ତୁଷାରପାତରେ ଚାଲିଗଲା ମାଲିକଙ୍କ ଜୀବନ, ଶୂନ ଡିଗ୍ରିରେ ଚାରି ଦିନ ମୃତ ଦେହକୁ ଜଗି ରହିଲା ପିଟ୍‌ବୁଲ୍

NEWS7
retail-inflation-rises-to-5-per-cent-in-june-says-govt-data

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରୁ ଏପରି ଏକ କାହାଣୀ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଭାରମୌରର ଜଙ୍ଗଲରେ ପ୍ରବଳ ତୁଷାରପାତ ମଧ୍ୟରେ ପ୍ରାଣ ହରାଇଥିବା ନିଜ ମାଲିକର ଶବକୁ ଗୋଟିଏ ପୋଷା ପିଟବୁଲ୍ ଚାରି ଦିନ ଧରି ଜଗି ରହିଥିଲା । ହାଡ଼ଭଙ୍ଗା ଥଣ୍ଡା ଏବଂ ଖାଦ୍ୟ କିମ୍ବା ପାଣି ବିନା ଅସହାୟ ପ୍ରାଣୀଟି ନିଜ ମାଲିକଙ୍କ ଶବ ଉପରେ ଜଗି ରହିଥିଲା ।

ରିପୋର୍ଟ ଅନୁଯାୟୀ, ଭାରମୌରର ବାସିନ୍ଦା ୧୪ ବର୍ଷୀୟ ବିକାଶ ରାଣା ଏବଂ ତାଙ୍କର ୧୯ ବର୍ଷୀୟ ଭାଇ ପୀୟୁଷ ଜାନୁଆରୀ ୨୩ରେ ପ୍ରସିଦ୍ଧ ଭରମଣି ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । ମନ୍ଦିରର ଶୀର୍ଷରେ ଏକ ଭିଡିଓ ସୁଟିଂ କରୁଥିବା ସମୟରେ, ଦୁଇ ଯୁବକ ହଠାତ୍ ପ୍ରବଳ ତୁଷାରପାତରେ ଫସି ଯାଇଥିଲେ । ସେହି ସମୟରେ ଭାରମୌରରେ ୫ ଫୁଟରୁ ଅଧିକ ତୁଷାରପାତ ହୋଇଥିଲା, ଯାହା ଫଳରେ ସେମାନେ ରାସ୍ତା ଭୁଲି ଯାଇଥିଲେ ଏବଂ ହାଇପୋଥର୍ମିଆରେ ପ୍ରାଣ ହରାଇଥିଲେ ।

୪ ଦିନ ପରେ ମିଳିଲା ମୃତଦେହ

ଦୁଇ ଯୁବକ ଘରକୁ ନଫେରିବା ପରେ ପରିବାର ଲୋକ ଚିନ୍ତା କରିଥିଲେ । ଜିଲ୍ଲା ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ । ଚାରି ଦିନର ସର୍ଚ୍ଚ ଅପରେସନ ପରେ ଭରମଣି ମନ୍ଦିର ନିକଟସ୍ଥ ଜଙ୍ଗଲରୁ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୀୟୁଷଙ୍କ ପୋଷା କୁକୁର ମୃତଦେହ ପାଖରେ ବସି ସେମାନଙ୍କୁ ଜଗି ରହିଥିବା ଦେଖି ଉଦ୍ଧାରକାରୀ ଦଳ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା । କୁକୁରଟି ଚାରି ଦିନ ଧରି ସେଠାରେ ଶୂନ୍ୟ ଡିଗ୍ରୀ ତଳେ ତାପମାତ୍ରାରେ ଜଗି ରହିଥିଲା । ଉଦ୍ଧାରକାରୀ ଦଳର ସଦସ୍ୟମାନେ କହିଛନ୍ତି ଯେ କୁକୁରଟି ଦୁର୍ବଳ ହୋଇଯାଇଥିଲା, କିନ୍ତୁ ସେ ତା'ର ମାଲିକଙ୍କୁ ଛାଡିବାକୁ ରାଜି ନଥିଲା ।

ଅଞ୍ଚଳରେ ଖେଳିଗଲା ଶୋକର ଛାୟା

ଉଦ୍ଧାରକାରୀ ଦଳ ଦୁଇ ଯୁବକଙ୍କ ମୃତଦେହ ସହିତ କୁକୁରକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ । ଦୁଇ ଯୁବକଙ୍କ ମୃତ୍ୟୁ ପୂରା ଅଞ୍ଚଳକୁ ଶୋକାକୂଳ କରିଥିବା ବେଳେ, କୁକୁରର ଅତୁଳନୀୟ ବିଶ୍ୱସ୍ତତାକୁ ନେଇ ଏବେ ସୋସିଆଲ ମିଡିଆ ଏବଂ ସାରା ରାଜ୍ୟରେ ଆଲୋଚନା ହେଉଛି । ଲୋକମାନେ କହୁଛନ୍ତି ଯେ ମଣିଷ ଅସମୟରେ ନିଜ ସାଥୀକୁ ଛାଡ଼ିପାରେ, କିନ୍ତୁ ଏହି ବିଶ୍ୱସ୍ତ ପ୍ରାଣୀ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିଥାଏ ।