ଶହେ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ; ରାଜସ୍ଥାନ ରୟାଲ୍ସ ପ୍ଲେ-ଅଫ୍‌ରୁ ବାହାର

Published By : Prameya-News7 Bureau | May 01, 2025 IST

ଜୟପୁର: ସବାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଚେକ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଶହେ ରନରେ ପରାସ୍ତ ହୋଇଛି ଘରୋଇ ଦଳ । ଏହା ସହିତ ରାଜସ୍ଥାନ ପ୍ଲେ-ଅଫ୍ ଆଶା ମଧ୍ୟ ମଉଳି ଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭରରେ ୨୧୭ ରନ୍‌ର ଟାର୍ଗେଟ୍ ଦେଇଥିଲା । ଏମଆଇ ପକ୍ଷରୁ ରୋହିତ ଶର୍ମା ଓ ରୟନ ରିକଲଟନ୍ ଉଭୟେ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ତେବେ ୨୧୮ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୧୬.୧ ଓଭରରେ ମାତ୍ର ୧୧୭ ରନ୍‌ କରି ଅଲଆଉଟ୍ ହୋଇଛି । ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ଶହେ ରନ୍‌ ବ୍ୟବଧାନରେ ବଡ଼ ବିଜୟ ମିଳିଛି । ଦଳ ପକ୍ଷରୁ ଏହା ଲଗାତାର ଷଷ୍ଠ ବିଜୟ ହୋଇଥିବା ବେଳେ ଏମଆଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି । 

୨୧୮ ରନର ଟାର୍ଗେଟକୁ ପିଛା କରିବାକୁ ଓହ୍ଲାଇ ଥିବା ରାଜସ୍ଥାନର ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯୟ ଘଟିଥିଲା । ଦଳ ପ୍ରଥମ ଓଭରରେ ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ହରାଇଥିଲା । ଦୀପକ ଚହରଙ୍କୁ ତାଙ୍କୁ ଶିକାର କରିଥିଲେ  । ଦ୍ୱିତୀୟ ଓଭରରେ ଟ୍ରେଣ୍ଟ ବୋଲ୍ଟ ଯଶସ୍ୱୀ ଜୟସ୍ୱାଲ ୧୩ ରନରେ ଆଉଟ୍ କରିଥିଲେ । ସେହିପରି ନୀତିଶ ରାଣା ୧୧ ବଲ୍‌ରେ ୯ ରନ୍ କରି ଆଉଟ୍ ହୋଇଥିଲେ । ଅଧିନାୟକ ରିୟାନ ପରାଗ ୮ ବଲରେ ୧୬ ରନ୍ କରିଥିଲେ ଏବଂ ଶିମରନ୍ ହେଟମାୟର ଖାତା ନ ଖୋଲି ପେଭିଲିୟନ ଫେରିଥିଲେ। ସେହିପରି ଶୁଭମ ଦୁବେ ୯ ବଲରେ ୧୫ ରନ୍ କରି ଆଉଟ୍ ହୋଇଥିଲେ । ୧୧ ବଲ୍‌ରେ ୧୧ ରନ୍ କରି ଧ୍ରୁବ ଜୁରେଲ୍ ଫେରିଥିଲେ । ମହିଷ ତିକ୍ଷଣ ୯ ବଲ୍‌ରେ ମାତ୍ର ୨ ରନ୍ କରିପାରିଥିଲେ । ତେବେ ଦଳ ପକ୍ଷରୁ ଜୋଫ୍ରା ଆର୍ଚର ୨୭ ବଲ୍‌ରେ ସର୍ବାଧିକ ୩୦ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ କର୍ଣ୍ଣ ଶର୍ମା ୩ ଲେଖାଏଁ ୱିକେଟ୍ ନେଇଥିଲେ । ଯଶପ୍ରୀତ ବୁମରାଙ୍କୁ ଦୁଇଟି ୱିକେଟ୍ ମିଳିଛି ।

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୨ ୱିକେଟ୍ ହରାଇ ୨୧୭ ରନ୍ କରିଛି । ମୁମ୍ବାଇ ପକ୍ଷରୁ ରିଆନ ରିକଲଟନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ରୋହିତ ଶର୍ମା ୩୬ଟି ବଲ୍‌ ଖେଳି ୫୩ ରନ୍ ସଂଗ୍ରହ କରିଛନ୍ତି । ଉଭୟେ ୧୧୬ ରନର ଭାଗୀଦାରି ପାଳି ଖେଳି ଦଳକୁ ଏକ ମଜଭୂତ ସ୍ଥିତିରେ ପହଞ୍ଚାଇଥିଲେ । ଏହାପରେ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଧିକ୍ ପାଣ୍ଡ୍ୟା ଦଳକୁ ଫିନିସିଂ ଟଚ୍ ଦେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ହାର୍ଡ ହିଟର ମାତ୍ର ୨୩ଟି ଲେଖାଏଁ ବଲ୍ ଖେଳି ୪୮ ରନ୍ ଲେଖାଏଁ ରନ୍ କରିଥିଲେ । ଫଳରେ ଦଳ କୋଡିଏ ଓଭରରେ ୨୧୭ ରନ୍‌ର ବିଶାଳ ସ୍କୋର ଛିଡ଼ା କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.