ବାଂଲାଦେଶରେ ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ଶେଖ ହସିନାଙ୍କ ନିନ୍ଦା, କହିଲେ-ଏହା ଅନ୍ୟାୟ, ତୁରନ୍ତ ମୁକ୍ତ କରାଯାଉ

Published By : Prameya-News7 Bureau | November 28, 2024 IST

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ଦେଶରେ ହିନ୍ଦୁଙ୍କ ସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଇସ୍କନ ସହ ଜଡ଼ିତ ଚିନ୍ମୟ ଦାସଙ୍କ ଗିରଫଦାରୀକୁ ନିନ୍ଦା କରି ଏହା ଅନ୍ୟାୟ ବୋଲି ଶେଖ୍ ହସିନା କହିଛନ୍ତି । ଏହାସହ ଅନ୍ତରୀଣ ସରକାର ତାଙ୍କୁ ଶୀଘ୍ର ମୁକ୍ତ କରିବା ଦରକାର ବୋଲି ସେ କହିଛନ୍ତି । ବାଂଲାଦେଶରେ ଜାରି ମାନବାଧିକାର ଉଲ୍ଲଂଘନକୁ ନେଇ ଶେଖ୍ ହସିନା ନିଜ ପ୍ରତିକ୍ରିୟା ରଖିଛନ୍ତି । ଚଟ୍ଟଗ୍ରାମରେ ଆଇନଜୀବୀଙ୍କ ହତ୍ୟାରେ ସାମିଲ ସମସ୍ତ ଦୋଷୀଙ୍କ ପାଇଁ କଠୋର ଦଣ୍ଡ ଦାବି କରିଛନ୍ତି ।

ହସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଫେସ୍‌ବୁକ୍ ପୋଷ୍ଟରେ ଏକ ବୟାନ ଜାରି କରାଯାଇଛି । ଏଥିରେ ହସିନା କହିଛନ୍ତି ଯେ ସନାତନ ଧାର୍ମିକ ସଂସ୍ଥାର ଜଣେ ବଡ଼ ନେତାଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଛି, ତାଙ୍କୁ ମୁକ୍ତ କରାଯିବା ଦରକାର । ଏହା ବ୍ୟତୀତ ଚଟ୍ଟଗ୍ରାମରେ ଆଇନଜୀବୀଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଛି । ଏହି ଘଟଣାରେ ସାମିଲ ଲୋକ, ମଣିଷ ନୁହନ୍ତି ବରଂ ଆତଙ୍କବାଦୀ ଅଟନ୍ତି ।

ଶେଖ ହସିନା, ବର୍ତ୍ତମାନର ଅନ୍ତରୀଣ ସରକାରର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅସାମ୍ୱିଧାନିକ ପ୍ରକ୍ରିୟାରେ କ୍ଷମତା ହାତେଇଥିବା ଅନ୍ତରୀଣ ସରକାର ସବୁ ମୋର୍ଚ୍ଚାରେ ବିଫଳ । ଦୈନିନ୍ଦୀନ ଜୀବନରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣରେ ବିଫଳ ହେବା ସହ ବାଂଲାଦେଶୀ ନାଗରିକଙ୍କ ଜୀବନର ସୁରକ୍ଷା ସୁନିଶ୍ଚିତ କରିବାରେ ମଧ୍ୟ ବିଫଳ ହୋଇଛି । ଏବେ ଯଦି ଦୋଷୀଙ୍କୁ ଦଣ୍ଡ ନମିଳେ ତେବେ ଘୋର ମାନବାଧିକାର ଉଲ୍ଲଂଘନର ଦଣ୍ଡ ଭୋଗିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.