ମସ୍କୋ ୫।୧୦: ଋଷିଆ ସେହିସବୁ ରିପୋର୍ଟକୁ ଖାରଜ କରିଦେଇଛି ଯେଉଁଥିରେ ଦାବି କରାଯାଇଥିଲା ପାକିସ୍ତାନକୁ ଜେଏଫ-୧୭ ଥଣ୍ଡର ବ୍ଲକ-୩ ଲାଗି ଆରଡି-୯୩ଏମଏ ଇଞ୍ଜିନ ଯୋଗାଣ କରିବ। ୱିଅନର ଏକ ରିପୋର୍ଟରେ କୁହାଯାଇଛି ଯେ ଋଷିଆ ଏପରି କୌଣସି କାରବାରର ପୁଷ୍ଟି କରି ନାହିଁ। ଏକ ଋଷୀୟ ସୂତ୍ର ଅନୁସାରେ କୁହାଯାଇଛି ଯେ ଋଷିଆ ପାକିସ୍ତାନକୁ ଆରଡି-୯୩ଏମଏ ଇଞ୍ଜିନ ଯୋଗାଣ ରିପୋର୍ଟକୁ ଖାରଜ କରିଦେଇଛି।

ଯେଉଁମାନେ ଋଷିଆ ଓ ଭାରତ ମଧ୍ୟରେ ବଡ ଡିଲ ଉପରେ ନଜର ରଖନ୍ତି ସେମାନଙ୍କ ଲାଗି ଏହି ଦାବି ତାର୍କିକ ଲାଗୁ ନାହିଁ। ସେମାନେ କହିଛନ୍ତି ଯେ ପାକିସ୍ତାନ ସହିତ ଋଷିଆର ସେପରି କୌଣସି ଗଭୀର ସମ୍ପର୍କ ନାହିଁ, ଯେଉଁଥି ଲାଗି ଭାରତ ଅସହଜ ଅନୁଭବ କରିବ। ତେବେ କିଛି ଲୋକେ ଋଷିଆ ଓ ଭାରତ ମଧ୍ୟରେ ହେବାକୁ ଥିବା ସହଯୋଗକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ସୂତ୍ର କହିଛନ୍ତି। ଖାସ କରି ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ଏପରି ଗୁଜବ ରଟା ଯାଉଥିବା ସେକହିଛନ୍ତି।

ନିକଟରେ ଆଇଡିଆରଡବ୍ଲୁ ରିପୋର୍ଟରେ ବଡ଼ ଦାବି କରାଯାଇଥିଲା। ରିପୋର୍ଟରେ କୁହାଯାଇଥିଲା ଯେ ପାକିସ୍ତାନକୁ ଋଷିଆ ଜେଏଫ-୧୭ ଥଣ୍ଡର ଫାଇଟର ଜେଟ୍ ରେ ବ୍ୟବହାର ହେଉଥିବା ଇଞ୍ଜିନ ଦେବାକୁ ନିଷ୍ପତ୍ତି ନେଇଛି। ଉଲ୍ଲେଖଯୋଗ୍ୟ ଯେ ଜେଏଫ-୧୭ ଏକ ୪.୫ପିଢୀର ଷ୍ଟିଲଥ ଫାଇଟର ଜେଟ୍। ଏହାକୁ ପାକିସ୍ତାନ ଓ ଚୀନ ମିଳିତ ନିର୍ମାଣ କରୁଛନ୍ତି। ଏହା ପାକିସ୍ତାନ ବାୟୁସେନାର ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ, ଏଥିରେ ପାକିସ୍ତାନ ନିକଟରେ ୧୫୦ରୁ ଅଧିକ ଫାଇଟର ଜେଟ୍ ରହିଛି।

ଏହି ବିମାନରେ ଋଷିଆର ଆରଡି ୯୩-ଏମଏ ଇଞ୍ଜିନ ଲାଗିଛି। ଏହି କାରଣରୁ ପାକିସ୍ତାନ ବାୟୁସେନା ଆଧୁନିକରଣରେ ଋଷିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ହେଲେ ଏବେ ଋଷିଆ ଇଞ୍ଜିନ ବିକ୍ରି ଖବରକୁ ଅଗ୍ରାହ୍ୟ କରିଦେଇଛି। ଏହି ରିପୋର୍ଟ ସେହି ସମୟରେ ଆସିଛି ଯେତେବେଳେ ଋଷିଆ ରାଷ୍ଟ୍ରପତି ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଛନ୍ତି। ତେବେ ଏହା ପୂର୍ବରୁ ଖବରକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲା।

କଂଗ୍ରେସ କହିଥିଲା ଯେ ପାକିସ୍ତାନକୁ ଋଷିଆ ଜେଏଫ-୧୭ ଫାଇଟର ଜେଟ୍ ଲାଗି ଇଞ୍ଜିନ ଉପଲବ୍ଧ କରାଉଛି। କଂଗ୍ରେସ ଏହାକୁ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ କୂଟନୀତିର ବିଫଳତା ବୋଲି କହିଥିଲା ଓ ସରକାରଙ୍କୁ ଜବାବ ମାଗିଥିଲା। ତେବେ ଋଷିଆ ଏବେ ଏପରି ଦାବିକୁ ଖାରଜ କରିଦେଇଛି। କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୀତି ଜାତୀୟ ହୀତ ବଦଳେ ଛବି ନିର୍ମାଣ ଓ ବୈଶ୍ୱିକ ଦେଖାଇହେବା ଉପରେ କେନ୍ଦ୍ରିତ ହୋଇଛି।