ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥାହେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ସୋମବାର ଫୋନରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସମୟରେ ପୁଟିନ୍ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି।ପୁଟିନ ଏହି ଆକ୍ରମଣରେ ହୋଇଥିବା ନିରୀହ ନାଗରିକଙ୍କ ମୃତ୍ୟୁରେ ସମବେଦନା ଜଣାଇବା ସହ, ଆତଙ୍କବାଦ ବିରୋଧରେ ଭାରତର ଲଢ଼େଇରେ ରୁଷର ପୂର୍ଣ୍ଣ ସମର୍ଥନ ରହିଛି ବୋଲି କହିଛନ୍ତି। ଏହା ସହ ସେ ଏଭଳି କାପୁରୁଷଙ୍କଭଳି କାମ କରିଥିବା ଦୋଷୀ ଏବଂ ସେମାନଙ୍କ ସମର୍ଥକଙ୍କୁ କଠୋରୁ କଠୋରୁ ଦଣ୍ଡ ଦିଆଯିବା ଉପରେ ମଧ୍ୟ ଜୋର ଦେଇଛନ୍ତି।
ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତା ବିଷୟରେ ସୋସିଆଲ ମିଡିଆର ଏକ ପୋଷ୍ଟରେ ଲେଖିଛନ୍ତି ‘‘ ରାଷ୍ଟ୍ରପତି ପୁଟିନ୍ ପିଏମ ମୋଦୀଙ୍କୁ ଫୋନ କରି ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ନିରୀହ ଲୋକଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତକୁ ସଂପୂର୍ଣ୍ଣ ସମର୍ଥନ ଦେବା କଥା କହିଛନ୍ତି। ଏହା ବ୍ୟତୀତ ସେ ଏହା ଉପରେ ମଧ୍ୟ ଜୋର ଦେଇଛନ୍ତି ଯେ, ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କୁ କଠୋରରରୁ କଠୋର ଦଣ୍ଡ ଦିଆଯିବା ଦରକାର।’’
ଜୟସ୍ବାଲ ଆହୁରି ଲେଖିଛନ୍ତି ‘‘ପହଲଗାମ ଆକ୍ରମଣ ଉପରେ କଥାବାର୍ତ୍ତା ବାଦ ଦୁଇ ନେତା ଭାରତ-ରୁଷର ବିଶେଷ ସମ୍ପର୍କ ଏବଂ ଉତ୍ତମ ରଣନୈତିକ ସମ୍ପର୍କକୁ ଆହୁରି ଅଧିକ ମଜଭୁତ କରିବାର ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।’’ ଏହା ସହ ଜୟସ୍ବାଲ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ବର୍ଷ ଶେଷରେ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ଆସିବାକୁ ମଧ୍ୟ ନିମନ୍ତ୍ରଣ ଦେଇଛନ୍ତି। ଏହା ସହ ତାଙ୍କୁ ୮୦ ତମ ବିଜୟ ଦିବସ ସମାରୋହର ପରେଡ ପାଇଁ ମଧ୍ୟ ଶୁଭକାମନା ଜଣାଇଛନ୍ତି।