LIVE TV

ପନ୍ନା ଖଣିରୁ ବାହାରିଛି ବିଶ୍ୱର ଦ୍ୱିତୀୟ ‘କୋହିନୁର’! ହାତକୁ ଆସିବାମାତ୍ରେ ୧୫୦ କ୍ୟାରେଟ ହୀରା ଗାୟବ

NEWS7
gfx

ପନ୍ନା ୧୯।୯: ବିଶ୍ୱର ସବୁଠୁ ମୂଲ୍ୟବାନ ‘କୋହିନୁର’ ଭଳି ହୀରା ମଧ୍ୟପ୍ରଦେଶର ପନ୍ନା ହୀରା ଖଣିରୁ ବାହାରିଥିବା ଦାବି କରାଯାଉଛି। ତେବେ ହୀରା ହାତକୁ ଆସିବାମାତ୍ରେ ଖଣି ପାର୍ଟନରଙ୍କ ଉଦ୍ଦେଶ୍ୟ ବଦଳି ଯାଇଥିଲା ଓ ସେ ଏହାକୁ ରାତାରାତ ଗାୟବ କରିଦେଇଛନ୍ତି। ପୋଲିସ ଓ ହୀରା କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗରେ ଖଣି ସଞ୍ଚାଳକ ଏହା କହିଛନ୍ତି। ହାତ ପାପୁଲିରେ ଥିବା ୧୫୦ କ୍ୟାରେଟ ହୀରାର ଫଟୋ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶ ମେହେରର ବାସିନ୍ଦା ଜୟବାହାଦୂର ସିଂହ ପନ୍ନା ହୀରା କାର୍ଯ୍ୟାଳୟ ଓ ପୋଲିସରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ତାଙ୍କ କୃଷ୍ଣ କଲ୍ୟାଣପୁର ଷ୍ଟ୍ରିପ୍ ହୀରା ଖଣିରୁ ୧୫୦ କ୍ୟାରେଟ ହୀରା ବାହାରିଥିଲା। ଏହି ହୀରା ତାଙ୍କ ପାର୍ଟନର ଦୟାରାମ ପଟେଲଙ୍କ ପାଖରେ ଅଛି। ଜୟବାହାଦୂର ହୀରାକୁ ହାତ ପାପୁଲିରେ ରଖି ଫଟୋ ଉଠାଇଥିଲେ ଓ ଅନ୍ୟ ଜଣେ ପାର୍ଟନରଙ୍କ ପାଖକୁ ମଧ୍ୟ ପଠାଇଥିଲେ। ଏହି ମାମଲାର ଯାଞ୍ଚକରି ହୀରା ଫେରାଇ ଆଣିବାକୁ ସେ ଦାବି କରିଛନ୍ତି।

ଜୟବାହାଦୂରଙ୍କ ଅନୁସାରେ ସେ ଫେବୃଆରୀ ମାସରେ ହୀରା ଖଣି ପଟ୍ଟା କରିଥିଲେ। ଏଥିରେ ତାଙ୍କ ସହ ଅନ୍ୟ ପାର୍ଟନର ମଧ୍ୟ ସାମିଲ ହୋଇଥିଲେ। ପାଖାପାଖି ୬ ମାସପରେ ତାଙ୍କ ଖଣିରୁ ସବୁଠୁ ବଡ଼ ହୀରା ବାହାରିଥିଲା। ତେବେ ଦୟାରାମ ଏହାକୁ ଗାୟବ କରିଦେଇଥିବା ବେଳେ ତାଙ୍କ ସମ୍ପର୍କୀୟଙ୍କ ନାମରେ ନୂଆ ହୀରାଖଣି ପଟ୍ଟା କାଢିବାକୁ ଉଦ୍ୟମ କରୁଥିବା ଜୟବାହାଦୂର ଅଭିଯୋଗ କରିଛନ୍ତି। ଯାହା ଦ୍ୱାରା ସେ ନିଜ ନାମରେ ହୀରାକୁ କାର୍ଯ୍ୟାଳୟରେ ଜମା କରିପାରିବେ।

ପନ୍ନା ଖଣି ଇତିହାସରେ କେବେବି ୧୫୦ କ୍ୟାରେଟର ହୀରା ବାହାରି ନାହିଁ। ଯଦି ଜୟବାହଦୂରଙ୍କ ଦାବି ସତ୍ୟ ହୁଏ ତେବେ ଏହା ଏପର୍ଯ୍ୟନ୍ତ ବାହାରିଥିବା ସବୁଠୁ ବଡ଼ ହୀରା। ଉଲ୍ଲେଖଯୋଗ୍ୟ ଯେ ପନ୍ନା ହୀରା ଖଣିରୁ ଏ ପର୍ଯ୍ୟନ୍ତ ୨ଟି ବଡ଼ ହୀରା ବାହାରିଛି। ଏଥିରୁ ୪୨ କ୍ୟାରେଟର ହୀରା ନିଲାମରେ ୨ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହା ପୂର୍ବରୁ ୧୯୬୧ ମସିହାରେ ୪୪ କ୍ୟାରେଟ୍ ୫୫ ସେଣ୍ଟର ହୀରା ବାହାରି ଥିଲା।

ପାଖାପାଖି ୮୦୦ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶର ଗୋଲକୁଣ୍ଡା ହୀରା ଖଣିରୁ କୋହିନୁର ହୀରା ବାହାରିଥିଲା। ଖଣିରୁ ବାହାରିବା ବେଳେ କଞ୍ଚା ହୀରାର ଓଜନ ୧୮୬ କ୍ୟାରେଟ ଥିଲା। ପରେ ଏହାକୁ ଦୁଇ ଥର ପଲିସ କରାଯାଇଛି ଓ ଏହାର ବର୍ତ୍ତମାନ ଓଜନ ୧୦୫.୬ କ୍ୟାରେଟ ରହିଛି। ଏହା ଏ ପର୍ଯ୍ୟନ୍ତ ଖଣିରୁ ବାହାରିଥିବା ସବୁଠୁ ବଡ଼ ହୀରା ବୋଲି କୁହାଯାଉଛି। ଯଦି ପନ୍ନାରୁ ବାସ୍ତବରେ ୧୫୦ କ୍ୟାରେଟର ହୀରା ବାହାରି ଥାଏ ଏହା ଭାରତୀୟ ଖଣିରୁ ବାହାରିଥିବା ଦ୍ୱିତୀୟ ସବୁଠୁ ବଡ଼ ହୀରା ହେବ। ତେବେ ଏହାର କ୍ୱାଲିଟି ଓ ମୂଲ୍ୟ ଯାଞ୍ଚ ପରେ ଜଣାପଡିବ।