ତଥ୍ୟ ଆସିବା ପୂର୍ବରୁ ବିଜେପି କେମିତି ଜାଣିଲା କେତେ ଭୋଟରଙ୍କ ନାଁ କଟିବ ? ଇସିଆଇଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଲେ ଏସପି ମୁଖ୍ୟ

NEWS7
retail-inflation-eases-to-509-percent-in-february

ଲକ୍ଷ୍ନୌ: ଭାରତୀୟ ନିର୍ବାଚନ କମିଶନରଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ପରେ ଡ୍ରାଫ୍ଟ ତାଲିକା ଆସିଲା। ହେଲେ ତାଲିକା ଆସିବା ପୂର୍ବରୁ ବିଜେପି କେମିତି ଜାଣିଲା କେତେ ଜଣ ଭୋଟରଙ୍କ ନାଁ କଟିବ ବୋଲି ପ୍ରଶ୍ନ କରିଛନ୍ତି ଅଖିଳେଶ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଛନ୍ତି, ଉତ୍ତର ପ୍ରଦେଶରେ ଭୋଟର ତାଲିକାର ଏସଆଇଆର ହୋଇଥିଲା । କୌଣସି ବିରୋଧୀ ଦଳ ଏହାକୁ ବିରୋଧ ନକରି ଏଥିରେ ସହଯୋଗ କରିଥିଲେ । ଜାନୁଆରୀ ୬ରେ ଆସିଥିବା ଡ୍ରାଫ୍ଟ ତାଲିକାରେ ୩ କୋଟି ଭୋଟରଙ୍କ ନାଁ କଟିଥିବା ଦେଖି ଭୟ ଲାଗୁଛି ।

ସେ କହିଛନ୍ତି, ତାଲିକା ଆସିବା ପୂର୍ବରୁ କେହି ଜାଣିନଥିଲେ କେତେ ଜଣ ଭୋଟରଙ୍କ ନାଁ କଟିବ । କିନ୍ତୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାୟ ୪ କୋଟି ଲୋକଙ୍କ ନାଁ କଟିବ । କନୌଜର ଜଣେ ପୂର୍ବତନ ସାଂସଦ କହିଥିଲେ, ଗୋଟିଏ ଜିଲ୍ଲାରୁ ୩ ଲକ୍ଷ ଭୋଟରଙ୍କ ନାଁ ହଟାଇ ଦିଆଯାଇଛି । ଯଦି ତାଲିକା ଆସିବା ପୂର୍ବରୁ ବିଜେପି ନେତା ଏଭଳି ତଥ୍ୟ ଦେଇପାରୁଛନ୍ତି, ତେବେ ଏଭଳି ସ୍ଥିତିରେ ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ ବୋଲି ଅଖିଳେଶ ଯାଦବ କହିଛନ୍ତି ।

ମଙ୍ଗଳବାର ନିର୍ବାଚନ କମିଶନ ଉତ୍ତର ପ୍ରଦେଶରେ ଏସଆଇଆର ପରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଥିଲେ। ଏଥିରେ ୨.୮୯ କୋଟି ଭୋଟରଙ୍କ ନାଁ ହଟାଇ ଦିଆଯାଇଛି । ଡ୍ରାଫ୍ଟ ଭୋଟର ତାଲିକା ଅନୁସାରେ, ଏବେ ରାଜ୍ୟରେ ୧୨.୫୫ କୋଟି ଭୋଟର ଅଛନ୍ତି । ପୂର୍ବରୁ ୧୫.୪୪ କୋଟି ଭୋଟର ପଞ୍ଜିକୃତ ଥିଲେ । ରାଜ୍ୟର ମୁଖ୍ୟ ନିର୍ରବାଚନ ଅଧିକାରୀ ନବଦୀପ ରିନଓ୍ବାଙ୍କ ଅନୁସାରେ, ୨ କୋଟି ୮୯ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇସାରିଛି ବା ସ୍ଥାନାନ୍ତରଣ ହୋଇଛି । ଅନ୍ତିମ ଭୋଟର ତାଲିକା ମାର୍ଚ୍ଚ ୬ରେ ପ୍ରକାଶ ପାଇବ ।

ବିଏଲଓ (ବୁଥ୍ ସ୍ତରୀୟ ଅଧିକାରୀ)ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ସମ୍ପର୍କରେ ପ୍ରଶ୍ନ ଉଠାଇ ଅଖିଳେଶ ଯାଦବ କହିଛନ୍ତି ଯେ, କିଭଳି ଗ୍ରାମାଞ୍ଚଳ ଭୋଟରଙ୍କ ମୋଟ ସଂଖ୍ୟା (୧୨.୬୯ କୋଟି) ସମଗ୍ର ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟରଙ୍କ ସଂଖ୍ୟା (୧୨.୫୬ କୋଟି) ଠାରୁ ଅଧିକ ହେଲା ? ସମାନ ବିଏଲଓ ଉଭୟ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିଥିବା ବେଳେ ତଥ୍ୟର ତାଳମେଳ କିଭଳି ରହିଲାନି ? ସେ ଡ୍ରାଫ୍ଟ ବିଧାନସଭା ଭୋଟର ତାଲିକାରୁ ୨.୮୮ କୋଟି ଭୋଟରଙ୍କୁ ବାଦ ପଡ଼ିବାକୁ ନେଇ ମଧ୍ୟ ସନ୍ଦେହ କରିଛନ୍ତି ।