ନୂଆଦିଲ୍ଲୀ ୧୭।୦୮ : ନିର୍ବାଚନ କମିଶନଙ୍କୁ ପୁଣି ଥରେ ଘେରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ‘ଭୋଟ ଚୋରି’କୁ ନେଇ ନିର୍ବାଚନ କମିଶନଙ୍କୁ ଘେରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ‘ଲାପତା ଭୋଟ' ଲେଖି ଏକ ଭିଡିଓ ସେୟାର କରିଛନ୍ତି। ତେବେ ସେଥିରେ ସେ ନିର୍ବାଚନ କମିଶନଙ୍କ କଥା ଉଲ୍ଲେଖ କରିନାହାନ୍ତି। ସେହି ଭିଡିଓରେ ରାହୁଲ ଲେଖିଛନ୍ତି ‘ଭୋଟ୍ ଚୋରି, ଲୁଚି ଲୁଚି ଆଉ ଚଳିବ ନାହିଁ।
ତେବେ ଭୋଟର ତାଲିକାରେ ଅନିୟମିତତାକୁ ନେଇ ରାହୁଲ ଲଗାତାର ଭାବେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଆସୁଛନ୍ତି। ଗତ ୧୨ ତାରିଖରେ ରାହୁଲ କହିଥିଲେ ପିକ୍ଚର ଅଭି ବାକି ହୈ। ସେ ଅଭିଯୋଗ କରିଥିଲେ ଯେ କେବଳ ଗୋଟିଏ ଦୁଇଟି ଆସନ ନୁହେଁ ଜାତୀୟ ସ୍ତରରେ ଭୋଟର ତାଲିକାରେ ବ୍ୟାପକ ଅନିୟମିତତା କରାଯାଇଛି।
ସେହିପରି ଆଜିଠାରୁ ରାହୁଲ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିବେ। ବିହାରର ସାସାରମରୁ ଏହି ଯାତ୍ରା ଆରମ୍ଭ ହୋଇ ୧୩ ଶହ କିଲୋମିଟର ଅତିକ୍ରମ କରିବା ପରେ ସେପ୍ଟେମ୍ବର ୧ରେ ପାଟନାରେ ଶେଷ ହେବ। ଏହି ଯାତ୍ରାରେ ରାହୁଲଙ୍କ ସହ ଆରଜେଡି ନେତା ତେଜସ୍ବୀ ଯାଦବ ଓ ଇଣ୍ଡି ମେଣ୍ଟର ବହୁ ନେତା ସାମିଲ ହେବେ ବୋଲି ସୂଚନା ମିଳିଛି।
ସେପଟେ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ନିର୍ବାଚନ କମିଶନ ଖଣ୍ଡନ କରିଛନ୍ତି। କହିଛନ୍ତି ପୁରୁଣା ଭୋଟର ତାଲିକାରେ ଅନିୟମିତତାକୁ ନେଇ ଏବେ ପ୍ରଶ୍ନ ଉଠାଇବା ଭୁଲ। ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଏକ ପ୍ରେସନୋଟରେ କୁହାଯାଇଛି ଯେ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାରେ ରାଜନୈତିକ ଦଳମାନେ ସାମିଲ ହୋଇଥାନ୍ତି । କିନ୍ତୁ କୌଣସି ରାଜନୈତିକ ଦଳ କିମ୍ବା ସେମାନଙ୍କର ବୁଥସ୍ତରୀୟ ଏଜେଣ୍ଟମାନେ ଡ୍ରାଫ୍ଟ ଭୋଟର ତାଲିକାକୁ ଠିକ୍ ଭାବେ ଦେଖିନାହାନ୍ତି। କିମ୍ବା ସମୟ ପୂର୍ବରୁ ସେଥିରେ ଅନିୟମିତତା ଥିବାର କୌଣସି ଆପତ୍ତି ଅଭିଯୋଗ ବି କରିନାହାନ୍ତି। ରବିବାର ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପ୍ରେସମିଟ୍ ଡାକିଛନ୍ତି। ନ୍ୟାସନାଲ ମିଡିଆ ସେଣ୍ଟରରେ ହେବାକୁ ଥିବା ଏହି ପ୍ରେସମିଟ୍ ରେ ରାହୁଲ ଓ ଅନ୍ୟ ବିରୋଧୀ ଦଳମାନେ କରିଥିବା ଭୋଟ ଚୋରି ଅଭିଯୋଗ ଉପରେ ନିର୍ବାଚନ କମିଶନ ପ୍ରତିକ୍ରିୟା ରଖିବେ । ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ବ୍ୟାପକ ସଂଶୋଧନ ପରେ ଏହା ନିର୍ବାଚନ କମିଶନଙ୍କ ପ୍ରଥମ ପ୍ରେସମିଟ୍ ।