ନୂଆଦିଲ୍ଲୀ: ରିଲାଏନ୍ସ ପାଉଣ୍ଡେସନର ପ୍ରାଣୀ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ‘ବନତାରା’ରେ ପଶୁପକ୍ଷୀମାନଙ୍କ ସହିତ କାର୍ଯ୍ୟକଳାରେ ଅନିୟମିତତାର ଅଭିଯୋଗ ଆସିଛି। ଏହି ଅଭିଯୋଗଗୁଡ଼ିକର ତଦନ୍ତ ପାଇଁ ଏକ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟର ଜାମନଗରରେ ରହିଛି ଏହି ଓ୍ୱାଇଲ୍ଡ ଲାଇଫ୍ ସେଣ୍ଟର । ବନତାରାରେ ବେଆଇନ ଭାବରେ ପଶୁ କିଣାଯାଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଆବେଦନରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ପୁନର୍ବାସ ନାମରେ ହାତୀ, ପକ୍ଷୀ ଏବଂ ଅନ୍ୟାନ୍ୟ ସଂରକ୍ଷିତ ପ୍ରଜାତିକୁ ଚୋରା ଚାଲାଣ କରାଯାଇ ବନତାରାକୁ ଅଣାଯାଇଛି ।
ଜଷ୍ଟିସ୍ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍ ପ୍ରସନ୍ନ ବି ଭାରାଲଙ୍କ ଖଣ୍ଡପୀଠ SIT ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତିଙ୍କ ନେତୃତ୍ୱରେ ଏକ SIT ଗଠନ କରାଯିବ। ସେପ୍ଟେମ୍ବର ୧୨ ସୁଦ୍ଧା ଏହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ SITକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ସେପ୍ଟେମ୍ବର ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ । ୪ ସଦସ୍ୟଙ୍କୁ ନେଇ ଗଠିତ SIT ବନ୍ୟପ୍ରାଣୀ ସୁରକ୍ଷା ଆଇନ, ଅନ୍ତର୍ଜାତୀୟ ବାଣିଜ୍ୟ ନିୟମ, ପଶୁ କଲ୍ୟାଣ ଏବଂ ପରିବେଶ ନିୟମ ପାଳନ ଓ କାର୍ଯ୍ୟକଳାପର ତଦନ୍ତ କରିବ।
ଅନ୍ୟପଟେ ଏହି ମାମଲାରେ ବନତାରା ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । କୁହାଯାଇଛି- ଆଇନ ଏବଂ ସ୍ୱଚ୍ଛତା ପାଳନ କରିବାକୁ ଆମେ ପ୍ରତିବଦ୍ଧ । ତଦନ୍ତରେ ପୂର୍ଣ୍ଣ ସହଯୋଗ କରାଯିବ। ଭବିଷ୍ୟତରେ ମଧ୍ୟ ପଶୁମାନଙ୍କ ଉଦ୍ଧାର ଏବଂ ପୁନର୍ବାସ ପାଇଁ କାର୍ଯ୍ୟ ଜାରି ରଖାଯିବ ।
SIT ଗଠନ ସମ୍ପର୍କରେ ବନତାରା କର୍ତ୍ତୃପକ୍ଷ କହିଛନ୍ତି, 'ଆମେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ଣ୍ଣ ସମ୍ମାନ କରୁ । ବନତାରା ସ୍ୱଚ୍ଛତା, ସହଯୋଗ ଏବଂ ଆଇନର ଅନୁପାଳନ ପାଇଁ ଉତ୍ସର୍ଗୀକୃତ। 'ଆମର ଲକ୍ଷ୍ୟ ହେଉଛି ପଶୁମାନଙ୍କ ଉଦ୍ଧାର ଏବଂ ପୁନର୍ବାସ । ଆମେ SITର ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବୁ ଏବଂ ଭବିଷ୍ୟତରେ ମଧ୍ୟ ସମ୍ପୂର୍ଣ୍ଣ ଗମ୍ଭୀରତାର ସହିତ କାମ କରିବୁ।'