ପୁରୀ ୩।୫: ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ନାମିତ ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଚିଠି ଲେଖିଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚିଠିରେ ଉଲ୍ଲେଖ କରିଛନ୍ତି ସୁଦର୍ଶନ । ସେ ଚିଠିରେ ଲେଖିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହା ଲୋକଲୋଚନକୁ ଆସିଛି ଯେ ଦୀଘାରେ ନୂଆ କରି ଉଦ୍ଘାଟିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଭାବରେ ଉଲ୍ଲେଖ କରାଯାଉଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଏକ ନୂଆ ମନ୍ଦିର ନିର୍ମାଣ ପ୍ରକୃତରେ ପ୍ରଶଂସନୀୟ କିନ୍ତୁ ଏହାକୁ ‘ଜଗନ୍ନାଥ ଧାମ’ ଭାବେ ଉଲ୍ଲେଖ କରିବା ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେଇଛି । ଶାସ୍ତ୍ର ଅନୁସାରେ କେବଳ ଗୋଟିଏ ସ୍ୱୀକୃତ ‘ଜଗନ୍ନାଥ ଧାମ’ ଅଛି ଯାହା ପୁରୀରେ ଅବସ୍ଥିତ । ଏହାକୁ ଅନ୍ୟ କୌଣସି ସ୍ଥାନ ପାଇଁ ବ୍ୟବହାର କରିବା ଧାର୍ମିକ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ । ଏହା ହିନ୍ଦୁ ଧର୍ମର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟକୁ କୁଠାରଘାତ କରିପାରେ ।
ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଭକ୍ତି ଏବଂ ସମୃଦ୍ଧ ଜଗନ୍ନାଥ ସଂସ୍କୃତିକୁ ସଂରକ୍ଷଣ କରିବା ପାଇଁ ଆନ୍ତରିକ ପ୍ରୟାସକୁ ସ୍ୱୀକୃତି ଦିଆଯାଇଛି । ଏ ବିଷୟ ପ୍ରତି ଆପଣ ଧ୍ୟାନ ଦେବାକୁ ବିନମ୍ରତାର ସହିତ ଅନୁରୋଧ କରୁଛି ଏବଂ ଆପଣ ଏହି ବିଷୟରେ ବିଚାର କରନ୍ତୁ ।
You Can Read:
ଓଡ଼ିଶା ସୀମାନ୍ତରେ ଏନ୍କାଉଣ୍ଟର, ଜଣେ ମାଓବାଦୀ ନିହତ