ପୁରୀ ୦୮।୦୬ : ଶ୍ରୀଜଗନ୍ନାଥ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖେ ଥିବା କୋଠାବାଡି ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ନିମନ୍ତେ ପଦକ୍ଷେପ ଗୁରୁତ୍ୱ । ଏନେଇ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ଓ ଏହାର ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି କୋଠାବାଡିର ଉଚ୍ଚତା ଧାର୍ଯ୍ୟ ହେବା ସହ ସମ୍ମୁଖ ଭାଗ କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ କରିବାକୁ ନୀତି ପ୍ରସ୍ତୁତି ହେବା ଜରୁରୀ ବୋଲି କୁହାଯାଇଛି।
ସେହିପରି କୋଠାବାଡି ଗୁଡିକ ବ୍ୟବହାର କରୁଥିବା ନାମଫଳକ ଏବଂ ବିଜ୍ଞାପନ ଉପରେ ମଧ୍ୟ ଆବଶ୍ୟକ କଟକଣା ପାଇଁ ଏଥିରେ ବ୍ୟବସ୍ଥା କରାଯାଇପାରେ। ଏହାସହ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣକୁ ବଜାୟ ରଖିବା ପାଇଁ ସୌନ୍ଦର୍ଯ୍ୟକରଣ ତଥା ଖାଲି ସ୍ଥାନ ବ୍ୟବହାର ନେଇ ମଧ୍ୟ ସେହି ନୀତିରେ ବିଚାର କରିବାକୁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ପୂର୍ବରୁ ଗତ ମେ ୨୬ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ବୈଠକରେ ଏନେଇ ଆଲୋଚନା ହେବା ସହ ସ୍ବତନ୍ତ୍ର ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିଲା।