ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ରାଜନୀତିରେ ଚର୍ଚ୍ଚା ଜୋର

Published By : Prameya-News7 Bureau | August 17, 2025 IST

ବ୍ରହ୍ମପୁର ୧୭।୮: ବିଜେପି ଶିବିରରେ ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଯାହାକୁ ନେଇ ଗଞ୍ଜାମ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି  । ଏହା ଏବେ ରାଜନୈତିକ ମହଲ ଏବଂ ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଚ୍ୟାଉପଟ୍ଟନାୟକ କ’ଣ ବିଜେପିରେ ସାମିଲ ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଥିବା ବେଳେ ଚ୍ୟାଉପଟ୍ଟନାୟକଙ୍କ ଏଭଳି ମନସ୍ତାପ ବିଜେଡି ପାଇଁ ଭାରି ପଡିଯିବନି ତ ? 

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥୀ ଅବସରରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ପରିସରରେ ଆୟୋଜିତ ହୋଇଥିଲା ସ୍ମୃତିସଭା । ଯେଉଁ ସଭାରେ ବିଜେପି ଜିଲ୍ଲା ସଭାପତି, ପୂର୍ବତନ ଜିଲ୍ଲା ସଭାପତି ଏବଂ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ସହିତ  ବିଜେପିର ବହୁ   ନେତା ଉପସ୍ଥିତି ଥିଲେ । ଏହି ସଭାରେ ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗ ଦେଇଥିଲେ । ଚ୍ୟାଉପଟ୍ଟନାୟକ ଯୋଗଦେବାକୁ ନେଇ ଉଭୟ ବିଜେଡି ଏବଂ ବିଜେପି ଶିବିରରେ ସୃଷ୍ଟି ହୋଇଛି ହଡ଼କମ୍ପ । 

ଚ୍ୟାଉପଟ୍ଟନାୟକଙ୍କୁ ନିକଟରେ ବିଜେଡି ଦଳ ଅଣଦେଖା କରିବା ତାଙ୍କ ସମର୍ଥକ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ଦୀର୍ଘ ସମୟ ଧରି ସେ ଗଞ୍ଜାମ ଜିଲ୍ଲା ସଭାପତି ଦାୟିତ୍ୱରେ ରହି କାର୍ଯ୍ୟଭାର ସମ୍ଭାଳିଥିବା ବେଳେ ଦଳ ବର୍ତ୍ତମାନ ଯୁବନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦାୟିତ୍ୱ ଦେଇଛି । ସେପଟେ ଚ୍ୟାଉପଟ୍ଟନାୟକ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ହେଉଛନ୍ତି ବିଶ୍ୱ ସ୍ତରୀୟ ନେତା । ଦଳ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କୁ ମାନନ୍ତି. ବ୍ରହ୍ମପୁର ଗସ୍ତ ସମୟରେ ତାଙ୍କୁ ଫୁଲତୋଡ଼ା ଦେଇଥିଲି । ଏଭଳି ଏକ ବିରଳ ବ୍ୟକ୍ତିତ୍ୱ ନେତାଙ୍କ ପୁଣ୍ୟତିଥି ଅବସରରେ ଯୋଗ ଦେଇଥିଲି ବୋଲି ବରିଷ୍ଠ ବିଜେଡି ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ।


You Can Read:

ଗାଁକୁ ସହର କଲେ ଆପତ୍ତି ନାହିଁ, କିନ୍ତୁ ପୂର୍ବ ସରକାରରେ ଘୋଷିତ ଅଞ୍ଚଳକୁ ମଧ୍ୟ ତୁରନ୍ତ କରନ୍ତୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.