ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଥରେ କହିଥିଲେ, ଯେଉଁଦିନ ଭାରତରେ ମହିଳାମାନେ ରାତିରେ ସୁରକ୍ଷିତ ଭାବେ ପଦାକୁ ବାହାରି ପାରିବେ,ସେହିଦିନ ଭାରତ ପ୍ରକୃତ ସ୍ୱାଧୀନ ହେବ। ହେଲେ ଭାରତ ଆଜି ପର୍ଯ୍ୟନ୍ତ ସେ ସ୍ୱାଧୀନତା ଦେଖିପାରି ନାହିଁ। ଆଜି ଭାରତରେ ନାରୀର ସୁରକ୍ଷା କେବଳ ଭାଷଣ ଓ ବହି, ଖାତାରେ ସୀମିତ ରହିଛି।

ଦେଶକୁ ନାରୀ ସ୍ୱାଧୀନତା ଆଡ଼କୁ ନେଇଯିବା ବଦଳରେ ଆମ ନେତାମାନେ ଓଲଟା ପରାଧୀନ ଆଡ଼କୁ ଠେଲି ଦେବାକୁ ଚାହୁଁଛନ୍ତି। ରବିବାର ମମତା ବାନାର୍ଜୀ ଦେଇଥିବା ମନ୍ତବ୍ୟରୁ ଏଭଳି ଜଣାପଡ଼ୁଛି। କାରଣ ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗରେ ହୋଇଥିବା ଜଣେ ଓଡ଼ିଆ ଛାତ୍ରୀଙ୍କ ଗଣଦୁଷ୍କର୍ମ ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଥମ ଥର ମୁହଁ ଖୋଲିଛନ୍ତି।

ଏଥିରେ ସେ ତାଙ୍କର ସରକାର ଉପରୁ ଦୋଷ ହଟାଇ ମହିଳାମାନଙ୍କୁ ରାତିରେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ମମତା କହିଛନ୍ତି,ଉକ୍ତ ଛାତ୍ରୀଙ୍କୁ ସୁରକ୍ଷା ଦେବା ମେଡିକାଲ କର୍ତ୍ତୃପକ୍ଷଙ୍କର ଦାୟିତ୍ୱ ଥିଲା। ଏଥିରେ ଆମ ସରକାରଙ୍କୁ ଅଯଥା ଟାଣିବା ଅନୁଚିତ। ତେବେ ରାତିରେ ଝିଅମାନଙ୍କୁ ଘରୁ ବାହାରିବାକୁ ଅନୁମତି ଦେବା ଉଚିତ ନୁହେଁ ବୋଲି ମମତା କହିଛନ୍ତି।
ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହିତ ଏଥିରେ ଯିଏ ବି  ସାମିଲ ଅଛନ୍ତି କାହାକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ମମତା। ସେ କହିଛନ୍ତି ବିଶେଷକରି, ରାତିରେ ଝିଅ ପିଲାକୁ ବାହାରକୁ ଆସିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। ସେମାନଙ୍କୁ ନିଜକୁ ମଧ୍ୟ ସୁରକ୍ଷା ଦେବାକୁ ପଡିବ। ଏହା ହତବାକ କଲା ଭଳି ଘଟଣ। ଏପରି ଅପରାଧ ପାଇଁ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି। ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ ଅନ୍ୟମାନଙ୍କୁ ଖୋଜୁଛି। କାହାକୁ ମଧ୍ୟ ଛଡାଯିବ ନାହିଁ।

ତେବେ ଘଟଣାକୁ ନେଇ ବାରମ୍ବାର ତାଙ୍କ ସରକାରଙ୍କୁ କାହିଁକି ଦାୟୀ କରାଯାଉଛି ବୋଲି ସେ କହିଛନ୍ତି। ଓଡ଼ିଶା ପୁରୀ ସମୁଦ୍ର କୂଳରେ ମଧ୍ୟ ଏଭଳି ଘଟଣା ଘଟିଥିଲା। ଏଥିରେ ଓଡ଼ିଶା ସରକାର କଣ କାର୍ଯ୍ୟାନୁଷ୍ଠାନ ନେଲେ ବୋଲି ମମତା ପ୍ରଶ୍ନ କରିଛନ୍ତି।

ସୂଚନା ଥାଉକି ଶୁକ୍ରବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜ୍‌ରେ ୨୩ ବର୍ଷୀୟା  ଓଡ଼ିଆ ଏମ୍‌ବିବିଏସ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ବୋଲି ତାଙ୍କ ବାପା କହିଛନ୍ତି। ଏବଂ ପଶ୍ଚିମବଙ୍ଗ ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ, ସେ ତାଙ୍କ ଝିଅକୁ ଓଡ଼ିଶା ନେଇଯିବେ ବୋଲି ମଧ୍ୟ କହିଛନ୍ତି। ଘଟଣାକୁ ନେଇ ବିଜେପି-ଟିଏମ୍‌ସି ମଧ୍ୟରେ ତୁତୁ ମେମେଁ ଜାରି ରହିଛି।