ସୀମାରେ ଅସ୍ତ୍ରବିରତି ଉଲଂଘନ କରୁଛି ପାକିସ୍ତାନ, ଚେତାବନୀ ଦେଲା ଭାରତ

Published By : Prameya-News7 Bureau | April 30, 2025 IST

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚିକ୍ତତା ଶୀର୍ଷରେ ରହିଛି । ଆତଙ୍କବାଦୀ ଘଟଣା ପରଠୁ ସୀମାରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି । ଯାହାର ଉଚିତ ଜବାବ ଦେଉଛି ଭାରତ । ଏବେ ସୀମାରେ ପାକିସ୍ତାନ ପକ୍ଷରୁ ଫାୟାରିଂ ଉପରେ ଭାରତ ଆପତ୍ତି ଉଠାଇଛି ।

ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଗତକାଲି ହଟଲାଇନ୍‌ରେ କଥା ହୋଇଥିଲେ । ପାକିସ୍ତାନ ଦ୍ୱାରା ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଆଲୋଚନା କରିଥିଲେ । ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ବିରୁଦ୍ଧରେ ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି ।

ଭାରତୀୟ ସେନା ଅନୁଯାୟୀ, ୨୯-୩୦ ଏପ୍ରିଲ ରାତିରେ ପାକିସ୍ତାନୀ ସେନା ପୋଷ୍ଟଗୁଡ଼ିକ ଜମ୍ମୁ-କାଶ୍ମୀରର ନୌସେରା, ସୁନ୍ଦରବନୀ ଏବଂ ଅଖନୁର ସେକ୍ଟରରେ ଏଲଓସିରେ ଅକାରଣରେ ଗୁଳିମାଡ଼ କରିଥିଲେ । ଭାରତୀୟ ସେନାପ ଯବାନ ଏହାର ଉପଯୁକ୍ତ ଜବାବ ଦେଇଥିଲେ । ସେନା ଏହା ମଧ୍ୟ କହିଛି ଯେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଆଉ କେବଳ ନିୟନ୍ତ୍ରଣ ରେଖା ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ପହଞ୍ଚିଛି । 

ଏହା ପୂର୍ବରୁ ପାକିସ୍ତାନ ସେନା ୨୮-୨୯ ଏପ୍ରିଲ ରାତିରେ କୁପୱାଡା ଏବଂ ବାରାମୁଲ୍ଲା ଜିଲ୍ଲା ଏବଂ ଅଖନୁର ସେକ୍ଟରରେ ନିୟନ୍ତ୍ରଣ ରେଖାରେ ବି ଗୁଳି ମାଡ଼ କରିଥିଲା । ଏପ୍ରିଲ ୨୭-୨୮ ରାତିରେ କୁପୱାଡା ଏବଂ ପୁଞ୍ଛ ଜିଲ୍ଲାରେ ସୀମା ଆରପଟୁ ଗୁଳିଚାଳନା କରାଯାଇଥିଲା । ସେହିପରି ଏପ୍ରିଲ ୨୫-୨୬ ରାତିରେ ଏବଂ ଏପ୍ରିଲ ରାତିରେ ୨୪ ନିୟନ୍ତ୍ରଣ ରେଖାର କିଛି ସ୍ଥାନରେ ପାକିସ୍ତାନୀ ସେନା ପକ୍ଷରୁ ଗୁଳିମାଡ଼ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.