୨୦୨୯ରେ ଓଡ଼ିଶା ଦଖଲ ପାଇଁ ଅଣ୍ଟାଭିଡ଼ିଲା କଂଗ୍ରେସ, ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya-News7 Bureau | August 17, 2025 IST

ଭୁବନେଶ୍ୱର ୧୭।୦୮ : କଂଗ୍ରେସର ଟାର୍ଗେଟ ୨୦୨୯ । ଓଡ଼ିଶା ଦଖଲ କରୁଛି ନୂଆ ରଣନୀତି । ୨୦୨୪ ନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ବସିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ ଲଲୁ, ପିସିସି ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟପ୍ରମୁଖ ନେତା ଓ ପ୍ରାର୍ଥୀମାନେ ଉପସ୍ଥିତ ରହିଛନ୍ତି । 

ଗତ କିଛି ଦିନ ହେଲା ଦେଶରେ ଭୋଟ ଚୋରି ନେଇ ରାଜନୀତି ସରଗରମ ରହିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଭୋଟ ଚୋରି ନେଇ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ଆଙ୍ଗୁଠି ମଧ୍ୟ ଉଠାଇଛନ୍ତି । ହେଲେ ନିର୍ବାଚନ କମିଶନ ଭୋଟ ଚୋରିକୁ ଖାରଜ କରିଛନ୍ତି । ତେବେ ଭୋଟ ଚୋରିକୁ ଆଧାର କରି ଭୋଟ ଅଧିକାର ରାଲିର ଆରମ୍ଭ କରିବାକୁ ଯାଉଛନ୍ତି । ବିହାରର ସାସାରାମରୁ ଏହାର ଶୁଭାରମ୍ଭ କରିବେ ରାହୁଲ ଗାନ୍ଧୀ । ଏହିକ୍ରମରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଫଳତା ଏବଂ ରାହୁଲ ଗାନ୍ଧୀଙ୍କ ବାର୍ତ୍ତା ତଥା ଭୋଟ ଚୋରିକୁ ନେଇ ଘରେ ଘରେ ପହଞ୍ଚାଇବା ପାଇଁ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ସେହିପରି ନିର୍ବାଚନ ପୂର୍ବରୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ୍‌ ଦେବା ମଧ୍ୟର ପ୍ଲାନ୍‌ ହୋଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶେଷ ଥର ପାଇଁ ୧୯୯୫ରେ ସରକାର ଗଠନ କରିଥିଲା କଂଗ୍ରେସ । ତାପର ଠାରୁ ବନବାସରେ ଅଛି କଂଗ୍ରେସ । ଇତିମଧ୍ୟରେ ୩୦ ବର୍ଷ ବିତିଗଲାଣି । ତଥାପି ରାଜ୍ୟରେ ସରକାର ଗଢିବାକୁ କଂଗ୍ରେସ ସକ୍ଷମ ହୋଇପାରିନାହିଁ । ୧୯୯୫ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ୮୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୦୦ ନିର୍ବାଚନ ମାତ୍ର ୨୬ ଆସନରେ ସୀମିନତ ହୋଇ ରହିଗଲା । ଏହାପରେ ୨୦୦୪ ବିଧାନସଭା ନିର୍ବାଚନରେ କଂଗ୍ରେସ ସିଟ୍‌ ସଂଖ୍ୟାରେ ବୃଦ୍ଧି ପାଇଥିଲା । ଯାହାକୁ ୩୮ରେ ଅଟକି ରହିଥିଲା । ହେଲେ ୨୦୦୯ ବିଧାନସଭା ନିର୍ବାଚନରେ ୨୭କୁ ଖସିଥିଲା ‘ହାତ’ର ସିଟ୍‌ ସଂଖ୍ୟା । ଏହାପରେ ଆସିଲା ୨୦୧୪ ବିଧାନସଭା ନିର୍ବାଚନ । ଯେଉଁଠି କଂଗ୍ରେସ ଖାତାକୁ ଗଲା ମାତ୍ର ୧୬ ସିଟ୍‌ । ପରେ ୨୦୧୯ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ହାତେଇଥିଲା ମାତ୍ର ୯ଟି ସିଟ୍‌ । ଆଉ ୨୦୨୪ ବିଧାନସଭା ନିର୍ବାଚନରେ ପୂର୍ବ ଅପେକ୍ଷା ଅଧିକ ସିଟ୍‌ ହାତେଇଥିଲେ ଦଳ । ୯ରୁ ବଢି ୧୪ରେ ପହଞ୍ଚିଥିଲା କଂଗ୍ରେସର ସିଟ୍‌ ସଂଖ୍ୟା ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.