ନୂଆଦିଲ୍ଲୀ ୦୮।୦୮: ଅସନ୍ତୋଷ ନିଆଁରେ ଜଳୁଛି ବାଂଲାଦେଶ । ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ଘଟି ସାରିଛି । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଇସ୍ତଫା ଦେବା ପରେ ଛାଡିଛନ୍ତି ଦେଶ । ଏବେ ଭାରତରେ ନେଇଛନ୍ତି ଆଶ୍ରୟ । ଏସବୁ ମଧ୍ୟରେ ଚର୍ଚ୍ଚାକୁ ଆସିଛି ଶେଖ ହସିନାଙ୍କ ଶାଢୀ । ଏବେ ତାଙ୍କ ଶାଢୀ ଲକ୍ଷ ଲକ୍ଷ ଟଙ୍କା ହୋଇଥିବା ନେଇ ଚର୍ଚ୍ଚା । ତେବେ କଣ ରହିଛି ହସିନାଙ୍କ ଶାଢୀର ବିଶେଷତ୍ବ ? କାହିଁକି ଏତେ ଦାମ୍ ଏହି ଗୋଟିଏ ଶାଢୀର ଦାମ୍ ?
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ବର୍ତ୍ତମାନ ସମୟରେ ଦୁନିଆର ଏକମାତ୍ର ଏପରି ପ୍ରଧାନମନ୍ତ୍ରୀ ଯିଏକି ମୁଣ୍ଡରେ ଓଢଣା ଦେଇ ସମ୍ମାନର ସହ ଶାଢୀ ପିନ୍ଧିଥାନ୍ତି । ସେ ଦେଶରେ ରହିଥାନ୍ତୁ କିମ୍ବା ବିଦେଶରେ, ସବୁବେଳେ ସେ ଏକ ବିଶେଷ ପ୍ରକାରର ଶାଢୀ ପିନ୍ଧିଥାନ୍ତି । ଶେଖ ହସିନାଙ୍କ ଏହି ଶାଢୀ ହେଉଛି ଜାମଦାନୀ ସାଢୀ । ଯାହା ବାଂଲାଦେଶର ଢାକାରେ ବିଶେଷ ଭାବେ ତିଆରି କରାଯାଇଥାଏ । ଶେଖ ହସିନା ଏହାକୁ ସବୁବେଳେ ପିନ୍ଧିଥାନ୍ତି । ଲଗାତାର ଏହି ଜାମଦାନୀ ଶାଢୀକୁ ପିନ୍ଧିଥିବାରୁ ଶେଖ ହସିନା ଏହାର ବ୍ରାଣ୍ଡ ଆମ୍ବାସାଡର ହୋଇଯାଇଛନ୍ତି ।
ବାଂଲାଦେଶର ଜାମଦାନୀ ସାଢୀ ସାରା ବିଶ୍ୱରେ ପ୍ରସିଦ୍ଧ । ବିଶେଷକରି ଜାମଦାନୀ ସିଲ୍କ ଶାଢୀର ଚାହିଦା ବେଶ୍ ଅଧିକ । ରିପୋର୍ଟ ଅନୁଯାୟୀ ଏହାର ଦାମ୍ ଆକାଶଛୁଆଁ । ଏହି ଶାଢୀ କିଛି ହଜାରେ ଟଙ୍କାରୁ ଆରମ୍ଭ ହୋଇ ୧୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିଥାଏ ।
ତେବେ ଜାମଦାନୀ ଶାଢୀର ରହିଛି ଖୁବ୍ ବିଶେଷତ୍ବ । ଏହି ଶାଢୀ ଗୁଡିକ ମେସିନ୍ରେ ତିଆରି ହୋଇ ନଥାଏ । ଏଗୁଡିକକୁ ହାତରେ ବୁଣା ଯାଇଥାଏ । ଶାଢୀ ଗୁଡିକ କଟନ, କଟନ ସିଲ୍କ କିମ୍ବା ସିଲ୍କର ହୋଇଥାଏ । ଏହାକୁ GI ଟ୍ୟାଗ୍ ମଧ୍ୟ ମିଳିଛି । ଗୋଟିଏ ଶାଢୀକୁ ହାତରେ ତିଆରି କରିବାକୁ ପ୍ରାୟ ୨୦ ଦିନ ସମୟ ଲାଗିଯାଇଥାଏ ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ କେବଳ ଏହି ଶାଢୀ ପିନ୍ଧନ୍ତି ତା ନୁହେଁ ବରଂ ସେ ଦୁନିଆର ଯେକୌଣସି ସ୍ଥାନକୁ ଯାଆନ୍ତୁ ନା କାହିଁକି ସେ ଏହି ଶାଢୀକୁ ସମସ୍ତଙ୍କୁ ଉପହାର ଭାବେ ଦେଇଥାନ୍ତି । ଯେତେବେଳେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଥିଲେ, ସେତେବେଳେ ତାଙ୍କ ପତ୍ନୀଙ୍କ ପାଇଁ ଉପହାର ସ୍ୱରୂପ ଏହି ଶାଢୀ ଆଣୁଥିଲେ ଶେଖହସିନା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଜାମଦାନୀ ସାଢୀ ଆଣିଥିଲେ। କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ ସମୟରେ ତାଙ୍କୁ ଜାମଦାନୀ ସାଢୀ ଦେଇଥିଲେ ହସିନା ।
ଏହାବ୍ୟତୀତ ଯେତେବେଳେ ସୁଷମା ସ୍ୱରାଜ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ, ସେତେବେଳେ ଶେଖ ହସିନା ତାଙ୍କୁ ସାକ୍ଷାତ ସମୟରେ ଏକ ସ୍ୱତନ୍ତ୍ର ଜାମଦାନୀ ସାଢୀ ଉପହାର ଦେଇଥିଲେ । ଏହାର ପ୍ରତିବଦଳରେ ସୁଷମା ମଧ୍ୟ ଶେଖ ହସିନାଙ୍କୁ ଏକ ଗୋଲାପୀ ରଙ୍ଗର ରେଶମ ସାଢୀ ଉପହାର ଦେଇଥିଲେ। ଏପରି ଭାବେ ନିଜ ଦେଶର ହାତ ବୁଣା ଶାଢୀର ପ୍ରପୋଟ କରନ୍ତି ଶେଖ ହସିନା ।