News7 Logo

ଆସନ ଭାଗବଣ୍ଟା ଓ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିହାର ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ଆରଜେଡି-କଂଗ୍ରେସ ବିବାଦ

NEWS7
Bihar alliance

ପାଟନା ୧୫।୯: ବିହାରରେ ବିରୋଧୀଙ୍କ ମହାମେଣ୍ଟ ଆରଜେଡି ଓ କଂଗ୍ରେସ ମଧ୍ୟରେ ଅନ୍ତରୀଣ କଳହ ଏବେ ଆମ୍ନାସାମ୍ନା ବିବାଦରେ ପରିଣତ ହୋଇଛି। ବିଶେଷ କରି ଆସନ ଭାଗବଣ୍ଟା ଓ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଏହି ମତପାର୍ଥକ୍ୟ ଗଭୀର ହେଉଥିବାର ଦେଖା ଯାଉଛି। ଅଟକି ରହିଥିବା ଆଲୋଚନା ଓ ପରସ୍ପର ବିରୋଧୀ ନେତୃତ୍ୱ ମହତ୍ୱକାଙକ୍ଷା ନିତିଶ କୁମାରଙ୍କ ଏନଡିଏ ବିରୋଧରେ ଇଣ୍ଡିମେଣ୍ଟର ଏକତା ଉପରେ ଏବେ ପ୍ରଶ୍ନ ଚିହ୍ନ ଲଗାଉଛି। ଏଥିରେ ତାଜା ବିବାଦ ଏବେ ଔରଙ୍ଗାବାଦର କୁଟୁମ୍ବା ବିଧାନସଭା ନିର୍ବାଚନମଣ୍ଡଳିରୁ ସାମ୍ନାକୁ ଆସୁଛି।

ବିହାର କଂଗ୍ରେସ ଅଧ୍ୟକ୍ଷ ରାଜେଶ ରାମ ଶନିବାର ମହାମେଣ୍ଟର ସହଯୋଗୀଙ୍କ ଏକ କାର୍ଯ୍ୟକର୍ତ୍ତା ବୈଠକ ଡକାଇଥିଲେ। ତେବେ ଆରଜେଡିର ବ୍ଲକ ଓ ଜିଲ୍ଲା ଅଧ୍ୟକ୍ଷମାନେ ବିନା କୌଣସି କାରଣ ଜଣାଇ ପୂର୍ବତନ ବିଧାୟକ ସୁରେଶ ପାଶୱାନଙ୍କ ସହ ମିଶି ଏହି ବୈଠକକୁ ବହିଷ୍କାର କରିଥିଲେ। ଏବେ ଆରଜେଡି ନେତାମାନେ ନିର୍ବାଚନ ଯୋଜନା ଉପରେ ଚର୍ଚ୍ଚା ପାଇଁ ସୋମବାର ପାସୱାନଙ୍କ ନେତୃତ୍ୱରେ ନିଜର ରଣନୈତିକ ବୈଠକ କରିଛନ୍ତି। ୨୦୦୫ ବିଧାନସଭା ନିର୍ବାଚନରେ କୁଟୁମ୍ବା ଆସନରେ ଆରଜେଡି ବିଧାୟକ ତଥା ତତ୍କାଳୀନ ଆରଜେଡି ସରକାରରେ ମନ୍ତ୍ରୀ ଥିବା ପାସୱାନ ଏହି ମଞ୍ଚକୁ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ କରିବା ପାଇଁ ବ୍ୟବହାର କରିଛନ୍ତି।

ଏଥିରୁ ଆରଜେଡିର ବଢୁଥିବା ଦୃଢତା ଓ ମେଣ୍ଟରେ ଅସନ୍ତୋଷର ସଂକେତ ମିଳୁଛି। ଗତ ସପ୍ତାହରେ କଂଗ୍ରେସର ବିହାର ପ୍ରଭାରୀ କୃଷ୍ଣା ଅଲ୍ଲାଭରୁ ଏହା କହି ବିବାଦ ସୃଷ୍ଟି କରିଥିଲେ ଯେ ବିଜେପି ଲାଗି ମୁଖ୍ୟମନ୍ତ୍ରୀ ମୁହଁ ‘ବିହାରର ଜନତାଙ୍କ ଦ୍ୱାରା ନିର୍ଦ୍ଧାରଣ କରିବେ’। ତାଙ୍କର ଏହି ଟିପ୍ପଣୀ ଆରଜେଡିକୁ ଅସନ୍ତୁଷ୍ଟ କରିଛି। କାରଣ ଆରଜେଡି ତେଜସ୍ୱୀ ପ୍ରସାଦ ଯାଦବଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗକୁ ବଢାଇବାକୁ ଗୁରୁତ୍ୱ ଦେଉଛି।

ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଏବେ ନିଜକୁ ଅସଲ ମୁଖ୍ୟମନ୍ତ୍ରୀ ରୂପେ ଉପସ୍ଥାପନ କରିବା ଆରମ୍ଭ କରିଦେଇଛନ୍ତି ଓ ସାର୍ବଜନିକ କାର୍ଯ୍ୟକ୍ରମମାନଙ୍କରେ ନିତିଶ କୁମାରଙ୍କୁ ସମାଲୋଚନା କରୁଛନ୍ତି। ଏହାକୁ ରାହୁଲ ଗାନ୍ଧି ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଭଳି ଦିଗ୍ଗଜ ନେତା ମଧ୍ୟ ସମର୍ଥନ କରୁଛନ୍ତି। ଏହି କ୍ରମରେ ତେଜସ୍ୱୀ ସେପ୍ଟେମ୍ବର ୧୩ ତାରିଖରେ ମୁଜଫରପୁରର କାଣ୍ଟିରେ ଅନୁଷ୍ଠିତ ରାଲିକୁ ସମ୍ବୋଧିତ କରି ଏଥର ତେଜସ୍ୱୀ ୨୪୩ ଆସନରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ।

ତେବେ ରାଜନୈତିକ ସମୀକ୍ଷକମାନେ ଏହାକୁ ତେଜସ୍ୱୀଙ୍କ ଦ୍ୱାରା ମେଣ୍ଟର ବାସ୍ତବିକ ମୁଖ୍ୟମନ୍ତ୍ରୀ ମୁହଁ ଭାବେ ନିଜର ପ୍ରଭୁତ୍ୱ ସ୍ଥାପିତ କରିବା ଓ ସହଯୋଗୀ ବିଶେଷ କରି କଂଗ୍ରେସ ଉପରେ ଚାପ ପକାଇବା ଭଳି ରଣନୈତିକ ପଦକ୍ଷେପ ଭାବେ ଦେଖୁଛନ୍ତି। ସେପଟେ ଏନଏସୟୁଆଇ ପ୍ରଭାରୀ ତଥା କଂଗ୍ରେସ ଯୁବ ଚେହେରା କହ୍ନେୟା କୁମାରଙ୍କୁ ସେପ୍ଟେମ୍ବର ୯ ତାରିଖ ଦିନ ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାର୍ଟି ୭୦ ଆସନରେ ନିର୍ବାଚନ ଲଢିବ କି ବୋଲି ପଚରା ଯିବାରେ, ଆପଣ ଆମକୁ ୭୦ ସିଟ୍ ରେ କାହିଁକି ସୀମିତ ରଖୁଛନ୍ତି,  ଆମେ ସମସ୍ତ ୨୪୩ ଆସନରେ ନିର୍ବାଚନ ଲଢୁଥିବା କହିଥିଲେ। ତେବେ ଏଥର ସେ ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ଲଢିବେ କି ନ ଲଢିବେ ତାହା ପାର୍ଟି ନିଷ୍ପତ୍ତି ନେବ ବୋଲି କହ୍ନେୟା କୁମାର କହିଥିବା ବେଳେ  ଆମେ ଆପଣଙ୍କୁ ଏହି କଥା କହି ରଖୁଛୁ ଆମ ବିରୋଧୀ ମେଣ୍ଟ ବିହାରର ସମସ୍ତ ୨୪୩ ଆସନରେ ଲଢିବ। 

ଅନ୍ୟ ସହଯୋଗୀ ମଧ୍ୟ ବଢାଉଛନ୍ତି ଜଟିଳତା
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ,ଲେନିନବାଦୀ) ଓ ସିପିଆଇ ଏମଏଲ ଯେଉଁମାନେ ୨୦୨୦ ବିଧାନସଭା ନିର୍ବାଚନରେ ୧୯ଟି ଆସନରୁ ନିର୍ବାଚନ ଲଢିଥିଲେ ଓ ୧୨ଟି ଆସନ ଜିତିଥିଲେ ସେମାନେ ଏବେ ୪୦-୪୫ ଆସନ ଦାବି କରୁଛନ୍ତି। ଏହା ଛଡା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ ପଶୁପତି ପାରସଙ୍କ ନେତୃତ୍ୱରେ ଆରଏଲଜେପି ଇତି ମଧ୍ୟରେ ଆରଜେଡି ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଛି। ସେହିପରି ଗତ ବିଧାନସଭା ନିର୍ବାଚନରେ ୫ଟି ଆସନ ପାଇଥିବା ଅସଦୁଦ୍ଦିନ ଓବେସୀଙ୍କ ପାର୍ଟି ଏଆଇଏମଆଇଏମ ମଧ୍ୟ ଆରଜେଡି ସହ କଥାବାର୍ତ୍ତା ଆରମ୍ଭ କରିଛି।

ସେପଟେ କଂଗ୍ରେସ ଏବେ ରାଜ୍ୟରେ ଆରଜେଡି ପଛରେ ଆଉ ଚାଲିବାକୁ ଚାହୁଁ ନାହିଁ। ଖାସ କରି ପାର୍ଟିର ପୁନରୁଦ୍ଧାର ପରେ ତେଜସ୍ୱୀଙ୍କୁ ସିଧା ସମର୍ଥନ ଦେବାକୁ ପାର୍ଟି ଅନିଛା ପ୍ରକାଶ କରୁଛି। ଏଣୁ ରାଜନୈତିକ ବିଶ୍ଲେଷକ ମେଣ୍ଟରେ ଅସମାଧାନ ଥିବା ଅସନ୍ତୋଷ ବିରୋଧୀଙ୍କ ଭୋଟକୁ ବିଭାଜିତ କରିପାରେ ବୋଲି ସନ୍ଦେହ ପ୍ରକାଶ କରୁଛନ୍ତି, ଯାହା ରାଜ୍ୟରେ ଏନଡିଏକୁ ଫାଇଦା ଦେବ ବୋଲି ସେମାନେ ଅନୁମାନ କରୁଛନ୍ତି। ତେବେ ବିହାରର ବିଧାନସଭାର ୨୪୩ ଆସନ ନିମନ୍ତେ ବେଶ୍ ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ଏବେଠୁ ଅନୁମାନ କରାଗଲାଣି। ଏଣୁ ମହାମେଣ୍ଟରେ ସ୍ଥିତି ସୁଧାରିବା ଏବେ ଗୁରୁତ୍ୱପୂର୍ଣ୍ଣ। ୨୦୨୦ ବିଧାନସଭା ନିର୍ବାଚନରେ ମେଣ୍ଟ ସାମୂହିକ ରୂପେ ୧୧୦ ଆସନ ହାସଲ କରିଥିଲା, ଯାହା ଏନଡିଏର ୧୨୫ ଆସନରୁ କମ୍ ଥିଲା।