LIVE TV

ହେଡଲାଇନ ମ୍ୟାନେଜମେଣ୍ଟରେ ଆଉ କାମ ଚଳିବନି, ସରକାର ଉତ୍ପାଦନ ବଢାଇବା ଦରକାର: ରାହୁଲ ଗାନ୍ଧି

NEWS7
Rahul Gandhi

ନୂଆଦିଲ୍ଲୀ ୨୫।୯:  ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗୁରୁବାର ମେନୁଫେକ୍ଚରିଂ ସମ୍ପର୍କିତ ନୀତିକୁ ନେଇ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ମୋଦିଜୀଙ୍କ ନୀତି କେବଳ ଆଦାନୀ ଓ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ ଲାଭାନ୍ୱିତ କରୁଛି। ସେ କହିଛନ୍ତି ଏବେ ‘ପିଆର’ ଓ ‘ହେଡଲାଇନ ମ୍ୟାନେଜମେଣ୍ଟ’ରେ ଆଉ କାମ ଚଳିବନି ବରଂ ଉତ୍ପାଦନ ବଢାଇବାକୁ ପଡିବ। ଏଥି ପାଇଁ ନୂଆ କରି ଚିନ୍ତା କରିବାର ଆବଶ୍ୟକତା ରହିଛି।

ରାହୁଲ ଗାନ୍ଧି ତାଙ୍କ ହ୍ୱାଟସ ଆପ ଚ୍ୟାନଲ ପୋଷ୍ଟରେ କହିଛନ୍ତି ଯେ ‘ ଗତ ୧୧ ବର୍ଷରେ ଯଦି ବାସ୍ତବରେ କିଛି ‘ମେକ-ଇନ-ଇଣ୍ଡିଆ’ ହୋଇଛି ତେବେ ତାହା ହେଉଛି ‘ପୁଞ୍ଜିପତି ମିତ୍ର’। ସତ କଥା ହେଉଛି ମୋଦିଜୀଙ୍କ ନୀତିସବୁ କେବଳ ଆଦାନୀ ଓ ଅମ୍ବାନୀଙ୍କ ଭଳି ବ୍ୟବସାୟୀଙ୍କୁ ଲାଭବାନ କରୁଛି’। ରାହୁଲ କହିଛନ୍ତି ଯେ ଏହାର ସବୁଠୁ ବଡ଼ କ୍ଷତି ଆମର ଏମଏସଏମଇ କ୍ଷେତ୍ରକୁ ହୋଇଛି, ଯାହା ଆମ ଦେଶର ଆର୍ଥିକ ବ୍ୟବସ୍ଥାର ମେରୁଦଣ୍ଡ ଓ ସବୁଠୁ ଅଧିକ ରୋଜଗାର ସୃଜନ କରେ।

ରାହୁଲ ଗାନ୍ଧି କହିଛନ୍ତି ଯେ ‘ଜିଡିପିରେ ମେନୁଫେକ୍ଚରିଂର ଭାଗ ୨୫%କୁ ପହଞ୍ଚାଇବାକୁ ପ୍ରତିଶ୍ରୁତି ଥିଲା, ହେଲେ ଏହା ଏବେ ୧୩%ରେ ରହିଛି। ଭାରତ ଯାହା କେବେ ବିଶ୍ୱସ୍ତରୀୟ ପ୍ରଡକ୍ଟ ତିଆରୁଥିଲା ତାହା ଏବେ କେବଳ ଚୀନ ସାମଗ୍ରୀର ଆସେମ୍ବ୍ଲିଂରେ ସୀମିତ ହୋଇଯାଇଛି’। ସେ କହିଛନ୍ତି ଯେ ନୋଟ ବନ୍ଦୀ ଓ ଜିଏସଟି ଭଳି ଗୋଟିଏ ପରେ ଗୋଟିଏ ଭୁଲ ନୀତି ଏମଏସଏମଇ ଓ ଆମର ମେନୁଫେକ୍ଚରିଂ କ୍ଷମତାକୁ ବରବାଦ କରିଦେଇଛି।

କଂଗ୍ରେସ ନେତା କହିଛନ୍ତି ଯେ ଜିଏସଟି ସଂଶୋଧନ ପରେ ମଧ୍ୟ ଏମଏସଏମଇ ଓ ମେନୁଫେକ୍ଚରିଂ କ୍ଷେତ୍ରକୁ ପୁଣି ଥରେ ଛିଡା କରିବାକୁ ସରକାରଙ୍କ ନିକଟରେ କୌଣସି ଦୃଷ୍ଟିକୋଣ ନାହିଁ। ‘ପିଆର’ ଓ ‘ହେଡଲାଇନ ମ୍ୟାନେଜମେଣ୍ଟ’ ଦ୍ୱାରା ଏବେ ଆଉ କାମ ଚଳିବନି। ରାହୁଲ ଗାନ୍ଧି କହିଛନ୍ତି ଯେ ଭାରତକୁ ଉତ୍ପାଦନ ବଢାଇବା ପାଇଁ ନୂଆ କରି ଚିନ୍ତା କରିବାକୁ ପଡିବ। ନୀତି ଏପରି ହେଉ ଯାହା ଯୁବପୀଢିଙ୍କ ନିମନ୍ତେ ରୋଜଗାର ସୃଜନ କରୁ, ସମସ୍ତଙ୍କୁ ସମାନ ଅବସର ଦେଉ ଓ ଆମ ଲୋକଙ୍କ ଗୁଣର ସମ୍ମାନ ହେଉ।   ​​​​​​​