LIVE TV

ଜାତିସଂଘ ଏଇଠି ଶୋ’ ରୁମ୍ ଖୋଲି ରଖିଛି; ଶରଣାର୍ଥୀ ମାମଲାରେ ବର୍ଷିଲେ ସୁପ୍ରିମକୋର୍ଟ

NEWS7
SUPREME COURT

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଜାତିସଂଘର ଏଜେନ୍ସି ଦ୍ୱାରା ଭାରତରେ ପ୍ରବାସୀଙ୍କୁ ଶରଣାର୍ଥୀ କାର୍ଡ ଜାରି କରିବା ପ୍ରକ୍ରିୟା ଉପରେ କଡ଼ା ଟିପ୍ପଣୀ କରିଛନ୍ତି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ସେମାନେ ଏଠାରେ ଶୋରୁମ୍ ଖୋଲି ରଖିଛନ୍ତି ଓ ପ୍ରମାଣପତ୍ର ବାଣ୍ଟୁଛନ୍ତି । ୨୦୧୩ରୁ ସୁଦାନର ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ଏହି ଟିପ୍ପଣୀ କରିଛନ୍ତି ।

ଲାଇଭ୍ ଲର ରିପୋର୍ଟ ଅନୁସାରେ, ଆବେଦନକାରୀ କହିଥିଲେ ଯେ ତାଙ୍କ ପତ୍ନୀ ଓ ପିଲାଙ୍କୁ ଜାତିସଂଘ ଶରଣାର୍ଥୀ ଉଚ୍ଚାୟୁକ୍ତ (UNHCR) ଦ୍ୱାରା ଶରଣାର୍ଥୀ କାର୍ଡ ଜାରି କରାଯାଇଛି । ତାଙ୍କ କହିବା କଥା ଯେ ସେ ଅଷ୍ଟ୍ରେଲିଆରେ ଶରଣ ନେବା ପ୍ରକ୍ରିୟାରେ ଅଛନ୍ତି ଓ ଏହି ଅବଧିରେ ଭାରତରେ ସୁରକ୍ଷା ପ୍ରଦାନ କରାଯିବା ଦରକାର ।

ଆବେଦନକାରୀଙ୍କ ପାଇଁ ବରିଷ୍ଠ ଓକିଲ୍ ଏସ୍.ମୁରଲୀଧର ଯୁକ୍ତି ରଖିଥିଲେ ଯେ ଯେଉଁ ବ୍ୟକ୍ତିମାନଙ୍କୁ UNHCRରୁ କାର୍ଡ ମିଳିଛି, ସେମାନଙ୍କୁ ଗୃହ ମନ୍ତ୍ରଣାଳୟ ଓ ବିଦେଶୀ ନାଗରିକ ପଞ୍ଜୀକରଣ କାର୍ଯ୍ୟାଳୟ ଦ୍ୱାରା ଭିନ୍ନ ଭାବରେ ଦେଖାଯାଇଥାଏ । ମୁରଲୀଧର ଏହା ମଧ୍ୟ କହିଥିଲେ ଯେ ରିଫ୍ୟୁଜି କାର୍ଡ ଜାରି କରିବା ପୂର୍ବରୁ କଡ଼ା ଯାଞ୍ଚ କରାଯାଇଥାଏ ଓ ଏହି ପ୍ରକ୍ରିୟା ଅନେକ ବର୍ଷ ଯାଏ ଚାଲିଥାଏ । ସେ କହିଥିଲେ, "ଏଥିପାଇଁ ଦସ୍ତାବିଜ ଓ ଫର୍ମ ଦାଖଲ କରାଯାଇଥାଏ, ଯାହା ରିଫ୍ୟୁଜି ସ୍ଥିତିକୁ କିଛି ମହତ୍ୱ ଦେଇଥାଏ ।"

ତେବେ ଏହା ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ କଡ଼ା ଟିପ୍ପଣୀ କରି କହିଥିଲେ, "ସେମାନେ (ଜାତିସଂଘ ଏଜେନ୍ସି) ଏଠାରେ ଶୋ ରୁମ୍ ଖୋଲି ରଖିଛନ୍ତି, ସେମାନେ ପ୍ରମାଣପତ୍ର ଜାରି କରୁଛନ୍ତି...ଆମେ ସେମାନଙ୍କ ଉପରେ କୌଣସି ଟିପ୍ପଣୀ କରିବାକୁ ଚାହୁଁନୁ ।" ଜଷ୍ଟିସ୍ ବାଗଚୀ ଏହା ମଧ୍ୟ କହିଥିଲେ ଯେ ଭାରତ ଏବେ ସୁଦ୍ଧା ଶରଣାର୍ଥୀଙ୍କ ଅଧିକାର ସହ ଜଡିତ ଅନ୍ତର୍ଜାତୀୟ ସନ୍ଧି ଅର୍ଥାତ୍ ରିଫ୍ୟୁଜି କନଭେନସନ୍ ଉପରେ ଦସ୍ତଖତ କରି ନାହିଁ । ସେ ସ୍ପଷ୍ଟ କରିଥିଲ, ଆମ ଦେଶର ଅନ୍ତର୍ଜାତୀୟ ଆଇନରେ ଶରଣାର୍ଥୀଙ୍କ ପାଇଁ କୌଣସି ବୈଧାନିକ ଅଧିକାର ନାହିଁ ।

ମୁରଲୀଧର ସ୍ୱୀକାର କରିଥିଲେ ଯେ ଭାରତ ସେହି ସନ୍ଧି ଉପରେ ଦସ୍ତଖତ କରିନାହିଁ, କିନ୍ତୁ ଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀରେ ଆଫ୍ରିକୀୟ ଲୋକଙ୍କୁ ବିନା କାରଣରେ ଅଟକ ରଖାଯାଉଛି । ସେ କହିଥିଲେ, "ଏହା ପ୍ରକୃତରେ ଭୟ ଓ ଆଶଂକାର ବିଷୟ ଅଟେ...ଆମେ ଅଷ୍ଟ୍ରେଲିଆରେ ଶରଣ ପାଇଁ ଅପେକ୍ଷା କରିଛୁ ଓ ଏହା ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।"