LIVE TV

ଆମେରିକା ଡଲାର ନୁହେଁ, ଗ୍ଲୋବାଲ କରେନ୍ସି ହେବ ଭାରତୀୟ ମୁଦ୍ରା: ୩ ପ୍ରସ୍ତାବ ଦେଲା ରିଜର୍ଭ ବ୍ୟାଙ୍କ

NEWS7
rbi unveils new measures to globalise the rupe

ନୂଆଦିଲ୍ଲୀ: ଆମେରିକାକୁ ସିଧା ସଳଖ ଉତ୍ତର ନ ଦେଲେ ବି ପରୋକ୍ଷରେ କଡ଼ା ପ୍ରହାର କରୁଛି ଭାରତ। ଡଲାର ପ୍ରଭୁତ୍ୱକୁ ଅସ୍ୱୀକାର କରିବା ସହିତ ଭାରତୀୟ ଟଙ୍କାର ଅନ୍ତର୍ଜାତୀୟକରଣ କରାଇବା ଦିଗରେ ବୁଧବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବଡ଼ ଏକ ପଦକ୍ଷେପ ନେଇଛି। ସୀମାପାର କାରବାରରେ ଯେମିତି ଭାରତୀୟ ଟଙ୍କାର ବ୍ୟାପକ ବ୍ୟବହାର ହେବ ସେ ନେଇ ଆର୍‌ବିଆଇ ବଡ଼ ଘୋଷଣା କରିଛି।

ଆମେରିକାର ଦାଦାଗିରି କେବଳ ଏହାର ଡଲାର କାରବାର ପାଇଁ ରହିଛି। ଆଉ ଭାରତ ଏହି ଡଲାର ପ୍ରଭୁତ୍ୱକୁ ଅସ୍ୱୀକାର କରି କିଭଳି ଭାରତୀୟ ମୁଦ୍ରାର ଅନ୍ତର୍ଜାତୀୟକରଣ କରାଇ ପାରିବ ସେ ନେଇ ଗତ କିଛି ମାସ ହେବ ଲଗାତର ପ୍ରୟାସ ଜାରି ରଖିଛି। ଅର୍ଥାତ ଗ୍ଲୋବାଲ ଟ୍ରେଡ୍, ଫାଇନାନ୍ସ ଏବଂ ଇନଭେଷ୍ଟମେଣ୍ଟରେ ଯେପରି ଡଲାର ବଦଳରେ ଭାରତୀୟ ମୁଦ୍ରାକୁ ବ୍ୟାପକ ଭାବେ ଗ୍ରହଣ କରାଯିବ ସେନେଇ ପ୍ରୟାଶ କରୁଛି ଆର୍‌ବିଆଇ। ଏବଂ ଏହା ଧୀରେସୁସ୍ଥେ ଲଗାତର ଚାଲିଛି ବୋଲି ବୁଧବାର ଆର୍‌ବିଆଇ ଗଭର୍ଣ୍ଣ ସଞ୍ଜୟ ମଲହୋତ୍ରା କହିଛନ୍ତି। ଟଙ୍କାର ଅନ୍ତର୍ଜାତୀୟକରଣ କରାଇବା ଓ ଏହାକୁ ଏକ ସ୍ଥିର ମୁଦ୍ରା ବା ଷ୍ଟେବଲ କରେନ୍ସି କରିବାକୁ ବୁଧବାର ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ତିନୋଟି ପ୍ରସ୍ତାବ ଦେଇଛନ୍ତି। ଏହି ୩ ପ୍ରସ୍ତାବ କଣ ଆସନ୍ତୁ ଜାଣିବା।

(୧) ଆର୍‌ବିଆଇ ଅନୁସାରେ, ଅଧିକୃତ ଡିଲର ବ୍ୟାଙ୍କଗୁଡ଼ିକୁ ଏବେ ଭୁଟାନ, ନେପାଳ ଏବଂ ଶ୍ରୀଲଙ୍କାର ଅଣ-ନିବାସୀମାନଙ୍କୁ ବାଣିଜ୍ୟ ସମ୍ବନ୍ଧୀୟ କାରବାର ପାଇଁ ଭାରତୀୟ ଟଙ୍କାରେ ଋଣ ପ୍ରଦାନ କରିବାକୁ ଅନୁମତି ଦିଆଯିବ। ଏହା ପଡ଼ୋଶୀ ଅର୍ଥନୀତି ସହିତ ରୁପିରେ ବାଣିଜ୍ୟ ସମାଧାନକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି। ଏହି ୪ ଦେଶ ସହ ହୋଇଥିବା କାରବାର ଦେଖିଲେ ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୫/୨୫ ମସିହାରେ ଦକ୍ଷିଣ ଏସିଆକୁ ଭାରତର ୯୦% ରପ୍ତାନି ଏହି ଚାରୋଟି ରାଷ୍ଟ୍ରକୁ ହୋଇଥିଲା, ଯାହାର ପରିମାଣ ପ୍ରାୟ $୨୫ ବିଲିଅନ ଡଲାର ଥିଲା। ତେଣୁ ଏବେ ରୁପିରେ ଋଣ ଦେବା ଏକ ପ୍ରଭାବୀ ନିଷ୍ପତ୍ତି ହୋଇପାରେ।

ଦ୍ୱିତୀୟଟି ହେଲା- ଆରବିଆଇ ଭାରତର ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନଙ୍କ ମୁଦ୍ରା ପାଇଁ ସ୍ୱଚ୍ଛ ରେଫରେନ୍ସ ହାର ସ୍ଥାପନ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପର ଲକ୍ଷ୍ୟ ମୂଲ୍ୟ ନିର୍ଦ୍ଧାରଣକୁ ଅଧିକ ଅନୁମାନଯୋଗ୍ୟ କରିବା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ଚାଲାଣର ମୁକାବିଲା ପାଇଁ ଟଙ୍କାର ବ୍ୟବହାରକୁ ସୁଦୃଢ଼ କରିବା। ଏହାର ଉଦ୍ଦେଶ୍ୟ ଶୁଧହାର ପାଇବା ପାଇଁ ମୁଦ୍ରା ବିନିମୟର ଉପଯୋଗ କମ କରିବା। ଏଥିରେ ଆମର ମୁଦ୍ରା ଓ ସହଯୋଗୀ ଦେଶ ମୁଦ୍ରା ଉଭୟ ଲାଭବାନ ହେବେ ବୋଲି ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର ଟି-ରବିଶଙ୍କର କହିଛନ୍ତି।

ରିଜର୍ଭ ବ୍ୟାଙ୍କ ଇଣ୍ଡୋନେସିଆନ୍ ରୂପିୟାହ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଦିରମରେ ରେଫରେନ୍ସ ହାର ସ୍ଥିର କରିବାକୁ ଚାହୁଁଛି। ତେବେ ବର୍ତ୍ତମାନ ଆର୍‌ବିଆଇ ଆମେରିକୀୟ ଡଲାର, ୟୁରୋ, ଜାପାନୀ ୟେନ ଏବଂ ଷ୍ଟର୍ଲିଂ ପାଇଁ ରେଫରେନ୍ସ ରେଟ୍ ଜାରି କରୁଛି।

୩() ତୃତୀୟ ପ୍ରସ୍ତାବଟିରେ ସ୍ପେଶାଲ ରୁପି ଭୋଷ୍ଟ୍ରୋ ଆକାଉଣ୍ଟ୍ସ (SRVAs) ରେ ବାଲାନ୍ସର ବ୍ୟବହାରକୁ ବ୍ୟାପକ କରିବାକୁ ଚାହୁଁଛି ଆର୍‌ବିଆଇ। ଏହି ବାଲାନ୍ସ, ଯାହା ବର୍ତ୍ତମାନ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ସମାଧାନକୁ ସହଜ କରିଥାଏ, ଏବେ କର୍ପୋରେଟ୍ ବଣ୍ଡ ଏବଂ ବାଣିଜ୍ୟିକ କାଗଜପତ୍ରରେ ନିବେଶ ପାଇଁ ଯୋଗ୍ୟ କରାଯିବ।