ଆଇପିଏଲ୍‌ ମଝିରେ ଫସିଲା BCCI, ରୋବୋଟ୍ କୁକୁର ଯୋଗୁଁ ହାଇକୋର୍ଟ ମିଳିଲା ନୋଟିସ୍

Published By : Prameya-News7 Bureau | May 01, 2025 IST

ନୂଆଦିଲ୍ଲୀ ୦୧।୦୫: ଅଡ଼ୁଆରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ । IPL ମଝିରେ BCCI ତାର ରୋବୋଟ୍ କୁକୁର ଯୋଗୁଁ ପାଇଛି ଏକ ନୋଟିସ୍ । ଦିଲ୍ଲୀ ହାଇକୋର୍ଟ ବିସିସିଆଇକୁ ପଠାଇଛି ନୋଟିସ୍ । ବାସ୍ତବରେ BCCI  ଆଇପିଏଲ୍‌ ମ୍ୟାଚ୍ ସମୟରେ କୁକୁର ପରି ଦେଖାଯାଉଥିବା ଏକ ରୋବୋଟ ବ୍ୟବହାର କରୁଛି । ଏହି ରୋବୋ ଟସ୍ ସମୟରେ ଦେଖିବାକୁ ମିଳିଥାଏ । ଆଉ ଖେଳାଳିଙ୍କ ୱାର୍ମ-ଅପ୍ ସମୟରେ ସେମାନଙ୍କୁ କଭର ମଧ୍ୟ କରେ । ଏହି ରୋବୋ କୁକୁରର ନାଁ ହେଉଛି ଚମ୍ପକ । ଯାହା ଏବେ ବିସିସିଆଇ ପାଇଁ ସାଜିଛି କଣ୍ଟା । 

ଏକ ପ୍ରସିଦ୍ଧ ଶିଶୁ ପତ୍ରିକାର ନାଁ ଚମ୍ପକ ରହିଛି । ବିସିସିଆଇ ତା’ର ରୋବୋଟ କୁକୁର ଚମ୍ପକ ନାଁ ଦେଇ ଏକ ପଞ୍ଜିକୃତ ଟ୍ରେଡମାର୍କ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ଯେଉଁ କାରଣରୁ କମ୍ପାନୀ ବିସିସିଆଇକୁ ନେଇ ଅଭିଯୋଗ କରିଛି । ଯାହା ପରେ କୋର୍ଟ ପକ୍ଷରୁ ବିଶ୍ୱର ସବୁଠାରୁ ଧନୀ ବୋର୍ଡକୁ ଏକ ନୋଟିସ ପଠାଯାଇଛି। ଚମ୍ପକ ପତ୍ରିକା ମାମଲାରେ ଦିଲ୍ଲୀ ହାଇକୋର୍ଟ ବିସିସିଆଇଠାରୁ ଜବାବ ମାଗିଛନ୍ତି । ବିସିସିଆଇକୁ ଆଗାମୀ ଚାରି ସପ୍ତାହ ମଧ୍ୟରେ ଏହାର ଲିଖିତ ଉତ୍ତର ଦେବାକୁ ପଡିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ୯ ଜୁଲାଇରେ ହେବ। 

ରୋବୋଟ କୁକୁର ଚମ୍ପକର ବିଶେଷତ୍ୱ ହେଉଛି ଏହା ଏକାଧିକ କ୍ୟାମେରା ସହିତ ସଜ୍ଜିତ । ସେ ମ୍ୟାଚ ସମୟରେ ପ୍ରଶଂସକମାନଙ୍କୁ ଏକ ଭିନ୍ନ ଦୃଶ୍ୟ ଦେଖାଇ ପାରେ। ଏହା ବ୍ୟତୀତ ଏହି କୁକୁର ଭିତରେ ଅନେକ ପ୍ରକାରର ସେନ୍ସର ଲଗାଯାଇଛି। ଏହାକୁ ଚାର୍ଜ କରିବାର ଆବଶ୍ୟକତା ନ ଥାଏ। ଏହା ସ୍ବୟଂଚାଳିତ ଭାବରେ ଚାର୍ଜ ହୋଇଯାଏ। 

ଯଦି ଏହା ପଡ଼ିଯାଏ, ତେବେ ଏହା ନିଜେ ଠିଆ ହୋଇପାରିବ। ଏହା ମ୍ୟାଚ ପୂର୍ବରୁ, ଖେଳାଳିଙ୍କ ଅଭ୍ୟାସ ସମୟରେ ଏବଂ ହାଫ୍‌ ଟାଇମ୍‌ ସମୟରେ ବ୍ୟବହୃତ ହୁଏ। ବିଶେଷ କଥା ହେଉଛି ଏହି ରୋବୋଟ କୁକୁର ଯାହା ବି ଫଟୋ ଏବଂ ଭିଡିଓ ଉତ୍ତୋଳନ କରେ, ସେଗୁଡ଼ିକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ୍‌ କରିପାରେ। ଏହା ବ୍ୟତୀତ ଏହି କୁକୁର ଖେଳାଳିଙ୍କ ହୃଦସ୍ପନ୍ଦନ ମଧ୍ୟ ପଢ଼ିପାରେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.