ସଂଘର ଲକ୍ଷ୍ୟ ଭାରତକୁ ବିଶ୍ୱଗୁରୁ କରିବା, RSSର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମରେ କହିଲେ ମୋହନ ଭାଗବତ

Published By : Prameya-News7 Bureau | August 26, 2025 IST

ନୂଆଦିଲ୍ଲୀ: ସଂଘ ବାବଦରେ ଅନେକ ଚର୍ଚ୍ଚା ଚାଲେ । କିନ୍ତୁ ସେହି ଚର୍ଚ୍ଚାରେ ସୂଚନା କମ ରହିଥାଏ, ଯାହା ଥାଏ ତାହା ପ୍ରମାଣିତ ନଥାଏ । ତେଣୁ ନିଜ ଆଡ଼ୁ ସଂଘର ସତ୍ୟ ଓ ସଠିକ୍ ସୂଚନା ଦେବା ଜରୁରି, ଏହାପରେ ନିଷ୍କର୍ଷ ଉପରେ ସମସ୍ତଙ୍କ ନିଜ ଅଧିକାର ରହିଛି । ଆର୍‌ଏସ୍‌ଏସ୍‌ର ୧୦୦ ବର୍ଷ ପୂର୍ତ୍ତି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମେ ସଂଘ ମୁଖ୍ୟ ମୋହନ ଭାଗବତ ଏହା କହିଛନ୍ତି ।

ମୋହନ ଭାଗବତ କହିଛନ୍ତି, ବିଶ୍ୱରେ ଯୋଗଦାନ ଦେବା ପାଇଁ ଭାରତକୁ ଏକ ମହାଶକ୍ତି ହେବାକୁ ପଡିବ ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଡକ୍ଟର କେଶବ ବଳିରାମ ହେଡଗେୱାର ୧୯୨୫ ମସିହାରେ ସଂଘ ପ୍ରତିଷ୍ଠା କରିଥିଲେ । ସେ କହିଛନ୍ତି ଯେ ବିଶ୍ୱରେ ପ୍ରତ୍ୟେକ ରାଷ୍ଟ୍ରର ଏକ ବିଶେଷ ଉଦ୍ଦେଶ୍ୟ ରହିଛି ଏବଂ ଭାରତର ମଧ୍ୟ ସମାନ ମିଶନ ଅଛି । ଭାରତ ସ୍ୱାଧୀନତାର ୭୫ ବର୍ଷରେ ଯେଉଁ ସ୍ଥିତି ପାଇବା ଉଚିତ ଥିଲା ତାହା ହାସଲ କରିପାରି ନାହିଁ। ଆରଏସ୍‌ଏସ୍‌ର ଲକ୍ଷ୍ୟ ହେଉଛି ଦେଶକୁ ବିଶ୍ୱ ଗୁରୁ କରିବା । ଭାରତକୁ ବିଶ୍ୱରେ ଅବଦାନ ଦେବାକୁ ପଡିବ ଏବଂ ଏବେ ସେହି ସମୟ ଆସିଛି ।

ଏହି ଅବସରରେ ସେ ହିନ୍ଦୁ ରାଷ୍ଟ୍ରର ଅର୍ଥ ବ୍ୟାଖ୍ୟା କରି କହିଥିଲେ, ହିନ୍ଦୁ ରାଷ୍ଟ୍ର ଶବ୍ଦର କ୍ଷମତା ସହ କୌଣସି ସମ୍ପର୍କ ନାହିଁ । ଯେତେବେଳେ ଆମେ ହିନ୍ଦୁ ରାଷ୍ଟ୍ର କହୁ, ଏହାର ଅର୍ଥ ନୁହେଁ ଯେ ଆମେ କାହାକୁ ବାଦ ଦେଉଛୁ, କାହାକୁ ବିରୋଧ କରୁଛୁ । ସେ କହିଛନ୍ତି, ଯିଏ ନିଜ ପଥ ଅନୁସରଣ କରିବାରେ ବିଶ୍ୱାସ କରେ ଏବଂ ଭିନ୍ନ ବିଶ୍ୱାସ ଥିବା ଲୋକଙ୍କୁ ସମ୍ମାନ କରେ, ସେ ହିନ୍ଦୁ । ଆମର ସ୍ୱଭାବ ଧର୍ମ ସମନ୍ୱୟର, ବିବାଦରେ ନୁହେଁ । ଗତ ୪୦ ହଜାର ବର୍ଷ ଧରି ଭାରତରେ ରହୁଥିବା ଲୋକଙ୍କ ଡିଏନଏ ସମାନ। ଏକାଠି ରହିବା ହେଉଛି ଆମର ସଂସ୍କୃତି । ଆମେ ଏକତା ପାଇଁ ସମାନତାକୁ ଆବଶ୍ୟକ ମନେ କରୁନାହୁଁ । ବିବିଧତାରେ ଏକତା ଅଛି । ବିବିଧତା ହେଉଛି ଏକତାର ପରିଣାମ । 

ଆର୍‌ଏସ୍‌ଏସ୍ ମୁଖ୍ୟ କହିଛନ୍ତି ଯେ ଇତିହାସରୁ ଜାଣୁ ଯେ ଆମେ ଗୌରବର ଶୀର୍ଷରେ ଥିଲୁ, ଆମେ ସ୍ୱାଧୀନ ଥିଲୁ । ପରେ ଆମ ଉପରେ ଆକ୍ରମଣ ହୋଇଥିଲା । ଦୁଇଥର ପରାଧୀନ ସମ୍ମୁଖୀନ ହେବା ପରେ ଆମେ ସ୍ୱାଧୀନ ହୋଇଥିଲୁ । ସେହି ଦାସତ୍ୱରୁ ମୁକ୍ତ ହେବା ପ୍ରଥମ କାର୍ଯ୍ୟ ଥିଲା। ଯଦି ନିଜ ଦେଶକୁ ମହାନ କରିବାକୁ ଚାହୁଁଛ, ତେବେ ନିଜକୁ ମହାନ ହେବାକୁ ପଡିବ। ଖଣ୍ଡ ଖଣ୍ଡରେ ବନ୍ଧା ହୋଇଥିବା ବ୍ୟକ୍ତି ସ୍ୱାଧୀନତା ପାଇପାରିବ ନାହିଁ ଏବଂ ନିଜ ପାଇଁ କିଛି କରିପାରିବ ନାହିଁ।

ମୋହନ ଭାଗବତ କହିଛନ୍ତି, ଆମେ ସ୍ୱୟଂସେବମାନଙ୍କ ବିଷୟରେ ଚିନ୍ତା କରୁ । ସେମାନଙ୍କର ଚିନ୍ତାଧାରା, ମୂଲ୍ୟବୋଧ ଏବଂ ଆଚରଣ ଠିକ୍ ହେବା ଉଚିତ । ଆମେ କାହା ଉପରେ ଚାପ ପକାଇବାକୁ ଚାହୁଁନାହୁଁ । ଆମେ ସମଗ୍ର ଭାରତରେ ସମସ୍ତଙ୍କୁ ସଂଗଠିତ କରିବା ପାଇଁ ଏଠାରେ ଅଛୁ । ୩୦-୪୦ ବର୍ଷ ପୂର୍ବେ କିଛି ଲୋକ ସଂଘର କଠୋର ବିରୋଧୀ ଥିବେ । ହୁଏତ ସେମାନଙ୍କ ମଧ୍ୟରୁ କିଛି ଲୋକ ଆଜି ସଂଘର ସମର୍ଥକ ହୋଇଯାଇଛନ୍ତି । ଯେତେବେଳେ କଠୋର ବିରୋଧୀ ଥିଲେ, ସେତେବେଳେ ମଧ୍ୟ ଆମର ଥିଲେ ଏବଂ ଆଜି ଯେତେବେଳେ ଆମର, ସେତେବେଳେ ମଧ୍ୟ ଆମର ଅଛନ୍ତି । ସେ କହିଛନ୍ତି ଯେ ଏହା ୧୪୨ କୋଟି ଲୋକଙ୍କ ଦେଶ । ଏଠାରେ ଅନେକ ମତ ଥାଇପାରେ । ଭିନ୍ନ ଭିନ୍ନ ମତ ରଖିବା ଅପରାଧ ନୁହେଁ । ଏହା ପ୍ରକୃତିର ଗୁଣ । ଯଦି ବିଭିନ୍ନ ମତରୁ ସହମତି ହୁଏ, ତେବେ ଏଥିରୁ ପ୍ରଗତି ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.