LIVE TV

ବ୍ୟାଙ୍କ ଚେକ୍ କ୍ଲିୟରାନ୍ସ ନିୟମ ପରିବର୍ତ୍ତନ ହୋଇଛି, ଏଣିକି ଫଟାଫଟ ହେବ କାମ

NEWS7
rbi lunches

ନୂଆଦିଲ୍ଲୀ ୦୪/୧୦: ୪ ଅକ୍ଟୋବର, ୨୦୨୫ । ବ୍ୟାଙ୍କିଂ ସିଷ୍ଟମରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୪ ଅକ୍ଟୋବରରୁ ଏକ ଫାଷ୍ଟ ଚେକ୍ କ୍ଲିୟରାନ୍ସ ସିଷ୍ଟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏହି ନୂତନ ସିଷ୍ଟମରେ ଚେକ୍ ସେହି ଦିନ ଜମା କରାଯାଇପାରିବ । ଯାହା ପୂର୍ବ ପରି ୧-୨ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ବେଳେବେଳେ ଚେକ୍‌ କ୍ଲିୟର ହେବାକୁ ମଧ୍ୟ ବାରମ୍ବାର ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼େ । କିନ୍ତୁ ବର୍ତ୍ତମାନ ଏହି ଅସୁବିଧା ଦୂର ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଘୋଷଣା କରିଛି ଯେ ଅକ୍ଟୋବର ୪, ୨୦୨୫ ରୁ ଏକ ନୂଆ ଚେକ୍ କ୍ଲିୟରିଂ ସିଷ୍ଟମ୍ ଲାଗୁ ହେବ । ଏହା ଦ୍ୱାରା କିଛି ଘଣ୍ଟା ମଧ୍ୟରେ ଚେକ୍ କ୍ଲିୟର୍ ହୋଇଯିବ ଏବଂ ଟଙ୍କା ଶୀଘ୍ର ଆକାଉଣ୍ଟକୁ ଆସିଯିବ ।

RBIର ବଡ଼ ଘୋଷଣା? 
ଚେକ୍ କ୍ଲିୟରାନ୍ସ ପାଇଁ କିଛି ଦିନ ସମୟ ଲାଗେ । ନୂତନ ବ୍ୟବସ୍ଥା ଅନୁଯାୟୀ, RBI ଏକ ନିରନ୍ତର ଚେକ୍ କ୍ଲିୟରାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ କରିବ। ଏହି ବ୍ୟବସ୍ଥା ଅନୁଯାୟୀ, ସକାଳ ୧୦ ଟାରୁ ଅପରାହ୍ନ ୪ ଟା ମଧ୍ୟରେ ଜମା ହୋଇଥିବା ସମସ୍ତ ଚେକ୍‌ର ଚିତ୍ର ଏବଂ ତଥ୍ୟ ତୁରନ୍ତ ସ୍କାନ କରାଯିବ ଏବଂ କ୍ଲିୟରାନ୍ସ ହାଉସ୍‌କୁ ପଠାଯିବ । କ୍ଲିୟରାନ୍ସ ହାଉସ୍‌ ସନ୍ଧ୍ୟା ୭ ଟା ସୁଦ୍ଧା ଚେକ୍ ନିଶ୍ଚିତ କରିବାକୁ ପଡିବ । ଯଦି ବ୍ୟାଙ୍କ ସମୟ ମଧ୍ୟରେ ଉତ୍ତର ନଦିଏ, ତେବେ ଚେକ୍ ସ୍ୱୟଂଚାଳିତ ଭାବରେ କ୍ଲିୟରାନ୍ସ ହୋଇଯିବ। 

RBI କହିଛି ଯେ ବର୍ତ୍ତମାନର ଚେକ୍ ଟ୍ରଙ୍କେସନ୍ ସିଷ୍ଟମ୍‌କୁ ଆହୁରି ସ୍ପିଡ୍ କରାଯିବ । ଏଣିକି ବ୍ୟାଙ୍କରେ  ଚେକ୍ ଜମା କଲେ ଏହାର ସ୍କାନ୍ କପି ତୁରନ୍ତ କ୍ଲିୟରିଂ ହାଉସ୍ ଏବଂ ତା’ପରେ ପେମେଣ୍ଟ୍‌ କରୁଥିବା ବ୍ୟାଙ୍କକୁ ପଠାଯିବ । ସେଠାରୁ ବ୍ୟାଙ୍କକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଚେକ୍‌କୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ । ଏହା ଦ୍ୱାରା କ୍ଲିୟରିଂ ସମୟ ୨ ଦିନ ନୁହେଁ ବରଂ କିଛି ଘଣ୍ଟା ଭିତରେ ହୋଇଯିବ । 

ନୂତନ ଚେକ୍ କ୍ଲିୟରିଂ ସିଷ୍ଟମ୍ ଅକ୍ଟୋବର ୪, ୨୦୨୫ରୁ କାର୍ଯ୍ୟକାରୀ ହେବ । ପ୍ରଥମେ ବ୍ୟାଙ୍କ୍ ଚେକ୍ ଗ୍ରହଣ କରିବା ପରେ ସନ୍ଧ୍ୟା ୭ ଟା ସୁଦ୍ଧା ଅନୁମୋଦନ ଦେବାକୁ ପଡ଼ିବ । ଯଦି ବ୍ୟାଙ୍କ ନିର୍ଦ୍ଧାରିତ ସମୟରେ ଉତ୍ତର ନଦିଏ, ତେବେ ଚେକ୍ ଅଟୋମେଟିକ୍ ଭାବରେ ପାସ୍ ହୋଇଯିବ । ନିୟମ ଅନୁସାରେ ବ୍ୟାଙ୍କକୁ ଚେକ୍ ଆସିବାର ମାତ୍ର ୩ ଘଣ୍ଟା ମଧ୍ୟରେ ଏହାକୁ କ୍ଲିୟର୍ କରିବାକୁ ପଡିବ । ଉଦାହରଣ ସ୍ୱରୂପ, ଯଦି ଆପଣ ସକାଳ ୧୦ ଟାରେ ଏକ ଚେକ୍ ଜମା କରନ୍ତି, ତେବେ ଅପରାହ୍ନ ୧ ରୁ ୨ ଟା ମଧ୍ୟରେ ତାହା ପାସ୍ ହୋଇଯିବ ।