ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, କହିଲେ-ଭାରତର ଅର୍ଥନୀତି ମରି ସାରିଛି...

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ସମାଲୋଚନା ନାଁରେ ବିଦେଶୀ ଶକ୍ତିଙ୍କୁ ସୁହାଇଲା ପରି ବୟାନ ଦେଇଛନ୍ତି । ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ବାୟାନକୁ ସମର୍ଥନ କରିଛନ୍ତି, ଯେଉଁଥିରେ ସେ ଭାରତର ଅର୍ଥନୀତିକୁ “ମୃତ” ବୋଲି କହିଥିଲେ । ଟ୍ରମ୍ପଙ୍କ ବୟାନକୁ ସଠିକ୍ ଦର୍ଶାଇ ରାହୁଲ ଗାନ୍ଧୀ ପିଏମ୍ ମୋଦୀ ଓ ଶିଳ୍ପପତି ଗୌତମ ଆଦାନୀଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସ ସାଂସଦ ଦାବି କରିଛନ୍ତି ଯେ ଭାରତ ଏକ ମୃତ ଅର୍ଥନୀତି (ଭୁଶୁଡ଼ି ପଡ଼ିଥିବା ଅର୍ଥବ୍ୟବସ୍ଥା) ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଛାଡ଼ି ସମସ୍ତେ ଜାଣିଛନ୍ତି । ସେ ଏହା ବି ଦାବି କରିଛନ୍ତି ଯେ ଆମେରିକା ସହ ବାଣିଜ୍ୟ ବୁଝାମଣା ଟ୍ରମ୍ପଙ୍କ ସର୍ତ୍ତରେ ହେବ ଓ ପ୍ରଧାନମନ୍ତ୍ରୀ ମୋଦୀ ସେୟା କରିବେ, ଯାହା ଆମେରିକା ରାଷ୍ଟ୍ରପତି କରିବେ ।

ଏହା ବ୍ୟତୀତ ଏକ୍ସରେ ପୋଷ୍ଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, "ଭାରତୀୟ ଅର୍ଥନୀତି ମରି ସାରିଛି । ମୋଦୀ ଏହାକୁ ହତ୍ୟା କରିଛନ୍ତି ।" ଏଥିପାଇଁ ସେ ୫ କାରଣ ବି ଉଲ୍ଲେଖ କରିଛନ୍ତି ।

  • ଆଦାନୀ-ମୋଦୀ ପାର୍ଟନରଶିପ୍
  • ବିମୁଦ୍ରୀକରଣ ଏବଂ ତ୍ରୁଟିପୂର୍ଣ୍ଣ ଜିଏସଟି
  • ବିଫଳ “ଆସେମ୍ୱଲ୍ ଇନ୍ ଇଣ୍ଡିଆ”
  • MSMEକୁ ଶେଷ କରିବା
  • ଚାଷୀଙ୍କୁ ଦଳି ଦିଆଯିବା

ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଘୋଷଣା କରିବାର କିଛି ଘଣ୍ଟା ପରେ ସୋସିଆଲ୍ ମିଡିଆ ପୋଷ୍ଟରେ ଭାରତ ଓ ରୁଷକୁ ଟାର୍ଗେଟ୍ କରିଥିଲେ । ଦୁଇ ଦେଶ ନିଜର ମୃତ ଅର୍ଥନୀତିକୁ ଏକାସଙ୍ଗରେ ବୁଡ଼ାଇ ପାରନ୍ତି ଓ ଏଥିରେ ତାଙ୍କୁ କୌଣସି ଫରକ୍ ପଡ଼ୁ ନାହିଁ ବୋଲି କହିଥିଲେ । ଆମେରିକା ରାଷ୍ଟ୍ରପତିଙ୍କ ଏହି ଟିପ୍ପଣୀ ଉପରେ ଏକ ପ୍ରଶ୍ନର ଜବାବରେ ରାହୁଲ କହିଥିଲେ, "ସେ ଠିକ୍ କହୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ଅର୍ଥମନ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏକଥା ଜାଣିଛନ୍ତି । ମୁଁ ଖୁସି ଯେ ରାଷ୍ଟ୍ରପତି ଟ୍ରମ୍ପ ଏହି ତଥ୍ୟାକୁ ସାମନାରେ ରଖିଛନ୍ତି ।"

ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଜଣେ ବ୍ୟକ୍ତିଙ୍କ ପାଇଁ କାମ କରୁଛନ୍ତି । ସବୁ ଛୋଟ ବ୍ୟବସାୟକୁ ଶେଷ କରିଛନ୍ତି । ଏହା ସହ ବିଦେଶ ମନ୍ତ୍ରୀଙ୍କ ଏକ ଟିପ୍ପଣୀକୁ ଉଲ୍ଲେଖ କରି କହିଛନ୍ତି, "ବିଦେଶ ମନ୍ତ୍ରୀ କହୁଛନ୍ତି ଯେ ଆମର ବିଦେଶ ନୀତି ସବୁଠୁ ଭଲ । ଗୋଟିଏ ପଟେ ଆମେରିକା ଆପଣଙ୍କୁ ଗାଳି ଦେଉଛି, ଅନ୍ୟପଟେ ଚୀନ ଆପଣଙ୍କ ପଛରେ ପଡ଼ିଛି ।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.