News7 Logo

ଭାରତର ବିକାଶ ହାରକୁ ନେଇ ଚିନ୍ତାରେ ରଘୁରାମ ରାଜନ, କହିଲେ- ଉତ୍ସାହଜନକ ନିଶ୍ଚିତ, ହେଲେ..

NEWS7
Raghuram Rajan

ନୂଆଦିଲ୍ଲୀ ୧୪।୯: ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରଥମ ତ୍ରୈମାସିକରେ ୭.୮%  ଜିଡିପି ଅଭିବୃଦ୍ଧି ରେକର୍ଡ କରିଛି। ଗତ ୫ଟି ତ୍ରୈମାସିକରେ ଏହା ସବୁଠୁ ଉଚ୍ଚତମ ସ୍ତର। ଏହି ତଥ୍ୟ ଉପରକୁ ଉତ୍ସାହଜନକ ଲାଗୁଛି, ହେଲେ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏହା ଉପରେ ଗଭୀର ଭାବେ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।  

ସ୍ପାରଏକ୍ସର ମୁକେଶ ବଂଶଲଙ୍କ ସହ ଆଲୋଚନାରେ ରଘୁରାମ ରାଜନ କହିଛନ୍ତି ଯେ ମଜଭୁତ ବୃଦ୍ଧିର ତଥ୍ୟକୁ ସ୍ୱାଗତ କରାଯିବା ଉଚିତ, ହେଲେ ଏହା ପଛର ଅସଲ ସତ୍ୟତାକୁ ବୁଝିବା ମଧ୍ୟ ସେତିକି ଜରୁରି। ସେ କହିଛନ୍ତି ଯେ ‘ତଥ୍ୟ ଯେତେବେଳେ ଉଚ୍ଚ ଆସେ ଏଥରେ ଖୁସି ହେବା ନିଶ୍ଚିତ, ହେଲେ ଅସଲ କଥା ହେଉଛି ଏହା ଏତେ ଉଚ୍ଚା କାହଁକି?’ ରାଜନ ଖାସ କରି ଦୁଇଟି ବଡ଼ ଚିନ୍ତା ଆଡକୁ ଇସାରା କରିଛନ୍ତି। ଏଥିରେ ପ୍ରଥମଟି ହେଲା ଘରୋଇ ନିବେଶ ସୁସ୍ତିଆ ରହିବା, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ବହୁତ ଜରୁରି। ଦ୍ୱିତୀୟ ଚିନ୍ତାଟି ହେଉଛି କମଜୋର ରୋଜଗାର ସୃଜନ, ଏଣୁ ବିକାଶର ଲାଭ ସାଧାରଣ ଜନତାଙ୍କ ନିକଟକୁ କମ୍ ପହଞ୍ଚୁଛି।

ରଘୁରାମ ରାଜନ କହିଲେ କ’ଣ?
ରଘୁରାମ ରାଜନ କହିଛନ୍ତି ଯେ ଭାରତରେ ମୂଲ୍ୟବୃଦ୍ଧିକୁ ମାପିବାର ଉପାୟ ବାସ୍ତବତାକୁ ପୁରା ଦେଖାଏ ନାହଁ। ଏହାକୁ ବୁଝାଇବାକୁ ଯାଇ ସେ କହିଛନ୍ତି ଯେ ‘ଆମେ ମୂଲ୍ୟ ବୃଦ୍ଧିକୁ ଠିକ୍ ଭାବେ ଗଣତି କରିପାରୁଛେ କି? ଏ ନେଇ ଯେତେବେଳେ ଅର୍ଥଶାସ୍ତ୍ରୀଙ୍କ ସହ ଆମେ କଥା ହେଉଛେ ଜଣାପଡୁଛି ଏଥିରେ ସମସ୍ୟା ଅଛି।କାରଣ ଅସଲ ମୂଲ୍ୟବୃଦ୍ଧିକୁ ଏହା ସମ୍ପୂର୍ଣ୍ଣ ଦେଖି ନଥାଏ। କେତେବେଳେ ଏହା ଆମ ଲାଗି ଲାଭଜନକ ଥାଏ ତ ଆଉ କେତେବେଳେ କ୍ଷତିର କାରଣ। ଏବେ ଏହା ଆମକୁ ଲାଭ ଦେଉଛି, ଏଣୁ ତଥ୍ୟ ଆମକୁ ଭଲ ଲାଗୁଛି’।

ରାଜନ ନା କେବଳ ତଥ୍ୟର ତ୍ରୁଟି ଉପରେ, ବରଂ ଗଭୀର ଚିନ୍ତା ଆଡକୁ ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି। ସେ କହିଛନ୍ତି ‘ଆଜିକାଲି ଅଧିକାଂଶ ନିବେଶ ସରକାର କରୁଛନ୍ତି, ହୁଏତ ଏହା ରାଜ୍ୟ ସରକାର କରୁଛନ୍ତି ନଚେତ କେନ୍ଦ୍ର ସରକାର। ହେଲେ ଘରୋଇ କ୍ଷେତ୍ରରୁ ଏତେ ନିବେଶ ଆସୁ ନାହିଁ। ଗତ ୧୦-୧୨ ବର୍ଷ ହେଲା ଏହା ଏକ ବଡ଼ ଚିନ୍ତାର ବିଷୟ ହୋଇ ରହିଛି। ଯଦି ସତରେ ଆମେ ଏତେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛେ , ତାହାଲେ ଘରୋଇ କ୍ଷେତ୍ରରୁ ନିବେଶ ଆସୁନାହିଁ କାହିଁକି? ଏହି ପ୍ରଶ୍ନ ଏବେ ସବୁ ଅର୍ଥଶାସ୍ତ୍ରୀଙ୍କୁ ଚିନ୍ତାରେ ପକାଇଛି’।

ରଘୁରାମ ରାଜନ କହିଛନ୍ତି ଯେ ଏବେ ଭଲ ଫସଲ କାରଣରୁ ଗ୍ରାମୀଣ ଚାହିଦା ମଜଭୁତ ରହିଛି। ଏହା ଏକ ଭଲ କଥା, କାରଣ ଏହା ଦ୍ୱାରା  ଧନୀ ଓ ଗରୀବଙ୍କ ମଧ୍ୟରେ ଅସମାନତା ସାମାନ୍ୟ କମ ହୋଇଛି। ହେଲେ ସହରାଞ୍ଚଳରେ କଞ୍ଜପସନ ଏବେ ବି କମ ରହିଛି। ସେ କହିଛନ୍ତି ‘ଆମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥାୟୀ କଞ୍ଜପସନ ଦରକାର। ଏହାକୁ ନେଇ ଘର, ପରିବାରଙ୍କ ରୋଜଗାର ନିମନ୍ତେ ଭରସା ରହିବା ଦରକାର। ହେଲେ ସହରାଞ୍ଚଳରେ ପରିବାର ଏହାକୁ ନେଇ ଅଧିକ ଚିନ୍ତିତ ରହୁଛନ୍ତି। ଆପଣ ଖବର ଦେଖୁଥିଲେ ଯେପରି ଟିସିଏସ୍ ନିଯୁକ୍ତି ହ୍ରାସ କରୁଛି।ଅସଲ ସମସ୍ୟା ହେଉଛି ଯେପରି ଆବଶ୍ୟକତା ରହିଛି ଆମର ଅର୍ଥ ବ୍ୟବସ୍ଥା ସେଭଳି ଭଲ ଚାକିରୀ ସୃଷ୍ଟି କରିପାରୁ ନାହିଁ’।

ଟ୍ରମ୍ପଙ୍କ ଟାରିଫ ନେଇ କ’ଣ କହିଲେ ରାଜନ?
ଆମେରିକାର ଟାରିଫ ନୀତିକୁ ନେଇ ରାଜନ କହିଛନ୍ତି ଯେ ଏହାର ଭାରତ ଉପରେ ପ୍ରଭାବ ସୀମିତ ରହିବ, କାରଣ ଏହାର ପ୍ରଭାବ ସମସ୍ତଙ୍କ ଉପରେ ସମାନ ରହିବ ନାହିଁ। ସେ କହିଛନ୍ତି ଯେ ଭାରତରୁ ଆମେରିକାକୁ ହେଉଥିବା ୮୫ ବିଲିୟନ ଡଲାର ରପ୍ତାନୀରୁ ପାଖାପାଖି ୪୦ ବିଲିୟନ ଡଲାର ମୂଲ୍ୟ ଭାରତରେ ହିଁ ବସା ଯାଉଛି। ଏଥିରେ ଯଦି ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ବି ହୋଇଯାଏ ତାହାଲେ ଭାରତକୁ ୪୦ ବିଲିୟନ ଡଲାର ଅର୍ଥାତ ୧% ଜିଡିପି ହାନୀ ହେବ। ତେବେ ରପ୍ତାନୀ ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। କାରଣ ଏହା ଅସମ୍ଭବ।

ରାଜନ କହିଛନ୍ତି କିଛି କ୍ଷେତ୍ର ଉପରେ ଏହାର ଗୁରୁତର ପ୍ରଭାବ ପଡିବ। ଯେପରି ଟେକ୍ସଟାଇଲ ଓ ଚିଙ୍ଗୁଡି ଚାଷ। ଏଣୁ ଆମକୁ ଏହା ଉଦ୍ୟମ କରିବା ଦରକାର ଆମେରିକା ବଜାରରେ ଆମର ବ୍ୟବସାୟୀ ଓ କମ୍ପାନୀ ଆମେରିକା ପକ୍ଷଙ୍କ ସହ ମିଶି ଲବିଂ କରନ୍ତୁ। ଏବେ ଆମେରିକା ପ୍ରଶାସନ ରିହାତି ଦେଉଥିବାର ଦେଖାଯାଉଛି। ଉଦାହରଣ ରୂପେ ବ୍ରାଜିଲକୁ ନିଆଯାଇ ପାରେ। ବ୍ରାଜିଲ ଉପରେ ମଧ୍ୟ ୫୦% ଟାରିଫ ଲାଗୁ ରହିଛି ଏହା ସତ୍ତ୍ୱେ ତାକୁ ଅନେକ ରିହାତି ମିଳିଲାଣି।

ରାଜନ ମାନିଛନ୍ତି ଯଦି ଏହି ଟାରିଫ କିଛି ମାସ ପର୍ଯ୍ୟନ୍ତ ବଳବତ୍ତର ରହେ ତେବେ ଭାରତର ଜିଡିପି ଉପରେ ୦.୨%ରୁ ଆରମ୍ଭ କରି ୦.୪% ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବ ପକାଇପାରେ। ସେ କହିଛନ୍ତି ଯେ ରପ୍ତାନୀକାରୀଙ୍କୁ ଏବେ ଭାରତ ସରକାରଙ୍କ ସହାୟତାର ଆବଶ୍ୟକତା ସବୁଠୁ ଅଧିକ। କାରଣ ଆମେରିକା ଲବିଂକୁ ଉପଯୋଗ କରି କ୍ଷତିକୁ କମ୍ କରିପାରିବେ।

ଚୀନ୍ କୁ ନେଇ କହିଲେ କ’ଣ?
ରଘୁରାମ ରାଜନ ଚୀନ୍ କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ଭାରତର ‘ସ୍ୱଭାବିକ ମେଣ୍ଟ’ ଚୀନ ସହ ହୋଇ ନ ପାରେ। କାରଣ ଉଭୟ ଦେଶଙ୍କ ମଧ୍ୟରେ ଗଭୀର ଐତାହାସିକ ଅବିଶ୍ୱାସ ରହିଛି।