News7 Logo

ବଙ୍ଗୋପସାଗରରେ ଆସିପାରେ ଲଘୁଚାପ, ଏଥର ଦଶହରାରେ ପ୍ରବଳ ବର୍ଷା ଆଶଙ୍କା

NEWS7
Rain

ଭୁବନେଶ୍ୱର ୧୭।୦୯ : ଦୁର୍ଗାପୂଜାକୁ ଭିଜାଇବ ବର୍ଷା । ସୃଷ୍ଟି ହୋଇପାରେ ଲଘୁଚାପ। ଆସନ୍ତା ୨୫ ଓ ୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି । ଏହା ଘନୀଭୂତ ହୋଇ ଅବପାତ ରୂପ ନେବ। ଏହାର ପ୍ରଭାବରେ ୨୭ ଓ ୨୮ ତାରିଖରେ ବର୍ଷା ହେବ। ୨୯ ତାରିଖରେ ବି ବର୍ଷା ହୋଇପାରେ । ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି ।

ପ୍ରଫେସର ପଶୁପାଳକ ଆକଳନ କରି କହିଛନ୍ତି, ୨୫ ବା ୨୬ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ୨୬ ତାରିଖରୁ ରାଜ୍ୟରେ ପାଗ ବଦଳିବ। ୨୭ ଓ ୨୮ ତାରିଖ ରାଜ୍ୟର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ଅନ୍ୟ କିଛି ସ୍ଥାନରେ ବି ଭାରୀ ବର୍ଷା ହୋଇପାରେ। ୨୮ ତାରିଖ ହେଉଛି ଦଶହରାର ଷଷ୍ଠୀ ପୂଜା। ଷଷ୍ଠୀ ଓ ସପ୍ତମୀ ପୂଜା ସମୟରେ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ସୃଷ୍ଟି ହୋଇଥିବା ଲଘୁଚାପ ୨୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଦେଇ ଛତିଶଗଡ଼ ଓ ପରେ ନାଗପୁର ଆଡ଼କୁ ଯିବ। ୨୯ରେ ବର୍ଷା ଆଶଙ୍କା ଅଛି। ୩୦ ତାରିଖ ପରେ ପାଗ ଶୁଖିଲା ରହିବ। ଏହା ପ୍ରାଥମିକ ଆକଳନ। ୨୧ ତାରିଖ ବେଳକୁ ଠିକ୍‌ ଆକଳନ କରିହେବ ବୋଲି ସେ କହିଛନ୍ତି । ଆସନ୍ତା ୧୭ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୧୮ ତାରିଖରେ ମଧ୍ୟ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରୁଆ ଧାନରେ ଶୀଘ୍ର ଶୀର୍ଷ ଯବକ୍ଷାରଜାନ ପ୍ରୟୋଗ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ସାର ନ ପକାଇଲେ ଗଛର ଅଭିବୃଦ୍ଧି କମିଯିବ । ୨୯ ତାରିଖ ପରେ ବର୍ଷାକୁ ଦେଖି ଦ୍ୱିତୀୟ ଶୀର୍ଷ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମୁଗ, ବିରି, କୋଳଥ, ଅଳସି ଭଳି ପ୍ରାକ୍‌ ରବି ଫସଲ ଶୀଘ୍ର ବୁଣନ୍ତୁ । ୬୦ରୁ ୭୦ ଦିନିଆ କମ୍‌ ଅବଧି ବିଶିଷ୍ଟ କିସମ ଚୟନ କରନ୍ତୁ । ଅକ୍ଟୋବର ମାସରେ ଅଧିକ ବର୍ଷା ହୋଇପାରେ । ଏଣୁ ଅଧିକ ବିଳମ୍ବ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।