହଙ୍ଗା । ଏମିତିକି ବିସିସିଆଇ ତାଙ୍କ ଉପରେ ଲଗାଇପାରେ ବଡ ଜରିମାନା ।
ତେବେ କୁହାଯାଉଛି କି ଗିଲ ୨ଟି ନିୟମ ଉଲ୍ଲଂଘନ କରୁଥିବା ମନେ ହେଉଛି । ଗୋଟିଏ ହେଉଛି 'ଅମ୍ପାୟରଙ୍କ ନିଷ୍ପତ୍ତିରେ ସ୍ପଷ୍ଟ ନିରାଶା' ଏବଂ 'ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିବା ' । ଏପରି କରିବା IPL ଆଚରଣ ସଂହିତା ଅନୁଯାୟୀ ୧ କିମ୍ବା ୨ ଲେବଲର ଅପରାଧ ଭାବରେ ବିବେଚନା କରାଯାଇପାରେ। ଲେବଲ୍ ୧ ଅପରାଧ ପାଇଁ ଚେତାବନୀ କିମ୍ବା ତାଙ୍କ ମ୍ୟାଚ୍ ଫିର ୨୫% ପର୍ଯ୍ୟନ୍ତ ଜରିମାନା ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିପାରିବ କିମ୍ବା ୨୬-୫୦% ଜରିମାନା ଏବଂ ଦୁଇଟି ଡିମେରିଟ୍ ପଏଣ୍ଟ ଦେବାକୁ ପଡ଼ିପାରେ । ଲେବଲ୍ ୨ ଅପରାଧ ପାଇଁ ମ୍ୟାଚ୍ ଫିର ୫୦-୧୦୦% ଜରିମାନା ଏବଂ ତିନୋଟି ଡିମେରିଟ୍ ପଏଣ୍ଟ ଦେବାକୁ ପଡ଼ିବ । ଏହା ଗୋଟିଏ କିମ୍ବା ଦୁଇଟି ସସପେନସନ୍ ପଏଣ୍ଟ ମଧ୍ୟ ଦେଇପାରେ । ଯାହା ୪ଟି ଡିମେରିଟ୍ ପଏଣ୍ଟ ପର୍ଯ୍ୟନ୍ତ ହୋଇପାରେ। ତେଣୁ ଲାଗିପାରେ ବଡ ଜରିମାନା । ଏମିତିକି ଗିଲ୍ଙ୍କ ଉପରେ ଲାଗିପାରେ ବ୍ୟାନ୍ ।