ସୋମବାର ବସିବ ରଥଯାତ୍ରା ଦ୍ବିତୀୟ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆଇନ ମନ୍ତ୍ରୀ

Published By : Prameya-News7 Bureau | June 09, 2025 IST

ଭୁବନେଶ୍ୱର ୦୯।୦୬ : ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସେପଟେ ଆଉ ଦିନକ ପରେ ଅର୍ଥାତ ବୁଧବାର ମହାପ୍ରଭୁଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ରଥଯାତ୍ରା ଦ୍ବିତୀୟ ସମନ୍ୱୟ ବୈଠକ। ପୁରୀ ଟାଉନ ହଲ ଠାରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ।

ତେବେ ଜୁନ୍ ୨୭ରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପଡୁଥିବାରୁ ଠାକୁରଙ୍କ ନୀତି କାନ୍ତିକୁ କିଭଳି ଶୃଙ୍ଖଳିତ କରାଯିବ, ତାଉପରେ ବିଶେଷ ଗୁରୁତ୍ବ ଦିଆଯିବ। ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା କରାଯାଉଛି। ଏଣୁ ଭକ୍ତଙ୍କ ରହଣୀ, ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ସହିତ ନୀତି କାନ୍ତି ଉପରେ ବିସ୍ତୃତ ଆଲୋଚନା କରାଯିବ। ଗତ କିଛି ଦିନ ପୂର୍ବେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶେଷକରି ସହରର ରାସ୍ତାଘାଟ, ପରିମଳ, ବିଦ୍ୟୁତ୍ ଓ ସ୍ବାସ୍ଥ୍ୟ ସେବା ଉପରେ ଉଦବେଗ ପ୍ରକାଶ ପାଇଥିଲା। ମେଡିକାଲରେ ଖାଲି ପଡିଥିବା ଡାକ୍ତରୀ ପଦ ପୂରଣ ସହ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଦାବି ହୋଇଥିଲା। ଆଜି ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବେଶ୍ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯିବ। ବୈଠକରେ ଅନ୍ୟାନ୍ୟ ମନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ, ବିଧାୟକ, ଜିଲ୍ଲାପାଳ, ଏସପି, ସେବାୟତ, ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିବେ। 

  • prameyanews7
  • Ratha Yatra 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.