ପୁଣି ବିଗିଡ଼ିଲା ଇରାନ-ଆମେରିକା ସମ୍ପର୍କ: ଟ୍ରମ୍ପଙ୍କ ଧମକ ପରେ ଇରାନର ପାଲଟା ଆଟାକ୍, ଯଦି ହସ୍ତକ୍ଷେପ କର ତେବେ...

NEWS7
putin-orders-satan-ii-to-be-ready-to-deploy-for-war

ତେହେରାନଡୋନାଲ୍ଡ ଟ୍ରମ୍ପଙ୍କ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଧମକକୁ ନେଇ ଇରାନର କଡ଼ା ପ୍ରତିକ୍ରିୟା। ଯଦି ଆମେରିକା ଏଥିରେ ହସ୍ତକ୍ଷେପ କରେ ତେବେ ପୂରା ଅଞ୍ଚଳ ବିଶୃଙ୍ଖଳିତ ହୋଇଯିବ। ଇରାନର ଆର୍ଥିକ ଅବସ୍ଥା ଖରାପ ହେବା ଏବଂ ଡଲାର ତୁଳନାରେ ରିଆଲର ତୀବ୍ର ପତନ ଯୋଗୁ ଇରାନରେ ପ୍ରବଳ ବିରୋଧ ଦେଖା ଦେଇଛି। ଗତ ତିନି ବର୍ଷ ମଧ୍ୟରେ ଏହା ସବୁଠାରୁ ବଡ଼ ଜନ ଆନ୍ଦୋଳନ। ଏହି ପ୍ରତିବାଦ ସମୟରେ ହିଂସା ବୃଦ୍ଧି ପାଉଛି। ବିଭିନ୍ନ ପ୍ରଦେଶରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟୁଥିବା ଇରାନ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଥିଲେ।

ଏହାପରେ ଟ୍ରମ୍ପ ସିଧା ଇରାନକୁ ଚେତାବନୀ ଦେଇଥିଲେ। ତାଙ୍କ ସୋସିଆଲ୍ ମିଡିଆ ସାଇଟ୍ ଟ୍ରୁଥ୍ ଶୋସାଲ୍ରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି “ଯଦି ଇରାନ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ଗୁଳି କରି ହିଂସାତ୍ମକ ଭାବରେ ହତ୍ୟା କରେ, ଯାହା ସେମାନଙ୍କର ପରମ୍ପରା, ତେବେ ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କୁ ରକ୍ଷା କରିବ। ଆମେ ପୂରା ପ୍ରସ୍ତୁତ ଅଛୁ ଯିବାକୁ। ଏହି ବିଷୟରେ ଆପଣଙ୍କ ଧ୍ୟାନ ପାଇଁ ଧନ୍ୟବାଦ! ରାଷ୍ଟ୍ରପତି ଡୋନାଲ୍ଡ ଜେ ଟ୍ରମ୍ପ।”

ଏହାପରେ ଇରାନ ପକ୍ଷରୁ ଏହାର ଜବାବ ମିଳିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବରିଷ୍ଠ ପରାମର୍ଶଦାତା ଅଲି ଲାରିଜାନି ଶୁକ୍ରବାର କହିଛନ୍ତି ଯେ ଇରାନର ପ୍ରତିବାଦରେ ଆମେରିକାର ଯେକୌଣସି ହସ୍ତକ୍ଷେପ ସମଗ୍ର ଅଞ୍ଚଳରେ ବିଶୃଙ୍ଖଳା ସୃଷ୍ଟି କରିବ।

ଆମେରିକାକୁ ଇରାନର ଜବାବରେ ପୁଣି ଥରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଯାଇଛି। କେତେବେଳେ କିଛି ବି ଘଟି ଯାଇପାରେ। ଇରାନରେ ଖାମେନି ସରକାର ବିରୁଦ୍ଧରେ ତୀବ୍ର ଆନ୍ଦୋଳନ ଏପଟେ ଆମେରିକାର ଧମକ, ତେଣୁ ଯଦି ସ୍ଥିତି ଗମ୍ଭୀର ହୁଏ ତେବେ ପୁଣି ଏକ ଯୁଦ୍ଧ ଆଡ଼କୁ ମୁହାଇଁ ପାରେ ମଧ୍ୟପ୍ରାଚ୍ୟ।

ଇରାନ ମିଡିଆ ଅନୁସାରେ, ଆନ୍ଦୋଳନ ବେଳେ ବିଭିନ୍ନ ରାଜ୍ୟରେ ଏକାଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଇରାନୀ ଅର୍ଦ୍ଧ ସରକାରୀ ନ୍ୟୁଜ ଏଜେନ୍ସି ଫାର୍ସ ନ୍ୟୁଜ୍ କହିଛି ଯେ ପଶ୍ଚିମ ଲୋରେସ୍ତାନ ପ୍ରଦେଶରେ ପ୍ରଦର୍ଶନକାରୀମାନେ ଏକ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିବା ପରେ ତିନି ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି ଏବଂ ୧୭ ଜଣ ଆହତ ହୋଇଛନ୍ତି। "ଦଙ୍ଗାକାରୀମାନେ ପ୍ରାୟ ୧୮୦୦ (ସ୍ଥାନୀୟ ସମୟ) ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ପୋଲିସ ବାହିନୀ ସହିତ ସଂଘର୍ଷ କରିଥିଲେ ଏବଂ ଅନେକ ପୋଲିସ କାର ପୋଡ଼ି ଦେଇଥିଲେ" ଫାର୍ସ ରିପୋର୍ଟ କରିଛି।

ଏହା ପୂର୍ବରୁ, ଚାରମାହାଲ ଏବଂ ବଖତିଆରି ପ୍ରଦେଶର ଲୋର୍ଡଗାନ ସହରରେ ମଧ୍ୟ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଅନ୍ୟାନ୍ୟ କିଛି ସହରରେ ମଧ୍ୟ ଆନ୍ଦୋଳନକାରୀଙ୍କର ମୃତ୍ୟୁ ହେଉଛି। ଇରାନ ସରକାର ସେନା ଓ ପୁଲିସ ଲଗାଇ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରେ ଆକ୍ରମଣ କରୁଥିବା ରିପୋର୍ଟ ପ୍ରକାଶ ପାଉଛି।