ଭୁବନେଶ୍ବର ୯।୧୨: ବଢ଼ିବ ବିଧାୟକ ଓ ମନ୍ତ୍ରୀ ଦରମା । ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ହେବ । ଆଜି ବିଧାୟକ, ମନ୍ତ୍ରୀ, ଉପ ବାଚସ୍ପତି, ବାଚସ୍ପତି ଓ ପୂର୍ବତନ ବିଧାୟକ ମାନଙ୍କର ବଢ଼ିବ ଦରମା, ଭତ୍ତା ଓ ପେନସନ । ବିଧାନସଭାରେ ଏ ନେଇ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୂର୍ବରୁ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ନେଇ ଅନେକ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଓଡ଼ିଶାର ବିଧାୟକ ମାନଙ୍କୁ ଦରମା  ୩୫ ହଜାର ଟଙ୍କା, ବିଭିନ୍ନ ଭତ୍ତା ବାବଦକୁ ୬୫ ହଜାର ଟଙ୍କା ମିଳୁଛି । ଯେଉଁଥିରେ କନଭେୟାନସ ପାଇଁ ୧୫ ହଜାର, ମେଡିକାଲ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର ଟଙ୍କା ମିଳୁଛି । ବିଧାନସଭା କମିଟି ଦରମା ଓ ଭତ୍ତା ବୃଦ୍ଧି କରିବାକୁ ସୁପାରିସ କରିଥିଲା । ଯାହା କି ସରକାରଙ୍କ ବିଚାରାଧୀନ ରହିଛି । ତେଣୁ ଶୀତ ଅଧିବେଶନରେ ଏନେଇ  ଗୃହରେ ଆଇନ ଆଣି କାର୍ଯ୍ୟକାରୀ କରିବାକୁ ଦାବି ହୋଇଥିଲା । କମିଟିର ଅଧ୍ୟକ୍ଷ କହିଥିଲେ ଏନେଇ ସରକାର ବିଚାର କରୁଛନ୍ତି । ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ ।

​​​​​​​

୨୦୧୭ ମସିହାରେ ଶେଷ ଥର ପାଇଁ ବଢିଥିଲା ବିଧାୟକମାନଙ୍କ ଦରମା l ପୂର୍ବତନ ବିଧାୟକ ମାନେ ୩୦ ହଜାର ଟଙ୍କା ପେନସନ ପାଉଛନ୍ତି । ତେଣୁ ବହୁ ପୂର୍ବତନ ବିଧାୟକ ନାନା ଅସୁବିଧାରେ ଥିବାରୁ ଏଥର ଅଧିବେଶନରେ ସରକାର ସେମାନଙ୍କ ଦୁଃଖ ବୁଝିବେ କି ନାହିଁ ତାହା ଉପରେ ସଭିଁଙ୍କ ନଜର ।