ସୁରଟ, ୧୯|୧୧: ସନ୍ଦିଗ୍ଧ ଆତଙ୍କବାଦୀକୁ ଆକ୍ରମଣ । ସାବରମତୀ ଜେଲରେ ବନ୍ଦୀ ଥିବା ସୟଦ ଅହମ୍ମଦ ମୋହିଉଦ୍ଦୀନ ଅବ୍ଦୁଲ କାଦର ଜିଲାନୀ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଜେଲରେ ଅନ୍ୟ ତିନି ଜଣ ଅନ୍ତେବାସୀ ତାକୁ ଆକ୍ରମଣ କରିଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ରିସିନ୍ ତିଆରି ମାମଲାରେ ଜିଲାନୀକୁ ଗିରଫ କରାଯାଇଥିଲା । ରିସିନ ହେଉଛି ଏକ ବିଷ ଯାହା କାଷ୍ଟର ବିନ ମଞ୍ଜିରୁ ମିଳିଥାଏ । ଯାହାକୁ କେମିକାଲ ପ୍ରୋସେସରେ ବ୍ୟବହାର କରାଯାଏ । ଏଥିରୁ ମାରାତ୍ମକ ବିଷ ପ୍ରସ୍ତୁତ ହୋଇଥାଏ । ଅନ୍ୟ ଦୁଇ ଜଣଙ୍କ ସହ ଗୁଜରାଟ ଏଟିଏସ ଜିଲାନୀକୁ ଗିରଫ କରିଥିଲା । ପରେ ତାକୁ ସାବରମତୀ ଜେଲକୁ ପଠାଯାଇଥିଲା ।

କୁହାଯାଉଛି ଯେ ଆକ୍ରମଣରେ ଜିଲାନୀ ଆହତ ହୋଇଛି । ତା ମୁହଁରେ ଆଘାତ ଲାଗିଛି । ଆଖି ଏବଂ ନାକକୁ ଅନ୍ୟ କଏଦୀ ଆକ୍ରମଣ କରିଛନ୍ତି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି । ସେ ହେଲେ ନିଲେଶ ଶର୍ମା । ଅନ୍ୟ ଦୁଇ ଜଣଙ୍କୁ ଏବେସୁଦ୍ଧା ଚିହ୍ନଟ କରାଯାଇ ନାହିଁ । ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ ନିଲେଶ ଆକ୍ରମଣ କରିଥିବା ଜେଲର କହିଛନ୍ତି । ତେବେ ଘଟଣାକୁ ନେଇ ସାବରମତି ଜେଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ତିନି ଜଣ ବ୍ୟକ୍ତି ଜିଲାନୀକୁ ଆକ୍ରମଣ କରିଛନ୍ତି । ସେମାନେ କିପରି ତା ନିକଟକୁ ଗଲେ ତାହା ତଦନ୍ତର ବିଷୟ । କେଉଁ ଅଭିଯୋଗରେ ସେ ଗିରଫ ହୋଇଥିଲା ତାହା ଅନ୍ତେବାସୀମାନେ ଜାଣିବା ସମ୍ଭବପର ନୁହେଁ । ତଥାପି ଅଘଟଣ ଘଟିଥିବା ସେ ପ୍ରକାଶ କରିଛନ୍ତି । ତେବେ ମାମଲାର ତଦନ୍ତ କ୍ରାଇମ ବ୍ରାଞ୍ଚ ଆରମ୍ଭ କରିଛି । ଏହା ପୂର୍ବ ନିର୍ଧାରିତ ଯୋଜନା ନା ନାହିଁ ସେଦିଗରେ ତଦନ୍ତ କରାଯାଉଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଜିଲାନୀ ସମେତ ତିନି ଜଣଙ୍କୁ ଗୁଜୁରାଟ ଏଟିଏସ ଗିରଫ କରିଥିଲା । ସେମାନେ ରିସିନ୍ ବ୍ୟବହାର କରି ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇଥାନ୍ତେ । କିନ୍ତୁ ବଡ ଅଘଟଣ ପୂର୍ବରୁ ଏଟିଏସ ସେମାନଙ୍କୁ ଗିରଫ କରିବା ସହ ଭୟଙ୍କର ଆକ୍ରମଣକୁ ପଣ୍ଡ କରିଥିଲା ।