ରିୟାଦ ୫।୯: ସାଉଦୀ ଆରବ ସେନା ଚୀନ୍‌ ନିର୍ମିତ ଲେଜର ୱିପନ ସିଷ୍ଟମକୁ ‘ମହା ଘଟିଆ’ ବୋଲି କହିଛି। ସାଉଦୀ ଆରବ ସେହି ଦେଶଙ୍କ ମଧ୍ୟରେ ପ୍ରଥମ ଥିଲା ଯିଏ ଚୀନଠୁ ଲେଜର ଗାଇଡେଡ ଏୟାର ଡିଫେନ ସିଷ୍ଟମ କିଣିଥିଲା। ଯଦିଓ ସାଉଦୀ ଆରବ ଆମେରିକୀୟ ପାଟ୍ରିୟଟ ଏୟାର ଡିଫେନ୍ସ ସିଷ୍ଟମ ବ୍ୟବହାର କରୁଛି ତଥାପି ଚୀନ୍ ଠାରୁ ସ୍ୱାର୍ମ ଡ୍ରୋନ ଆକ୍ରମଣର ମୁକାବିଲା ନିମନ୍ତେ ଏହି ଲେଜର ଗାଇଡେଡ ଡିଫେନ୍ସ ସିଷ୍ଟମ କିଣିଥିଲା। ହେଲେ ପ୍ରଥମ ପରୀକ୍ଷଣରେ ଏହା ବିଫଳ ହୋଇଛି।

ସାଉଦୀ ଆରବ ଫେବୃଆରୀ ୨୦୨୪ରେ ଚୀନ୍ ଠାରୁ ସ୍କାଏ ସିଲ୍ଡ ଇଣ୍ଟିଗ୍ରେଟେଡ ଆଣ୍ଟି ଡ୍ରୋନ ସିଷ୍ଟମ କିଣିଥିଲା। ଏବେ ଏହାର ପରୀକ୍ଷଣ ହୋଇଥିବା ବେଳେ ତାହା ବିଫଳ ହୋଇଛି। ଚୀନ୍‌ ର ଏହି ଲେଜର ଏୟାର ଡିଫେନ୍ସ ସିଷ୍ଟମରେ ଡ୍ରୋନ ରାଡାର, ଜାମିଂ ଭେଇକଲସ୍ ଓ ଚୀନ୍ ଇଲେକ୍ଟ୍ରୋନିକ୍ସ ଟେକ୍ନୋଲଜି ଗ୍ରୁପ କର୍ପୋରେସନ (ସିଇଟିସି)ର ସାଇଲେଣ୍ଟ ହଣ୍ଟର ଲେଜର ଡାଇରେକ୍ଟେଡ ଏନର୍ଜୀ ୱିପନ ମଧ୍ୟ ରହିଛି।

ପ୍ରାରମ୍ଭିକ ଟେଷ୍ଟ କାଳରେ ଡ୍ରୋନ ଆକ୍ରମଣ ସାମ୍ନାରେ ଏହି ଏୟାରଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଠିକ୍ ଭାରତର ଅପରେସନ ସିନ୍ଦୂର କାଳରେ ଯେପରି ପାକିସ୍ତାନୀ ଏୟାର ଡିଫେନ୍ସ ସିଷ୍ଟମ ବିଫଳ ହୋଇଥିଲା । ଏଠାରେ ମଧ୍ୟ ଠିକ୍ ସେହିପରି ପରିସ୍ଥିତି ଉପୁଜିଛି। ଏଣୁ ସାଉଦୀ ଆରବ ସେନା ଏବେ ଲେଜର ଡିଫେନ୍ସ ସିଷ୍ଟମର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି। ରିପୋର୍ଟ ଅନୁସାରେ ପରୀକ୍ଷଣ କାଳରେ ଲେଜର ଡିଫେନ୍ସ ସିଷ୍ଟମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସାଇଲେଣ୍ଟ ହଣ୍ଟର ଲେଜର ଅପରେସନାଲ ଅବସ୍ଥାରେ ଫେଲ ହୋଇଯାଇଥିଲା।

ସାଉଦୀ ଆରବର ଜନୈକ ପୂର୍ବତନ ସାମରିକ ଅଧିକାରୀ ଯାହାଙ୍କ ଉପରେ ଏହି ପ୍ରୋଜେକ୍ଟର ଦାୟିତ୍ୱ ନ୍ୟସ୍ତ ଥିଲା ସେ କହିଛନ୍ତି ଯେ ପ୍ରଦର୍ଶନ କାଳରେ ଯେପରି ଦାବି ସବୁ କରାଯାଇଥିଲା ଓ ଯେଉଁ କ୍ଷମତା  ପ୍ରଦର୍ଶିତ କରା ଯାଇଥିଲା ବାସ୍ତବ ମୁତୟନ କାଳରେ ଏହା ଖୁବ୍ କମ୍ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ଯେ ଏକ ଡ୍ରୋନକୁ ଆକାଶରୁ ଖସାଇବା ପାଇଁ ୧୫ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ଲଗାତାର ଲେଜର ଟାର୍ଗେଟ୍ କରାଯାଇଥିଲା। ଯଦି ଏତିକି ସମୟ ଲାଗେ ତେବେ ସେତିକିରେ ଶତ୍ରୁର ଡ୍ରୋନ ଏୟାରଡିଫେନ୍ସ ସିଷ୍ଟମକୁ ନଷ୍ଟ କରିସାରିଥିବ।

ସେ କହିଛନ୍ତି ଯେ ସାଉଦୀ ଆରବର ଉଡୁଥିବା ଧୁଳି ଓ ବାଲି ଲେଜର ଡିଫେନ୍ସ ସିଷ୍ଟମର ଅପ୍ଟିକାଲ ଟ୍ରାକିଂକୁ ବିଫଳ କରିଛି। ଫଳରେ ଲେଜର ବିମର ଶକ୍ତିକୁ ଦୁର୍ବଳ କରିଥିଲା। ଏହା ଛଡା ମରୁଭୂମି ତାପମାତ୍ରାରେ ସିଷ୍ଟମ ଅଧିକ ପାୱାର କୁଲିଂ ଆବଶ୍ୟକ କରିଥିଲା। ଏଣୁ ମେସିନର ଲେଜର ଫାୟରିଂ କ୍ଷମତା ହ୍ରାସ ହୋଇଥିଲା। ତେବେ ଚୀନର ଦାବି ହେଉଛି ତାର ସ୍କାଏ ସିଲ୍ଡ ଲେଜର ଏୟାରଡିଫେନ୍ସ ସିଷ୍ଟମ ଆଣ୍ଟି ଡ୍ରୋନ ରାଡାର ସହିତ ହାର୍ଡ କିଲ୍ ଓ ସଫ୍ଟ କିଲ୍ ଦୁଇ ପ୍ରକାରର ଅପସନ ଦେଇଥାଏ। ଏହାର ଏକ ବ୍ୟାଟେରୀରେ ୪ଟି ଭେଇକଲ ଥାଏ।

ଏଥିରେ ଏକ ଥ୍ରୀ-ଡି ଟିଡବ୍ଲୁଏ ରାଡାର, ଏକ ଆକ୍ଟିଭ ଇଲକ୍ଟ୍ରନିକାଲୀ ସ୍କାନଡ୍ ଏରେ (ଏଇଏସଏ)  ଡ୍ରୋନ ରୋଧୀ ରାଡାର ସହିତ ୩ ସାଇଡ ଫେସିଂ ପ୍ୟାନେଲ ଥାଏ। ଏହି ପ୍ୟାନେଲ ୩୬୦ ଡିଗ୍ରି କଭରେଜ ଦେଇଥାଏ। ଏହା ଛଡା ଦୁଇଟି ଜେଏନ ୧୧୦୧ ଡ୍ରୋନ ରୋଧୀ ଜାମିଙ୍ଗ ବାହନ, ଯେଉଁଥିରେ ଅବରୋଧ ଓ ଇଲେକ୍ଟ୍ରୋନିକ ଜାମିଂ ଉଭୟ କ୍ଷମତା ରହିଛି। ସେହିପରି ବାହନରେ ଡ୍ରୋନକୁ ସିଧା ନଷ୍ଟ କରିବା ପାଇଁ ସାଇଲେଣ୍ଟ ହଣ୍ଟର ଲେଜର ଡାଇରେକ୍ଟେଡ  ଏନର୍ଜୀ ୱିପନ ମଧ୍ୟ ରହିଛି। ଏହି ରାଡାର ଜାମିଂ ଓ ଲେଜର ଉଭୟ ଇଣ୍ଟିଗ୍ରେଟେଡ ହୋଇ ଏକ ଢାଲରେ ପରିବର୍ତ୍ତିତ ହୁଏ। ହେଲେ ସାଉଦୀ ଆରବରେ ଏହା ବିଫଳ ହୋଇଛି।