ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ, ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ

NEWS7
rangabati-lyrisist-mitra-vbhanu-gountia-in-hospital

ଭୁବନେଶ୍ୱର ୦୪/୦୨: ଶିଶୁ ବାଟିକା ପିଲାଙ୍କୁ ମିଳିବ ମାଗଣା ପୋଷାକ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା 'ଶିଶୁ ବାଟିକା'ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ (ୟୁନିଫର୍ମ) ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ ।

ଏହି ପ୍ରକ୍ରିୟାକୁ ଆସନ୍ତା ୧୫ ଫେବୃଆରୀ ସୁଦ୍ଧା ଶେଷ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି।

ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ଏହି ପୋଷାକଗୁଡ଼ିକର ରଙ୍ଗ, ଡିଜାଇନ୍ ଏବଂ ଗୁଣବତ୍ତା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ହେବ। ସ୍ୱଚ୍ଛତା ବଜାୟ ରଖିବା ପାଇଁ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କିମ୍ବା ପୁରୁଣା ସଂସ୍ଥାଗୁଡ଼ିକ ମାଧ୍ୟମରେ ଏହି ସାମଗ୍ରୀ ସଂଗ୍ରହ କରାଯିବ। ଏଥିପାଇଁ କୌଣସି ନୂତନ ଟେଣ୍ଡର ଆବଶ୍ୟକ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ 'ଅତି ଜରୁରୀ' ବିଭାଗରେ ରଖାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନେ ଏହି ବଣ୍ଟନ ପ୍ରକ୍ରିୟାର ସିଧାସଳଖ ତଦାରଖ କରିବେ। ଜାତୀୟ ଶିକ୍ଷା ନୀତି (NEP 2020) ର ସଫଳ ରୂପାୟନ ଏବଂ ପ୍ରାକ୍-ପ୍ରାଥମିକ ସ୍ତରରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।