ଦେଶରେ ୭୦୦ ପ୍ରତିଶତରୁ ଅଧିକ ବଢ଼ିଛି ଡିଜିଟାଲ ଓ ସାଇବର ଫ୍ରଡ୍, ଅନ୍‌ଲାଇନ୍ ଠକେଇ ରୋକିବାକୁ ଆର୍‌ବିଆଇର ବଡ଼ ଘୋଷଣା

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହାର ଦ୍ବିମାସିକ ମୁଦ୍ରା ନୀତି ଉପସ୍ଥାପନ କରିଛି। ଏହି ମୁଦ୍ରାନୀତି ଅନୁଯାୟୀ, ଚଳିତ ଥର ମଧ୍ୟ ରେପୋରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।ଏହାର ଅର୍ଥ ଲୋନ୍‌ କିମ୍ବା ଇଏମଆଇରେ ବୃଦ୍ଧି ହେବନାହିଁ।କିନ୍ତୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ଦେଶରେ ଡିଜିଟାଲ ପେମେଣ୍ଟ କରୁଥିବା କୋଟି କୋଟି ଲୋକଙ୍କୁ ପ୍ରଭାବିତ କରିବ।

ଦେଶରେ ଡିଜିଟାଲ ଏବଂ ସାଇବର ଫ୍ରଡ୍‌ ସଂଖ୍ୟାରେ ୭୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ଆରବିଆଇ ପାଇଁ ଏକ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ଆରବିଆଇ ଏବେ ଏକ ଏଭଳି ସିଷ୍ଟମ ବିକଶିତ କରିବାକୁ ଯାଉଛି, ଯାହା ଡିଜିଟାଲ ପେମେଣ୍ଟ ସହ ଜଡ଼ିତ ଠକେଇ ଉପରେ ନଜର ରଖିବ। ପ୍ରକୃତରେ ଏହା ଏକ ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ହେବ।

କିଭଳି କାମ କରିବ ଏହି ଇଣ୍ଟେଲିଜେନ୍ସ ସିଷ୍ଟମ ?

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଡିଜିଟାଲ ପେମେଣ୍ଟ ସିଷ୍ଟମକୁ ଏଭଳି ଫ୍ରଡ୍‌ରୁ ବଞ୍ଚାଇବା ଆବଶ୍ୟକତା ରହିଛି। ଏଥିପାଇଁ ଆରବିଆଇ ଏକ ଏଭଳି ଡିଜିଟାଲ ପେମେଣ୍ଟ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ଆଣିବାକୁ ଯାଉଛି ଯାହା ନେଟଓ୍ବର୍କ ସ୍ତରରେ ହିଁ ଇଣ୍ଟେଲିଜେନ୍ସ ନିରୀକ୍ଷଣ କରିବ। ଏତିକି ନୁହେଁ ଏହା ରିୟଲ ଟାଇମ୍‌ରେ ସମଗ୍ର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମରେ ଡାଟା ସେୟାରିଂ କରିବ। ଏହି ପ୍ଲାଟଫର୍ମର ବିକାଶ ପାଇଁ  ରିଜର୍ଭ ବ୍ୟାଙ୍କ୍‌ ଏକ କମିଟି ଗଠନ କରିଛି। ଏହି କମିଟି ପ୍ଲାଟଫର୍ମ ସହ ଜଡ଼ିତ ଭିନ୍ନ ଭିନ୍ନ ଦିଗ ଉପରେ ପରୀକ୍ଷଣ କରିବ। 

ଏହା ବ୍ୟତୀତ ଆରବିଆଇ ‘ବାଏ ନାଓ ପେ ଲେଟର’ ଅଥବା ଇଏମଆଇରେ ସପିଂକୁ ନେଇ ବଢ଼ୁଥିବା ଅଭ୍ୟାସ ଉପରେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଏହିଭଳି ଟଙ୍କା ଇଏମଆଇରେ ନେଇ ସପିଂ ବା ଏଥିପାଇଁ ଲୋକଙ୍କୁ ଟଙ୍କା ଉଧାର ଦେବାକୁ ଆରବିଆଇ ଅସୁରକ୍ଷିତ ଲୋନ (ବିନା ଗ୍ୟାରେଣ୍ଟି ଲୋନ୍‌) ଭାବରେ ଦର୍ଶାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.