ନୂଆଦିଲ୍ଲୀ ୩୦/୦୪: ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ, ମୋଦି ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB)ରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ପୂର୍ବତନ ଗବେଷଣା ଓ ବିଶ୍ଳେଷଣ ୱିଙ୍ଗ (RAW) ମୁଖ୍ୟ ଆଲୋକ ଜୋଶୀଙ୍କୁ ବୋର୍ଡର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି ଭାରତର ଜାତୀୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।
ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ଏବେ ସାତ ଜଣ ସଦସ୍ୟ ରହିବେ । ଯେଉଁଥିରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଅନ୍ତର୍ଭୁକ୍ତ ହେବେ । ବୋର୍ଡରେ ସାମରିକ ପୃଷ୍ଠଭୂମିର ତିନି ଜଣ ଅବସରପ୍ରାପ୍ତ ଅଧିକାରୀ, ଦୁଇଜଣ ଅବସରପ୍ରାପ୍ତ ଭାରତୀୟ ପୋଲିସ ସେବା (IPS) ଅଧିକାରୀ ଏବଂ ଜଣେ ଅବସରପ୍ରାପ୍ତ ଭାରତୀୟ ବୈଦେଶିକ ସେବା (IFS) ଅଧିକାରୀ ଅଛନ୍ତି। ଏହି ଗଠନ ପ୍ରତିରକ୍ଷା, ଗୁଇନ୍ଦା ଓ କୂଟନୀତି କ୍ଷେତ୍ରରେ ଏକ ସନ୍ତୁଳିତ ଆଭିମୁଖ୍ୟ ସୁନିଶ୍ଚିତ କରିବ ।
କହିବାକୁ ଆଲୋକ ଜୋଶୀଙ୍କର ଜାତୀୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି । ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ RAW ର ମୁଖ୍ୟ ଏବଂ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ NTRO ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଯୋଶୀ ପଡ଼ୋଶୀ ଦେଶ, ବିଶେଷକରି ନେପାଳ, ପାକିସ୍ତାନରେ ଗୁଇନ୍ଦା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ତାଙ୍କର ନିଯୁକ୍ତିକୁ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି । ଯିଏ NSABକୁ ଅଧିକ ପ୍ରଭାବଶାଳୀ କରିବାକୁ ଚାହୁଁଛନ୍ତି।
ଜୋଶୀଙ୍କ ନେତୃତ୍ୱରେ, ବୋର୍ଡ ସାଇବର ସୁରକ୍ଷା, ଆତଙ୍କବାଦ ବିରୋଧୀ ରଣନୀତି ଏବଂ ଆଞ୍ଚଳିକ ଭୂରାଜନୈତିକ ଚ୍ୟାଲେଞ୍ଜ ଉପରେ ବିଶେଷ ଧ୍ୟାନ ଦେବ ବୋଲି ଆଶା କରାଯାଉଛି। ତାଙ୍କର ବୈଷୟିକ ଦକ୍ଷତା, ବିଶେଷକରି NTRO ସମୟରେ ସାଇବର ବିପଦର ମୁକାବିଲା କରିବାରେ, ବୋର୍ଡକୁ ଆଧୁନିକ ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରିବାରେ ସାହାଯ୍ୟ କରିବ।