ସ୍ୱାତି ମାଲିୱାଲଙ୍କ ମାମଲାରେ କାହିଁକି ନିଆଯାଉନି ଆକ୍ସନ, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଉଠାଇଲେ ପ୍ରଶ୍ନ

Published By : Prameya-News7 Bureau | May 17, 2024 IST

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ସ୍ୱାତି ମାଲିୱାଲ ମାମଲାରେ ସାମ୍ୱାଦିକ ସମ୍ମିଳନୀ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍ କରିଛନ୍ତି । ନିର୍ମଳା ସୀତାରମଣ କହିଛନ୍ତି ଯେ ପୂରା ମାମଲାରେ ଏବେ ସୁଦ୍ଧା କାହିଁକି ଆକ୍ସନ ନିଆଯାଇ ନାହିଁ ? ସେ କହିଛନ୍ତି ଯେ ଜଣେ ମହିଳାଙ୍କ ସହ ଯେପରି ଭାବେ ଦୁର୍ବ୍ୟବହାର କରାଗଲା, ତାହା ଆଦୌ ଗ୍ରହଣୀୟ ନୁହେଁ । ସେ ଏହି ମାମଲାକୁ ମହିଳା ସୁରକ୍ଷାର ବଡ଼ ଘଟଣା ବୋଲି କହିଛନ୍ତି ।

ନିର୍ମଳା ସୀତାରମଣ ସାମ୍ୱାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଛନ୍ତି ଯେ ଏହି ମାମଲାରେ ବିଭବ କୁମାରଙ୍କ ଉପରେ ଅଙ୍ଗୁଳି ଉଠୁଛି । ପୀଡିତା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ରହିସାରିଛନ୍ତି, ତାଙ୍କ ସହ ଘଟଣା ଘଟୁଛି କିନ୍ତୁ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।

ନିର୍ମଳା ସୀତାରମଣ ଏହି ମାମଲାରେ ଦାୟୀ ବ୍ୟକ୍ତିଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି । ସେ କହିଛନ୍ତି ଏତେ ବଡ଼ ଘଟଣା ହେବା ସତ୍ତ୍ୱେ ଅଭିଯୁକ୍ତ ବ୍ୟକ୍ତିକୁ ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂରା ଘଟଣାକ୍ରମକୁ ନେଇ ଦେଶର ରାଜଧାନୀ ଦିଲ୍ଲୀର ମହିଳାଙ୍କ ମନରେ ଅନେକ ବଡ଼ ପ୍ରଶ୍ନ ଉଠୁଛି । ସେ କହିଛନ୍ତି ଯେ ଦିଲ୍ଲୀର ମହିଳାମାନେ ଚିନ୍ତା କରୁଛନ୍ତି ଯେ ଯେତେବେଳେ ସାଂସଦ ଏବଂ ଦିଲ୍ଲୀ ମହିଳା ଆୟୋଗର ଜଣେ ପୂର୍ବତନ ଅଧ୍ୟକ୍ଷଙ୍କ ସହ ଏପରି ଘଟଣା ଘଟୁଛି ତେବେ ଅନ୍ୟ ମହିଳାଙ୍କ ସହ କଣ ହୋଇପାରିବ । ଦିଲ୍ଲୀରେ ମହିଳାଙ୍କୁ କିପରି ସୁରକ୍ଷା ମିଳିପାରିବ । ନିର୍ମଳା ସୀତାରମଣ ଏହି ଅବସରରେ ଆମ୍ ଆଦମୀ ପାର୍ଟି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଆପ୍ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ଜଣେ ବି ମହିଳାଙ୍କୁ ଟିକଟ କାହିଁକି ଦେଲା ନାହିଁ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.