୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ; ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବାଜିମାତ୍ କରିଛି 'ପୁଷ୍କରା'

Published By : Prameya-News7 Bureau | August 01, 2025 IST

ଭୁବନେଶ୍ୱର :  ଘୋଷଣା ହେଲା ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର  । ଏଥିରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର  ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଏଥିରେ ବାଜି ମାରି ନେଇଛି ଓଡ଼ିଆ ଫିଲ୍ମ 'ପୁଷ୍କରା'।  ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ 'ପୁଷ୍କରା' ନାଁ ଘୋଷଣା କରାଯାଇଛି । 

 'ପୁଷ୍କରା' ତରଙ୍ଗ ସିନେ ପ୍ରଡକସନ୍ସରେ ନିର୍ମିତ  ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭୀନୟ କରିଛନ୍ତି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଛି।  ଏଥିରେ ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ, ରବି ମିଶ୍ର, ଶଙ୍କର ପ୍ରଧାନ ଆଦି କଳାକାରମାନେ ଅଭିନୟ କରିଛନ୍ତି।  ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି ଓ ଚିତ୍ରା ପଟ୍ଟନାୟକ।। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। କାହଣୀ ଓ ସଂଳାପ ଶଙ୍କର ତ୍ରିପାଠୀ। ରମେଶ ବାରିକ ଏହାର ନିର୍ମାତା ଥିବାବେଳେ ଏହି ଫିଲ୍ମର ସଙ୍ଗୀତ କାର ବିଭୂତୀ ଭୂଷଣ ଗଡ଼ନାୟକ।  

'ପୁଷ୍କରା' ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ।  ଏହି ଚଳଚ୍ଚିତ୍ରରେ ପୁରୀର ଜାଗାଘର, ସାହିଯାତ ଓ ଡଙ୍ଗା ଭସା ଭଳି ପରମ୍ପରା ଦେଖାଯାଇଛି ।୨୦୨୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ବହୁ ପ୍ରଶଂସା ସାଉଁଟିଥିଲା । 






News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.