ନୂଆଦିଲ୍ଲୀ: ଚେପକରେ ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଛି ପଞ୍ଜାବ କିଙ୍ଗସ । ଶ୍ରେୟସ ଆୟର ଏବଂ ପ୍ରଭସିମରନଙ୍କ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗସ ୨ ବଲ୍ ବାକି ଥାଇ ମ୍ୟାଚ୍ ଜିତି ନେଇଥିଲା । ୧୯୧ ଟାର୍ଗେଟ୍ ଜବାବରେ ପଞ୍ଜାବ ୧୯.୪ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା । ଆଇପିଏଲ୍ ୨୦୨୫ରେ ଚେନ୍ନାଇର ଏହା ଅଷ୍ଟମ ପରାଜୟ ହୋଇଥିବା ବେଳେ ପଞ୍ଜାବ ଷଷ୍ଠ ମ୍ୟାଚ୍ରେ ବିଜୟୀ ହୋଇଛି । ସିଏସକେ ଘରୋଇ ପରିବେଶରେ ତା'ର ପଞ୍ଚମ ମ୍ୟାଚ୍ ହାରିଛି । ଏହା ସହିତ IPL ୨୦୨୫ର ପ୍ଲେ-ଅଫରୁ ବାଦ ପଡ଼ିଥିବା ପ୍ରଥମ ଦଳ ହୋଇଛି ।
୧୯୧ ରନ୍ର ଟାର୍ଗେଟକୁ ପିଛା କରି ପଞ୍ଜାବ କିଙ୍ଗ୍ସ ପାୱରପ୍ଲେରେ ୱିକେଟ୍ ହରାଇଥିଲା । ପ୍ରିୟାଂଶ ଆର୍ଯ୍ୟ ୧୫ ବଲ୍ରେ ୨୩ ରନ୍ କରି ଆଉଟ୍ ହୋଇଥିଲେ । ପ୍ରଭସିମରନ ସିଂହ ୩୬ ବଲ୍ରେ ୫୪ ରନ୍ କରି ଆଉଟ୍ ହୋଇଥିଲେ । ନେହାଲ ୱାଡେରା ତିନୋଟି ୫ ରନ୍ ଓ ଶଶାଙ୍କ ୨୩ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଶ୍ରେୟସ ଆୟର ୪୧ ବଲ୍ରେ ୭୨ ରନ୍ କରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପାଇ ଖଲିଲ ଅହମ୍ମଦ, ପାଥିରାଣା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୍ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସାମନା କରିଥିଲା । ପାୱାରପ୍ଲେରେ ହିଁ ତିନୋଟି ୱିକେଟ ହରାଇଥିଲା । ଶେଖ୍ ରସିଦ ୧୨ ବଲରେ ୧୧ ରନ୍, ଆୟୁଷ ମହାତ୍ରେ ୬ ବଲରେ ୭ ରନ୍ ଏବଂ ରବିନ୍ଦ୍ର ଜାଡେଜା ୧୨ ବଲରେ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଡେୱାଲ୍ଡ ବ୍ରେଭିସ୍ ୨୬ ବଲ୍ରେ ୩୨ ରନ୍ କରିପାରିଥିଲେ । ତେବେ ଅଲରାଉଣ୍ଡର ସାମ୍ କରନ ୪୭ ବଲରେ ୮୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । କରନ ତାଙ୍କ ଇନିଂସରେ ୯ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଧୋନୀ ୪ ବଲରେ ୧୧ ରନ୍, ଦୀପକ ହୁଡ଼ା ୨ ରନ କରି ଆଉଟ୍ ହୋଇଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ୧୯.୨ ଓଭରରେ ୧୦ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା ।
ସେପଟେ ପଞ୍ଜାବ ପାଇଁ ଚହଲ ଚମତ୍କାର ବୋଲିଂ କରି ଚେନ୍ନାଇ ସ୍କୋରକୁ ଅନୁମାନଠାରୁ କମରେ ସୀମିତ କରିବାରେ ସଫଳ ହୋଇଥିଲା । ଚହଲ ତାଙ୍କ ତୃତୀୟ ଓଭରରେ ହ୍ୟାଟ୍ରିକ୍ ସହ ୪ଟି ୱିକେଟ୍ ନେଇଥିଲେ । ଅର୍ଶଦୀପ ସିଂହ, ମାକ୍ରୋ ଅନସେନ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି ଆଜମାତୁଲ୍ଲାହ, ହରପ୍ରୀତ ବରାର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।