ନୂଆଦିଲ୍ଲୀ ୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜାତି ଜନଗଣନା ଲାଗି ନିଷ୍ପତ୍ତି ହୋଇଛି। କଂଗ୍ରେସ କହିଛି ଯେ ଆମ ପାର୍ଟି ପକ୍ଷରୁ ଲଗାତାର ଦାବି ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ବାସ୍ତବିକ ସ୍ୱାଗତଯୋଗ୍ୟ। ଏବେ ପ୍ରଧାନମନ୍ତ୍ରୀ ଏଥି ପାଇଁ ତାରିଖ ଘୋଷଣା କରନ୍ତୁ।
ରାହୁଲ କହିଛନ୍ତି ଯେ ଆମେ ଦେଶରେ ଜାତି ଜନଗଣନା କରିକି ରହିବୁ ବୋଲି ସଂସଦରେ କହିଥିଲୁ। ଏହା ସହିତ ଆମେ ଏ ପର୍ଯ୍ୟନ୍ତ ସଂରକ୍ଷଣରେ ଥିବା ୫୦% ସୀମାକୁ ବି ହଟାଇବାକୁ ଦାବି କରିଥିଲୁ। ଆମେ ସରକାରଙ୍କ ଏହି ନିଷ୍ପତ୍ତିକୁ ସମର୍ଥନ କରୁଛୁ। ରାହୁଲ ଗାନ୍ଧି କହିଛନ୍ତି ଯେ ଏହା ପ୍ରଥମ ପଦକ୍ଷେପ, ଏବେ ଆମକୁ ଆଗକୁ ଢେରବାଟ ଯିବାକୁ ଅଛି। ତେବେ ସରକାର ଏବେ ଦେଶରେ ଜାତି ଜନଗଣନା କେବେ ଆରମ୍ଭ କରିବେ ସେଥି ଲାଗି ତାରିଖ ଘୋଷଣା କରନ୍ତୁ ବୋଲି କହିଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି ଯେ ‘ତେଲେଙ୍ଗାନାରେ ଆମେ ଜନତାଙ୍କ ସହ ଗଭୀର ଆଲୋଚନା କରି ଏହାକୁ କରିଛୁ। ଆମେ ଲୋକଙ୍କ ସେନସସ ଜାଣିବାକୁ ଚାହୁଁଛୁ ନା କି ବ୍ୟୁରୋକ୍ରାଟଙ୍କ ସଂଖ୍ୟା। ତେଲେଙ୍ଗାନା ମଡେଲରେ ୨-୩ଟି ପ୍ରିନ୍ସପୁଲ ରହିଛି। ପ୍ରଥମ କଥା ହେଉଛି ବ୍ୟୁରୋକ୍ରାଟମାନେ ରୁଦ୍ଧଦ୍ୱାର ବୈଠକରେ ବସି ଏହାକୁ ଡିଜାଇନ କରି ନାହାନ୍ତି, ଏହା ଛଡା ଯେଉଁମାନଙ୍କୁ ସହାୟତା ପାଇଁ ଏହା କରାଯାଇଛି ସେମାନେ ବ୍ୟୁରୋକ୍ରାସୀରେ ନାହାନ୍ତି। ଆମେ ଗଣ ସେନସସ, ଓପନ ଟେକ୍ନୋଲଜି ସେନସସ୍ ଚାହୁଁଛୁ, ଯେଉଁଠି ଲୋକଙ୍କୁ ପଚରା ଯାଉ ଏହି ଡିଜାଇନ ଉପରେ ଆପଣଙ୍କ ରାୟ କଣ’?
ରାହୁଲ କହିଛନ୍ତି ଯେ ଏହାର ଦ୍ୱିତୀୟ ପ୍ରିନ୍ସପୁଲ ହେଉଛି ଏଥି ପାଇଁ ଏକ୍ସପର୍ଟ ଗ୍ରୁପ ସେଟଅପ କରାଯିବ, ଯେଉଁମାନେ ସଂଗୃହୀତ ତଥ୍ୟର ଅଧ୍ୟୟନ କରିବେ। ଏହାର ତୃତୀୟ ପଦକ୍ଷେପ ହେଉଛି ୫୦% ସଂରକ୍ଷଣର ସୀମାକୁ ହଟାଯିବା, ଯାହା ତେଲେଙ୍ଗାନା ସରକାର ଏବେ କରି ଦେଖାଇଛନ୍ତି। ଏହା ଭାରତ ସରକାର ମଧ୍ୟ ଆପଣାନ୍ତୁ ବୋଲି ରାହୁଲ ଗାନ୍ଧି କହିଛନ୍ତି।