LIVE TV

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶନିବାର ଘୋଷଣା ହେବ ଟିମ୍ ଇଣ୍ଡିଆ, ଦଳକୁ ଫେରିବେ ରୋହିତ-କୋହଲି !

NEWS7
kohli

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲି ଦୀର୍ଘ ଦିନରୁ କ୍ରିକେଟରୁ ଦୂରେଇ ଅଛନ୍ତି । ରୋହିତ ଏବଂ କୋହଲି ଶେଷ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତ ପାଇଁ ଖେଳିଥିଲେ । ଏହାପରେ ଆଇପିଏଲରେ ନିଜ ନିଜ ଦଳ ପାଇଁ ପ୍ରତିନିଧିତ୍ୱ କରିଥିଲେ । ଇଂଲଣ୍ଡ ଗସ୍ତ ପୂର୍ବରୁ କୋହଲି ଏବଂ ରୋହିତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏହା ପରେ, ଶୁଭମନ ଗିଲଙ୍କୁ ଟେଷ୍ଟ ଅଧିନାୟକ ନିଯୁକ୍ତ କରାଯାଇଥିଲା ।

ରୋହିତ ଶର୍ମା ଏବଂ ବିରାଟ କୋହଲି ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇସାରିଛନ୍ତି । ୨୦୨୪ରେ ଭାରତର ବିଶ୍ୱକପ୍ ବିଜୟ ପରେ ଉଭୟ ଖେଳାଳି ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରିଥିଲେ । ଉଭୟ ଖେଳାଳି କେବଳ ଦିନିକିଆ ଫର୍ମାଟ ପାଇଁ ଉପଲବ୍ଧ । ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶନିବାର ଚୟନକର୍ତ୍ତାଙ୍କ ବୈଠକ ହେବ । କୋହଲି ଏବଂ ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଅଂଶ ହୋଇପାରନ୍ତି ।

କ୍ରିକବଜ୍‌ ରିପୋର୍ଟ ଅନୁସାରେ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଶନିବାର ଦିନିକିଆ ଏବଂ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିବ । କୋହଲି ଏବଂ ରୋହିତଙ୍କୁ ଦିନିକିଆ ଦଳରେ ସାମିଲ କରାଯିବାର ସମ୍ଭାବନା ରହିଛି । ଅକ୍ଟୋବର-ନଭେମ୍ବର ପାଇଁ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବ ।ପ୍ରଥମ ତିନୋଟି ଦିନିକିଆ ଅକ୍ଟୋବର ୧୯ରୁ ଆରମ୍ଭ ହେବ । ଏହା ପରେ ଅକ୍ଟୋବର ୨୯ରୁ ନଭେମ୍ବର ୮ ପର୍ଯ୍ୟନ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ ।

ଚୟନ କମିଟି ବୈଠକରେ ଦିନିକିଆ କ୍ୟାପ୍ଟେନ୍ସି ଉପରେ ମଧ୍ୟ ଆଲୋଚନା ହେବ । ରୋହିତଙ୍କୁ ଦିନିକିଆ ଅଧିନାୟକ ଭାବରେ ବଜାୟ ରଖାଯିବ କି ନାହିଁ ତାହା ସ୍ପଷ୍ଟ ହେବ । ଚୟନକର୍ତ୍ତାମାନେ ଏହି ପ୍ରସଙ୍ଗରେ ରୋହିତ ଶର୍ମାଙ୍କ ସହ ସିଧାସଳଖ କଥା ହେବାକୁ ଯୋଜନା କରୁଥିବା ଜଣାପଡିଛି । ରୋହିତ ଏବଂ କୋହଲିଙ୍କ ବ୍ୟତୀତ, ଚାମ୍ପିଅନ୍ସ ଟ୍ରଫି ବିଜେତା ଦଳର ଅଧିକାଂଶ ଖେଳାଳିଙ୍କୁ ଦିନିକିଆ ସିରିଜ ପାଇଁ ଚୟନ କରାଯିବାର ଆଶା କରାଯାଉଛି।

ଆଉ ଏକ ବଡ଼ ପ୍ରଶ୍ନ ହେଉଛି ଶ୍ରେୟସ ଆୟର ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ ହେବ କି ? ଚୟନକର୍ତ୍ତାମାନେ ଟି-୨୦ ସିରିଜ ପାଇଁ ୧୫ରୁ ଅଧିକ ଖେଳାଳିଙ୍କୁ ଚୟନ କରିବେ । ତେଣୁ ଶ୍ରେୟସ ଆୟରଙ୍କ ସହିତ ଯଶସ୍ୱୀ ଜୟସୱାଲ ମଧ୍ୟ ଟି-୨୦ ଦଳରେ ସ୍ଥାନ ପାଇ ପାରନ୍ତି । ଉଭୟ ଖେଳାଳି ଏସିଆ କପ୍ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ସେପଟେ ଅଭିଷେକ ଶର୍ମାଙ୍କୁ ଦିନିକିଆ ଦଳରେ ସାମିଲ କରାଯିବ କି ନାହିଁ, ତାହା ଉପରେ ମଧ୍ୟ ଆଲୋଚନା ହୋଇପାରେ  

ଭାରତର ଅଷ୍ଟ୍ରେଲିଆ ଗସ୍ତ ସୂଚୀ:

ଅକ୍ଟୋବର ୧୯ - ପ୍ରଥମ ଦିନିକିଆ, ପର୍ଥ

ଅକ୍ଟୋବର ୨୩ - ଦ୍ୱିତୀୟ ଦିନିକିଆ, ଆଡିଲେଡ୍

ଅକ୍ଟୋବର ୨୫ - ତୃତୀୟ ଦିନିକିଆ, ସିଡନୀ

ଅକ୍ଟୋବର ୨୯ - ପ୍ରଥମ ଟି-୨୦, କାନବେରା

ଅକ୍ଟୋବର ୩୧ - ଦ୍ୱିତୀୟ ଟି-୨୦, ମେଲବୋର୍ଣ୍ଣ

ନଭେମ୍ବର ୨ - ତୃତୀୟ ଟି-୨୦, ହୋବାର୍ଟ

ନଭେମ୍ବର ୬ - ଚତୁର୍ଥ ଟି-୨୦, ଗୋଲ୍ଡ କୋଷ୍ଟ

ନଭେମ୍ବର ୮ - ପଞ୍ଚମ ଟି-୨୦, ବ୍ରିସବେନ