ନୂଆଦିଲ୍ଲୀ ୧୬।୧୧; ଥାଇଲ୍ୟାଣ୍ଡରେ ଚାଲିଛି ମିସ୍ ୟୁନିଭର୍ସ ପ୍ରତିଯୋଗିତା । ଏ ପ୍ରତିଯୋଗିତାରେ ଭିନ୍ନ ଭିନ୍ନ ଦେଶର ସୁନ୍ଦରୀମାନେ ନିଜ ନିଜ ଦେଶକୁ ପ୍ରତିନିଧିତ୍ବ କରୁଛନ୍ତି ।ହେଲେ ଏ ପ୍ରତିଯୋଗିତା ଆରମ୍ଭରୁ ବିବାଦ ଦେଖିବାକୁ ମିଳିଛି ।  ସବୁଠୁ ଅଧିକ ଟ୍ରୋଲ ହେଉଛନ୍ତି ପାକିସ୍ତାନ ସୁନ୍ଦରୀ ରୋମା ରିୟାଜ ।  ତାଙ୍କର ରଙ୍ଗ ରୂପ ଓ ଶରୀର ଗଠନକୁ ନେଇ ଅନେକ ଟ୍ରୋଲ କରିବା ପରେ ଏହା ଏବେ ଖବର ସାଉଁଟୁଛି । ରୋମା ରିୟାଜ୍ ପାକିସ୍ତାନ ଲାହୋର ସହରରେ ଜନ୍ମ ହୋଇଥିଲେ ବି ତାଙ୍କର ପାଠପଢ଼ା, ଲାଳନପାଳନ ସବୁକିଛି ବ୍ରିଟେନରେ ହୋଇଛି। ତାଙ୍କ ରଙ୍ଗ, ଚେହେରା ଓ ଧର୍ମକୁ ନେଇ ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଜର୍ସ ତାଙ୍କୁ ଟ୍ରୋଲ କରୁଛନ୍ତି । କିଛି ଟ୍ରୋଲର୍ସଙ୍କ କହିବା କଥା, ରୋମା ପାକିସ୍ତାନୀ ବିୟୁଟି କ୍ବିନର ପାରମ୍ପରିକ ଛବିରେ ଫିଟ୍ ହେଉନାହାନ୍ତି । 

ଏହାର ଜବାବରେ ରୋମା କହିଛନ୍ତି, ’ ଲୋକେ ମୋତ କାହିଁକି ମିସ୍ ପାକିସ୍ତାନ ଭାବେ ଗ୍ରହଣ କରୁନାହାନ୍ତି । ସେମାନେ କାହିଁକି ଭାବୁଛନ୍ତି ଯେ, ବ୍ରିଟେନର ଲୋକ ଗୋରା ଆଉ ପାକିସ୍ତାନର ଲୋକେ ଡାର୍କ କଲର ? ଦୁଇଟି ରଙ୍ଗ ନିଜ ନିଜ ହିସାବରେ ସୁନ୍ଦର । ଅନେକ କହୁଛନ୍ତି , ମୁଁ ମୋ ରଙ୍ଗ କାରଣରୁ ପାକିସ୍ତାନୀ ବୋଲି ଜଣାପଡ଼ୁନି । ଲଗାତାର ମୋ ରଙ୍ଗ ଉପରେ ଟିପ୍ପଣୀ ଦେଉଛନ୍ତି । କହୁଛନ୍ତି, ମୋ ରଙ୍ଗ କାରଣରୁ ମୋତେ ଏ ପ୍ରତିଯୋଗିତାରେ ଭାଗ ନେବା ଦରକାର ନଥିଲା । କିନ୍ତୁ ଏ ରଙ୍ଗ ତ ମୋ ମାଟିର, ମୋ ଦେଶର । ମୋ ରଙ୍ଗର ମହିଳାମାନେ ତ ପାକିସ୍ତାନର ପରିବାର ସମ୍ଭାଳୁଛନ୍ତି । ନିଜ ହୃଦୟରେ ଦେଶକୁ ରଖିଛନ୍ତି’ । ଗୋରା ହେବା ଅର୍ଥ ନୁହେଁ ସୁନ୍ଦରତା । କାହା ରୂପରୁ ତାହା ଗୁଣ ଜଣାପଡ଼େନି ।

ଇନଷ୍ଟାରେ ଏ ଭିଡିଓ ପୋଷ୍ଟ କରି ରୋମା ରିୟାଜ୍ କହିଛନ୍ତି, ’ମୋ ଭଳି ଦେଖାଯାଉଥିବା ଜଣେ ଯୁବତୀ ସୁନ୍ଦରୀ ପ୍ରତିଯୋଗିତାର ମଞ୍ଚକୁ ଆସିବା ଅବାସ୍ତବିକ କଥା ହୋଇପାରେ। ମୋ ବଡି ଟାଇପ୍ ଓ ରଙ୍ଗ ସମସ୍ତଙ୍କୁ ଚକିତ କରିଛି । ଏଥିପାଇଁ ମୁଁ ବହୁତ ଖୁସି । ମୁଁ ଲୋକଙ୍କୁ ମନେ ପକାଇଦେବାକୁ ଚାହୁଛି ଯେ, ସେମାନେ ଶରୀରକୁ ନେଇ ଟିପ୍ପଣୀ କରୁଛନ୍ତି ହେଲେ ମୋର ସେମାନଙ୍କୁ ପ୍ରଶ୍ନ, ମିସ୍ ୟୁନିଭର୍ସ ହେବା ପରେ କ’ଣ ସେମାନେ ମଡେଲିଂ ପାଇଁ ବଛା ହେବେ ନା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ହେବେ, ସେମାନଙ୍କ ବିକାଶ , ସଶକ୍ତିକରରଣ ପାଇଁ କାମ କରିବେ?’ ରୋମା ରିୟାଜ ମିସ୍ ୟୁନିଭର୍ସ ୨୦୨୫ ପ୍ରତିଯୋଗିତାରେ ପାକିସ୍ତାନକୁ ପ୍ରତିନିଧିତ୍ବ କରୁଥିବା ମଡେଲ। ପ୍ରତିଯୋଗିତା ପାଇଁ ଯାଇଥିବାବେଳେ ତାଙ୍କ ରଙ୍ଗକୁ ନେଇ ତାଙ୍କୁ ପାକିସ୍ତାନର ଅନେକ ଲୋକ ଟ୍ରୋଲ କରଥିଲେ। କିନ୍ତୁ ଏଥିପାଇଁ ରୋମା ରିୟାଜ ଆଦୌ ଦୁଃଖିତ ନୁହନ୍ତି ବୋଲି କହିଛନ୍ତି ।