ନୂଆଦିଲ୍ଲୀ: ନିଟ୍-ୟୁଜି ପରି ପରୀକ୍ଷା ଆୟୋଜନାରେ କୌଣସି ପ୍ରକାର ତ୍ରୁଟିକୁ ଦରଦାସ୍ତ କରାଯିବନି ବୋଲି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଯଦି ଏଥିରେ କୌଣସି ପ୍ରକାର ଅବହେଳା କିମ୍ୱା ତ୍ରୁଟି ସାମନାକୁ ଆସେ ତେବେ ପରୀକ୍ଷା ଆୟୋଜନ କରୁଥିବା ଏଜେନ୍ସି ଏନଟିଏକୁ ଏଥିପାଇଁ ଉତ୍ତରଦାୟୀ କରାଯିବ । ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍ ବିବାଦ ଉପରେ କହିଛନ୍ତି ଯେ ଛାତ୍ରଙ୍କ ଚିନ୍ତାକୁ ନିରପେକ୍ଷ ଏବଂ ସମାନତା ସହ ସମାଧାନ କରାଯିବ ।
ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଟିପ୍ପଣୀ ଚଳିତ ବର୍ଷ ନିଟ୍ ୟୁଜି ଆୟୋଜନରେ କଥିତ ଅନିୟମିକତାକୁ ନେଇ ବିରୋଧୀଙ୍କ ସମାଲୋଚନା ଭିତରେ ସାମନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ବିରୋଧୀଙ୍କ ଉପରେ ଛାତ୍ରଙ୍କ ଭବିଷ୍ୟତ ସହ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ଏହାସହ କାଉନସିଲିଂ ପ୍ରକ୍ରିୟାକୁ ସମୟରେ ଆଗକୁ ବଢାଇବା ଜରୁରୀ ଅଟେ ବୋଲି କହିଛନ୍ତି ।
ମିଡିଆକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, 'ସରକାର ନିଟ୍ ପରୀକ୍ଷାର୍ଥୀ ହିତର ରକ୍ଷା ପାଇଁ ପ୍ରତିବଦ୍ଧ ଅଟେ । ମୁଁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ସରକାର ମେଡିକାଲ ପରୀକ୍ଷାର ଆୟୋଜନରେ କୌଣସି ପ୍ରକାର ଅନିୟମିତାତା ଏବଂ ଦୁର୍ନୀତିକୁ ଗ୍ରହଣ କରାଯିବ ନାହିଁ । ଏପରି କି ଜାଲିଆତି ଏବଂ ଅନିୟମିତତାରେ ସାମିଲ ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବ । ମନ୍ତ୍ରଣାଳୟ ଏନଟିଏକୁ ବି ଉତ୍ତରଦାୟୀ କରିବ । ଯଦି ଏଜେନ୍ସି ସ୍ତରରେ କୌଣସି ଭୁଲ ହୋଇଥିବା ଜଣାପଡ଼େ, ତେବେ ତାହା ଉପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଛାତ୍ରଛାତ୍ରୀଙ୍କ ଚିନ୍ତାକୁ ବିନା ଭେଦଭାବ ଏବଂ ସମାନତା ସହ ସମାଧାନ କରାଯିବ ।'
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୋହରାଇଛନ୍ତି ଯେ ଚଳିତ ବର୍ଷ ନିଟ୍-ୟୁଜି ପରୀକ୍ଷା ସମୟରେ ପେପର୍ ଲିକ୍ ଅଭିଯୋଗକୁ ପ୍ରମାଣିତ କରିବା ପାଇଁ କୌଣସି ପ୍ରମାଣ ନାହିଁ । ସେ ଶୁକ୍ରବାର କିଛି ନିଟ୍ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଭେଟିବା ସହ ସେମାନଙ୍କ ସମସ୍ୟା ଶୁଣିଥିଲେ । କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ନିଟ୍ –ୟୁଜି ପରୀକ୍ଷା ୪୫୦୦ରୁ ଅଧିକ କେନ୍ଦ୍ରରେ ଆୟୋଜନ କରାଯାଇଥିଲା । ସେଥିରୁ କେବଳ ଛଅ ପରୀକ୍ଷା କେନ୍ଦ୍ରରେ ହିଁ ଭୁଲ ପ୍ରଶ୍ନ ବଣ୍ଟାଯାଇଥିବା ସୂଚନା ମିଳିଥିଲା ।